Home General ପଛରେ ପଡିଛି ମିଲେଟ କାଫେ

ପଛରେ ପଡିଛି ମିଲେଟ କାଫେ

ଭୁବନେଶ୍ୱର : ମିଲେଟ ମିଶନ ଦ୍ୱାରା ମିଲେଟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବାପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ମିଲେଟ ଟିଫିନ ସେଣ୍ଟ, ମିଲେଟ କାଫେ ଓ ମିଲେଟ ଆଉଟଲେଟ ଗଢି ଉଠିଥିଲା । ସରକାର ଏଥିପାଇଁ ପ୍ରୋତ୍ସାହନରାଶି ବି ଯୋଗାଇ ଦେଇଥିଲେ । ତେବେ ମିଲେଟ ସେଣ୍ଟର ଓ ମିଲେଟ ଆଉଟଲେଟ୍‍ର ବ୍ୟବସାୟ ବଢୁଥିବାବେଳେ ମିଲେଟ କାଫେ କ୍ଷେତ୍ରରେ ପଛରେ ପଡିଯାଇଛି ।

ରାଜ୍ୟରେ ୩୪୧ଟି ମିଲେଟ ଟିଫିନ ସେଣ୍ଟର ଥିବାବେଳେ ୧୫ଟି ମିଲେଟ କାଫେ ରହିଛି ସେହିଭଳି ୮ଟି ମିଲେଟ ଆଉଟଲେଟ୍‍ ରହିଛି । ତେବେ ମିଲେଟ ଟିଫିନ ସେଣ୍ଟର ରାଜ୍ୟର ୮ଟି ଜିଲ୍ଲାରେ ଖୋଲିପାରିନଥିବାବେଳେ ମିଲେଟ କାଫେ ମାତ୍ର ୧୦ଟି ଜିଲ୍ଲାରେ ଖୋଲିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ଟି ମିଲେଟ କାଫେ ଥିବାବେଳେ କୋରାପୁଟରେ ୨ଟି ରହିଛି । ଅନ୍ୟ ୮ଟି ଜିଲ୍ଲାରେ ଗୋଟିଏ କରି କାଫେ ରହିଛି । ସେହିଭଳି ମିଲେଟ ଆଉଟଲେଟ ଖୋଲିଛି ୭ଟି ଜିଲ୍ଲାରେ ।

ମିଲେଟ ଟିଫିନ ସେଣ୍ଟରରେ ଭଲ କାରବାର ହେଉଥିବାବେଳେ ବାଲେଶ୍ୱର, କଟକ, ଢେଙ୍କାନାଳ, ନ୍ଦ୍ରୋପଡା, ଯାଜପୁର, ଜଗତ୍‍ସିଂହପୁର ଓ ପୁରୀ ଭଳି ଜିଲ୍ଲାରେ ଏହା ଖୋଲିପାରି ନାହିଁ । ଖୋରଧା ଜିଲ୍ଲାରେ ମାତ୍ର ୩ଟି ଟିଫିନ ସେଣ୍ଟର ଖୋଲାଯାଇଛି । ଏହିସବୁ ଜିଲ୍ଲାରେ ଅଧିକ ବ୍ୟବସାୟର ସୁଯୋଗ ଥିବାବେଳେ ଟିଫିନ ସେଣ୍ଟର ନଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଉଲ୍ଲେଖନୀୟ ଯେ ୨୦୨୨-୨୩ ବର୍ଷରେ ୧୩୮ଟି ଟିଫିନ ସେଣ୍ଟର ଥିବାବେଳେ ସରକାର ଏଥିପାଇଁ ୪୧ ଲକ୍ଷ ଟଙ୍କାର ପ୍ରୋତ୍ସାହନରାଶି ଯୋଗାଇ ଦେଇଥିଲେ । ୨୦୨୩-୨୪ ବର୍ଷରେ ୪୦ଟି ସେଣ୍ଟର ପାଇଁ ୨୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବଳେ ଗତ ଆର୍ଥିକ ବର୍ଷରେ ୫୧ଟି ଟିଫିନ ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କ ଦିଆଯାଇଥିଲା । ୮ଟି ମିଲେଟ କାଫେ ପାଇଁ ୨୦୨୩-୨୪ ବର୍ଷରେ ସରକାର ୧କୋଟି ୩୬ଲକ୍ଷ ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବାବେଳେ ଗତବର୍ଷ କୌଣସି କାଫେ ଖୋଲିନଥିବାରୁ ଟଙ୍କାଟିଏ ବି ପ୍ରୋତ୍ସାହନ ରାଶି ମିଳିନାହିଁ । ମିଲେଟ ଆଉଟଲେଟ୍‍ ସକାଶେ ୨୦୨୩-୨୪ ବର୍ଷରେ ୩ଟି ଆଉଟଲେଟ୍‍ ପାଇଁ ୩୬ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଥିବାବେଳେ ୨୦୨୪-୨୫ ବର୍ଷରେ ଗୋଟିଏ ଆଉଟଲେଟ୍‍ ପାଇଁ ସରକାର ୧୨ଲକ୍ଷ ୮୦ହଜାର ଟଙ୍କାର ପ୍ରୋତ୍ସାହନ ଦେଇଛନ୍ତି ।

ବ୍ୟବସାୟ କରିବା କ୍ଷେତ୍ରରେ ମିଲେଟ ଟିଫିନ ସେଣ୍ଟର ସବୁଠାରୁ ଆଗରେ ରହିଛି । ୨୦୨୩-୨୪ ବର୍ଷରେ ଏହା ୬କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରି ୧କୋଟି ୨୪ଲକ୍ଷ ଟଙ୍କା ଲାଭ କରିଥିବାବେଳେ ୨୦୨୪-୨୫ ରେ ୧୪କୋଟି ୧୭ଲକ୍ଷ ଟଙ୍କାର ବ୍ୟବସାୟ କରି ପାଖାପାଖି ଦେଢ କୋଟି ଟଙ୍କା ଲାଭ କରିଛି । ମିଲେଟ କାଫେ କେବଳ ଗୋଟିଏ ବର୍ଷ ଅର୍ଥାତ୍‍ ୨୦୨୩-୨୪ ବର୍ଷରେ ୧କୋଟି ୬୦ଲକ୍ଷ ଟଙ୍କାର ବ୍ୟୟସାୟ କରି ୬୪ହଜାର ଟଙ୍କା ଲାଭ କରିପାରିଛି । ମିଲେଟ ଆଉଟଲେଟ୍‍ ଗତ ଆର୍ଥିକ ବର୍ଷରେ କୋଟିଏ ଟଙ୍କାର ବ୍ୟବସାୟ କରି ୨୦ହଜାରରୁ ଅଧିକ ଟଙ୍କା ଲାଭ କରିଛି ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଥିବା ମିଲେଟ କାଫେ ଗୁଡିକ ଧିରେ ଧିରେ ଲୋକପ୍ରିୟତା ହରାଉଥିବାବେଳେ ଏହାର ସଂଖ୍ୟାବୃଦ୍ଧି ସହିତ ବ୍ୟବସାୟ ବଢାଇବା ଦିଗରେ ସରକାର ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ବିଶେଷକରି ରାଜ୍ୟର ସହରାଞ୍ଚଳରେ ଏହାର ଅଧିକରୁ ଅଧିକ ଶାଖା ଖୋଲାଯାଇ ପାରିଲେ ଏହା ଲୋକଙ୍କ ଦ୍ୱାରା ଆଦୃତ ହୋଇପାରନ୍ତା । (ତଥ୍ୟ)