Home Health ପଛରେ ପଡିଛି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ପଛରେ ପଡିଛି ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାପାଇଁ ସରକାର ଯେତିକି ଲକ୍ଷ୍ୟଧାର୍ଯ୍ୟ କରୁଛନ୍ତି ତାହା ପୂରଣ ହୋଇପାରୁ ନାହିଁ । ଏପରିକି ୨୦୨୧-୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪ ପ୍ରତିଶତ ପୂରଣ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ନାଗରିକମାନଙ୍କର ଦୃଷ୍ଟିଶକ୍ତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚକ୍ଷୁପରୀକ୍ଷା ଲାଗି ପ୍ରତିବର୍ଷ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି । ୨୦୨୧-୨୨ ବର୍ଷରେ ରାଜ୍ୟର ୫୦ହଜାର ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷାପାଇଁ ଲକ୍ଷ୍ୟ ଥିବାବେଳେ ହୋଇଥିଲା ମାତ୍ର ୧୮୧୨ ଜଣଙ୍କର । ଅର୍ଥାତ୍‍ ମାତ୍ର ୪ ପ୍ରତିଶତ ଛାତ୍ରଛାତ୍ରୀଙ୍କର ଚକ୍ଷୁପରୀକ୍ଷା ହୋଇଥିଲା ।

ତେବେ ୨୦୨୨-୨୩ ରେ ୫୦ହଜାର ପିଲାଙ୍କର ଚକ୍ଷୁ ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୭୩ ପ୍ରତିଶତ ସଫଳତା ମିଳିଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୨୩-୨୪ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ସୀମା ୧ଲକ୍ଷକୁ ବୃଦ୍ଧି କରାଯାଇଥିବାବେଳେ ୬୪ ପ୍ରତିଶତ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ପାରିଥିଲା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟଲକ୍ଷ୍ୟ ସୀମାକୁ ୭୫ହଜାରକୁ ହ୍ରାସ କରାଯାଇଥିବାବେଳେ ଡିସେମ୍ବର ସୁଦ୍ଧା ମାତ୍ର ୨୧ ପ୍ରତିଶତ ସଫଳତା ମିଳିଛି ।

ତେବେ ରାଜ୍ୟରେ ମୋତିଆବିନ୍ଦୁ ଅସ୍ତ୍ରପଚାର କ୍ଷେତ୍ରରେ ସଫଳତା ହାର ସନ୍ତୋଷଜନକ ରହିଛି । ସରକାରୀ ସଂସ୍ଥା ଓ ବେସରକାରୀ ସଂଗଠନ ସହାୟତାରେ ଏହି ଅଭିଯାନ ଚଳାଉଥିବାବେଳେ ଏହାର ସଫଳତା ୨୦୨୨-୨୩ ବର୍ଷରେ ୧୦୧ ପ୍ରତିଶତ ରେକର୍ଡ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ସୁଦ୍ଧ ଧାର୍ଯ୍ୟ ଲକ୍ଷ୍ୟ ୪୯ ପ୍ରତିଶତ ବ୍ୟକ୍ତିଙ୍କର ମୋତିଆବିନ୍ଦୁ ଅସ୍ତ୍ରପଚାର ହୋଇଛି ।

ସେହିଭଳି ଆବଶ୍ୟକ କରୁଥିବା ଲୋକମାନଙ୍କୁ ମଧ୍ୟ ସରକାର ବିନା ମୂଲ୍ୟରେ ଚଷମା ଯୋଗାଇ ଦେଉଛନ୍ତି । ୨୦୨୧-୨୨ ବର୍ଷରେ ରାଜ୍ୟରେ ୬୦ହଜାର ଚଷମା ଯୋଗାଣର ଲକ୍ଷ୍ୟ ଥିବାବେଳେ ଏହାର ୬୧ ପ୍ରତିଶତ ପୂରଣ ହୋଇପାରିଥିଲା । ତେବେ ୨୦୨୩-୨୪ବର୍ଷରେ ୧ଲକ୍ଷ ୨୦ହଜାର ଚଷମା ପ୍ରଦାନ ପାଇଁ ଲକ୍ଷ୍ୟ ଥିବାବେଳେ ୧ଲକ୍ଷ ୯୦ହଜାରରୁ ଅଧିକ ଚଷମା ଦିଆଯାଇଥିଲା । ଅର୍ଥାତ୍‍ ଧାର୍ଯ୍ୟ ଲକ୍ଷ୍ୟର ୧୫୮ ପ୍ରତିଶତ ପୂରଣ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଏକ ଲକ୍ଷ ଚଷମା ଦେବାକୁ ଲକ୍ଷ୍ୟ ଥିବାବେଳେ ଡିସେମ୍ବର ସୁଦ୍ଧା ୮୯ ପ୍ରତିଶତ ସଫଳତା ମିଳିପାରିଛି ।

ସେହିଭଳି ରାଜ୍ୟର ଲୋକମାନଙ୍କ ମଧ୍ୟରେ ଚକ୍ଷୁ ଦାନ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାରୁ ଏ କ୍ଷେତ୍ରରେ ସଫଳତାର ହାର ଶତ ପ୍ରତିଶତ ଉପରେ ରହିଛି । ୨୦୨୨-୨୩ବର୍ଷରେ ୧୪୦୦ ଚକ୍ଷୁ ଦାନ ଆକାରରେ ମିଳିବାର ଲକ୍ଷ୍ୟ ଥିବାବେଳେ ମିଳିଥିଲା ୧୮୪୩ଟି ଏବଂ ଏଥିରୁ ୧୭୨୯ଟି ପ୍ରତିରୋପଣ ହୋଇପାରିଥିଲା । ଚଳିତ ଆର୍ଥିକ ବର୍ଷରେ ୧୮୦୦ ଚକ୍ଷୁ ଦାନ ଆକାରରେ ମିଳିବାର ଲକ୍ଷ୍ୟ ରହିଥିବାବେଳେ ଡିସେମ୍ବର ଶେଷସୁଦ୍ଧା ୨୧୩୧ ଟି ଚକ୍ଷୁ ସଂଗ୍ରହ ହେବା ସହିତ ଏଥିରୁ ୨୦୦୪ଟି ବ୍ୟବହାର ହୋଇଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୧୮ ପ୍ରତିଶତ । (ତଥ୍ୟ)