Home General ପଛୁଆ ବର୍ଗ ସଂରକ୍ଷଣ ବୃଦ୍ଧି ଆଶା କ୍ଷୀଣ

ପଛୁଆ ବର୍ଗ ସଂରକ୍ଷଣ ବୃଦ୍ଧି ଆଶା କ୍ଷୀଣ

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶା ସରକାର ଉଦ୍ୟମ କରୁଥିବାବେଳେ କେନ୍ଦ୍ରର ସହଯୋଗ ମିଳୁନଥିବାରୁ ଏହା ସମ୍ଭବପର ହୋଇପାରୁ ନାହିଁ । ଏ କ୍ଷେତ୍ରରେ ଉଭୟ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଠାରୁ ଆବଶ୍ୟକୀୟ ସହଯୋଗ ମିଳିପାରୁ ନାହିଁ ବୋଲି ସଂରକ୍ଷଣ ସପକ୍ଷବାଦୀମାନେ ମତ ପୋଷଣ କରୁଛନ୍ତି ।

ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ଇନ୍ଦ୍ରା ସାୱାନୀ ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟ ଏବଂ ଓଡ଼ିଶା ସରକାର ବସାଇଥିବା ଜଷ୍ଟିସ ନବ କୁମାର ଦାସ କମିଶନଙ୍କ ରିପୋର୍ଟ ଆଧାରରେ ମୋଟ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇପାରିବ । ତେବେ ବିଶେଷ କ୍ଷେତ୍ରରେ ଏହି ସୀମା ମଧ୍ୟ ଟପିପାରିବ । କିନ୍ତୁ ସେଥିଲାଗି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯିବା ବେଳେ ତାହା ସମ୍ବିଧାନର ୩୧(ଖ) ଧାରା ଅନୁଯାୟୀ ନବମ ଅନୁଚ୍ଛେଦରେ ସ୍ଥାନିତ ହେବା ଆବଶ୍ୟକ ।

ସର୍ବ ଭାରତୀୟ ସ୍ତରରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି । ସାରା ଦେଶରେ ଏହି ଦୁଇ ବର୍ଗର ଜନସଂଖ୍ୟା ୨୨.୨୫ ପ୍ରତିଶତ ଥିବାରୁ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ମଣ୍ଡଳ କମିଶନଙ୍କ ସୁପାରିସ ଆଧାରରେ ୯୦ ଦଶକରେ କରିଥିଲେ ।

ଓଡ଼ିଶାରେ ଏସ୍‍ସି ଓ ଏସ୍‍ଟିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୮.୭୫ ପ୍ରତିଶତ ହୋଇଥିବାରୁ ଜଷ୍ଟିସ ଦାସ କମିଶନଙ୍କ ସୁପାରିସ ଆଧାରରେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାର ଏସ୍‍ଇବିସି ବା ପଛୁଆ ବର୍ଗଙ୍କ ପାଇଁ ତେଣୁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିଥିଲେ । ପରେ ବିଜୁ ପଟ୍ଟନାୟକଙ୍କ ସରକାର ଏହି ସୀମାକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାରୁ ତାହା ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା ଏବଂ ସବୁକ୍ଷେତ୍ରରେ ସରକାର ହାରିବାରୁ ପୁଣି ପଛୁଆ ବର୍ଗଙ୍କ ସଂରକ୍ଷଣ ଓଡ଼ିଶାରେ ୧୧.୨୫ ପ୍ରତିଶତକୁ କମାଇ ଦିଆଯାଇଥିଲା ।

୨୦୦୮ ମସିହାରେ ଓଡ଼ିଶାର ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଆଉଥରେ ପଛୁଆ ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ୨୭ ପ୍ରତିଶତ କରିବା ଲାଗି ସେତେବେଳର ଆଇନ୍‍ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଧାନସଭାରେ ଏକ ବିଧେୟକ ଆଣିଥିଲେ । ଏହା ଗୃହୀତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସମ୍ବିଧାନର ନବମ ଅନୁଚ୍ଛେଦରେ ତାମିଲନାଡୁ ସଂରକ୍ଷଣ ଆଇନ୍‍ ଭଳି ସ୍ଥାନିତ କରିବାକୁ ଅନୁରୋଧ ଜଣାଇଥିଲେ । କିନ୍ତୁ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଉ ନାହାନ୍ତି । ଅନ୍ୟପକ୍ଷରେ କେନ୍ଦ୍ରୀୟ ମଞ୍ଜୁରୀ ଆସିବାରେ ବିଳମ୍ବ ହେଉଥିବାରୁ ବିଜେଡି ସରକାର ତାହା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କଲାବେଳେ ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ଏହା ବିରୋଧରେ ସ୍ୟାଟ୍‍ରେ ଏକ ମାମଲା ରୁଜୁ କରିଥିଲେ ।

କ୍ୱାଣ୍ଟିଫିଏବଲ୍‍ ଡାଟା ଓ କ୍ରିମି ଲେୟାର ପ୍ରସଂଗରେ ସୁପ୍ରିମକୋର୍ଟ ଯାହା କହିଛନ୍ତି ତାହାର ଅନୁପାଳନ ନକରି ସାମ୍ବିଧାନିକ ବ୍ୟବସ୍ଥାରେ ଏହି ଆଇନ୍‍ ସାମିଲ ହେବା ପୂର୍ବରୁ ଲାଗୁ କରାଯାଇଥିବାରୁ ପ୍ରଥମେ ସ୍ୟାଟ୍‍ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହା ବିରୋଧରେ ସରକାର ହାଇକୋର୍ଟକୁ ଯାଇ ମଧ୍ୟ ହାରିଥିଲେ । ଏବେ ଏହା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ଏଭଳି ସ୍ଥିତିରେ ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ଭବପର ହେଉନାହିଁ । ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗୁ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ବି ସୁପ୍ରିମକୋର୍ଟରେ କାଟ୍‍ ଖାଇଯାଇଛି । ଚଳିତବର୍ଷ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବାବେଳେ ତାହା ଇଞ୍ଜିନିୟରିଂ, ମେଡିକାଲ୍‍ ଆଦି ପାଠ୍ୟକ୍ରମରେ କିନ୍ତୁ ଲାଗୁ ହୋଇନାହିଁ ।(ତଥ୍ୟ)