ଭୁବନେଶ୍ୱର : ସର୍ବୋଚ୍ଚ ନ୍ୟାୟାଳୟର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ୧୬ବର୍ଷ ଧରି ପଛୁଆବର୍ଗଙ୍କ ଆସନ ସଂରକ୍ଷଣ ସଂକ୍ରାନ୍ତୀୟ ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗ୍ରହ କରାଯାଇ ପାରିନାହିଁ । କେବେ ସୁଦ୍ଧା ଏହି ତଥ୍ୟ ସଂଗୃହୀତ ହେବ ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁ ନାହାନ୍ତି ।
ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର ସରକାର ମଣ୍ଡଳ କମିଶନଙ୍କ ସୁପାରିସ୍ ଲାଗୁ କରି ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ତେବେ ଓଡ଼ିଶାରେ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି କମିଶନ ସୁପାରିସକୁ ଅଗ୍ରାହ୍ୟ କରି ରାଜ୍ୟ ପାଇଁ ଜଷ୍ଟିସ୍ ନବ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ କମିଶନ ବସାଇଥିଲେ ।
ସେତେବେଳକୁ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ୍ ଇନ୍ଦ୍ରା ସାହାଣୀ ମାମଲାରେ ଚାକିରି କ୍ଷେତ୍ରରେ ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ମଧ୍ୟରେ ରଖିବାକୁ କହିବା ସହିତ କେତେକ ସର୍ତ୍ତରେ ଏହା ବିଶେଷ ପରିସ୍ଥିତିରେ କୋହଳ କରାଯାଇପାରିବ ବୋଲି ଉଲ୍ଲେଖ କରିଥିଲେ ।
କେନ୍ଦ୍ର ସରକାରୀ ଚାକିରିରେ ଏସସି ଓ ଏସଟି ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ପରିମାଣ ଦେଶର ଜନସଂଖ୍ୟା ଆଧାରରେ ୨୨.୫ ପ୍ରତିଶତ ଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ୫୦ ପ୍ରତିଶତ ସୀମାର ଅନୁପାଳନ କରିଥିଲେ ।
ଜଷ୍ଟିସ୍ ଦାସ କମିଶନଙ୍କ ସୁପାରିସ୍ ଆଧାରରେ ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ପଛୁଆବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯିବା ବେଳକୁ ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷିତ ରହିଥିଲା ୩୮.୭୫ ପ୍ରତିଶତ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଦୁଇଥର ୨୭ ପ୍ରତିଶତକୁ ବଢ଼ାଇଥିଲେ ମଧ୍ୟ ଅଦାଲତି ଝଟ୍କା ଯୋଗୁଁ ତାହା ପୁଣି ୧୧.୨୫ ପ୍ରତିଶତକୁ କମିଛି । ଏଠାରେ ଉଲ୍ଲେଖନୀୟ ଯେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଲାଗି ୨୦୦୮ ମସିହାରେ ରାଜ୍ୟ ସରକାର ଯେଉଁ ଆଇନ ପ୍ରଣୟନ କରିଥିଲେ ତାହା ଅଦାଲତରେ ୨୦୧୩ ମସିହାରେ କାଟ୍ ଖାଇଯାଇଛି ।
୨୦୦୬ ମସିହାରେ ନାଗରାଜ ମାମଲାରେ ସୁପ୍ରିମକୋର୍ଟ କ୍ୱାଣ୍ଟିଫିଏବୁଲ ଡାଟା କଥା ଉଲ୍ଲେଖ କରିଥିଲେ । ଏଥିରେ ପଛୁଆବର୍ଗର ଜନସଂଖ୍ୟା ହାର, ଅନଗ୍ରସରତା ଏବଂ ସରକାରୀ ଚାକିରିରେ ପ୍ରତିନିଧିତ୍ୱ ହାର ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ଏସସି/ବିସି ସଂରକ୍ଷଣ ଆଇନକୁ ବାତିଲ କରିବା ବେଳେ ୨୦୧୩ ମସିହାରେ ସ୍ୟାଟ୍ ମଧ୍ୟ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ସ୍ୟାଟ୍ଙ୍କ ଏହି ଆଦେଶ ବିରୋଧରେ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ ।
ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ୨୦୧୪ ଜୁନ୍ ୨୪ ତାରିଖରେ ରାଜ୍ୟ ସରକାର ଅନ୍ୟ ଏକ ସଂକଳ୍ପ ଜାରିକରି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ପୁଣି ୧୧.୨୫ ପ୍ରତିଶତରେ ସୀମିତ ରଖିବା ସହ ଉଲ୍ଲେଖ କରିଥିଲେ ଯେ ହାଇକୋର୍ଟ ସରକାରଙ୍କ ରିଟ୍ ପିଟିସନ ବିଚାର ପାଇଁ ଗ୍ରହଣ କରିବା ବେଳେ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରିବା ଲାଗି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିପାଇଁ ଅଧିକ ସମୟ ଆବଶ୍ୟକ ।
ଏହି ସଂକଳ୍ପ ପ୍ରକାଶର ପ୍ରାୟ ୮ବର୍ଷ ବିତିଯାଇଥିଲେ ବି ଏଯାବତ୍ ଅଦାଲତଙ୍କ ଚାହିଦା ମୁତାବକ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରାଯାଇ ପାରିନାହିଁ । ତେବେ ସଚିବାଳୟର ଏଏସଓ ନିଯୁକ୍ତିକୁ କେନ୍ଦ୍ରକରି ଏହି ସଂରକ୍ଷଣ ବିବାଦ ଉପୁଜିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଏସଓ କ୍ୟାଡରରେ ପଛୁଆବର୍ଗର ପ୍ରତିନିଧିତ୍ୱ ଆଦୌ ନାହିଁ ବୋଲି ଦର୍ଶାଯାଇଥିଲା ।
ତେବେ ସେ ସମୟରେ ଏହି କ୍ୟାଡରର ଯେଉଁ ବରିଷ୍ଠତା ତାଲିକା ପ୍ରକାଶ ପାଇଥିଲା ସେଥିରେ ଏଏସଓ ପାହ୍ୟାରେ ପଛୁଆବର୍ଗ କର୍ମଚାରୀଙ୍କ ସଂଖ୍ୟା ୪୦ ପ୍ରତିଶତରୁ ଅଧିକ ଥିବା ଜଣାପଡିଥିଲା । ପୂର୍ଣ୍ଣାଙ୍ଗ ତଥ୍ୟ ସଂଗୃହୀତ ହୋଇନଥିବାରୁ ଏବେବି ଏ ପ୍ରସଙ୍ଗ ଝୁଲନ୍ତା ଅବସ୍ଥାରେ ରହିଛି । (ତଥ୍ୟ)