Home Administration ପଙ୍ଗୁ ପାଲଟୁଛି ଶ୍ରମ ବିଭାଗ

ପଙ୍ଗୁ ପାଲଟୁଛି ଶ୍ରମ ବିଭାଗ

ଭୁବନେଶ୍ୱର : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଧିରେ ଧିରେ ପଙ୍ଗୁ ହେବାରେ ଲାଗିଛି । ବିଭାଗ ପାଇଁ ବିଭିନ୍ନ ବର୍ଗରେ ସମୁଦାୟ ୨୬୫୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୧୬୭୭ଟି ଖାଲି ପଡିଛି । ଏଥିଯୋଗୁଁ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ସହିତ ଚଢଉ ଓ ନିରୀକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି ।

ବିଭାଗରେ ପ୍ରଥମଶ୍ରେଣୀ ପାହ୍ୟାରେ ରହିଛି ମୋଟ୍‍ ୪୯୪ ଟି ପଦବୀ । ଏଥିରୁ ୨୨୬ଟି ଖାଲି ପଡିଛି । ଶ୍ରମ ନିର୍ଦ୍ଦେଶାଳୟରେ ଏହି ପାହ୍ୟାର ୧୨୬ଟି ପଦବୀ ମଧ୍ୟରୁ ୪୨ଟି ଖାଲି ପଡିଥିବାବେଳେ ଇଏସ୍‍ଆଇ ସ୍କିମ୍‍ ନିର୍ଦ୍ଦେଶାଳୟରେ ୩୧୩ ଟି ପଦବୀ ମଧ୍ୟରୁ ୧୭୨ଟି ଖାଲି । ସେହିଭଳି ବିଭାଗରେ ଥିବା ୧୭ଟି ପ୍ରଥମଶ୍ରେଣୀ ପଦବୀ ମଧ୍ୟରୁ ୫ଟି ଖାଲି ପଡିଥିବା ଜଣାଯାଇଛି ।

ଦ୍ୱିତୀୟଶ୍ରେଣୀ ପାହ୍ୟାରେ ମୋଟ୍‍ ୬୫୯ଟି ପଦବୀ ଥିବାବେଳେ ଏଥିରୁ ୩୯୫ଟି ଖାଲି ପଡିଛି । ଶ୍ରମ ନିର୍ଦ୍ଦେଶାଳୟରେ ଏହି ପାହ୍ୟାରେ ଥିବା ୫୦୭ଟି ପଦବୀ ମଧ୍ୟରୁ ୩୦୫ଟି ଖାଲି ପଡିଥିବାବେଳେ ଇଏସ୍‍ଆଇ ସ୍କିମ୍‍ ନିର୍ଦ୍ଦେଶାଳୟରେ ଥିବା ୭୭ଟି ପଦବୀ ମଧ୍ୟରୁ ୫୯ଟି ଖାଲି ପଡିଛି । ତୃତୀୟଶ୍ରେଣୀ ପାହ୍ୟାରେ ୮୫୦ଟି ପଦବୀ ମଧ୍ୟରୁ ୫୫୩ଟି ପଦବୀ ଖାଲି ପଡିଛି । ଏହି ପାହ୍ୟାରେ ଶ୍ରମ ନିର୍ଦ୍ଦେଶଳୟରେ ୧୨୮ଟି ପଦବୀ ମଧ୍ୟରୁ ୬୫ଟି ଖାଲି ପଡିଥିବାବେଳେ ଇଏସ୍‍ଆଇ ସ୍କିମ୍‍ ନିର୍ଦ୍ଦେଶାଳୟରେ ଥିବା ୬୪୯ଟି ପଦବୀ ମଧ୍ୟରୁ ୪୫୨ଟି ଖାଲି ପଡିଛି ।

ଚତୁର୍ଥଶ୍ରେଣୀ ପଦବୀରେ ବି ସ୍ଥିତି ଆହୁରି ଜଟିଳ । ଖୋଦ ଶ୍ରମ ନିର୍ଦ୍ଦେଶାଳୟରେ ଏହି ପାହ୍ୟାରେ ୧୫୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୧୨୧ଟି ପଦବୀ ଖାଲି ପଡିଥିବାବେଳେ ଇଏସ୍‍ଆଇ ସ୍କିମ୍‍ ନିର୍ଦ୍ଦେଶାଳୟରେ ଥିବା ୪୩୧ଟି ପଦବୀ ମଧ୍ୟରୁ ୩୫୫ଟିରେ କେହି ନାହାନ୍ତି । ବିଭାଗରେ ଥିବା ୧୩ଟି ଚତୁର୍ଥଶ୍ରେଣୀ ପଦବୀ ମଧ୍ୟରୁ ୮ଟି ପଦବୀ ଶୂନ୍ୟ ପଡିଛି ।

ଖାଲି ପଡୁଥିବା ପଦବୀ ପୂରଣ ହେଉନଥିବାରୁ ବିଭାଗ ଓ ନିର୍ଦ୍ଦେଶାଳୟ ଧିରେ ଧିରେ ପଙ୍ଗୁ ହେବାରେ ଲାଗିଛି । ଦୈନନ୍ଦିନ କାର୍ଯ୍ୟ ବ୍ୟାହତ ହେଉଛି । ତେବେ ଏହି ବିଭାଗର ମୁଖ୍ୟ କାର୍ଯ୍ୟ ହେଉଛି ବିଭିନ୍ନ ସ୍ଥାନରେ ତଦାରଖ ଓ ଚଢଉ କରିବା । ଏଥିପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଉପଲବ୍ଧ ହୋଇପାରୁ ନାହାନ୍ତି ।

ରାଜ୍ୟରେ ଶିଶୁଶ୍ରମିକ ବିଲୋପର ମୁଖ୍ୟ ଦାୟିତ୍ୱ ରହିଛି ଏହି ବିଭାଗ ହାତରେ । ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ସଂସ୍ଥା ଓ ଅନୁଷ୍ଠାନରେ ଚଢଉ କରି ସେମାନଙ୍କ ଉଦ୍ଧାର ଓ ଥଇଥାନ ବିଭାଗ କରିଥାଏ । ରାଜ୍ୟରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଅଛନ୍ତି ସେ ସଂକ୍ରାନ୍ତରେ ୨୭ବର୍ଷ ଧରି ସର୍ଭେ ହୋଇନଥିବାବେଳେ ଚଢଉ କିନ୍ତୁ ନିୟମିତ ଜାରି ରହୁଛି । ହେଲେ ଆବଶ୍ୟକ ସଂଖ୍ୟକ ଅଧିକାରୀ କିମ୍ବା କର୍ମଚାରୀ ନଥିବାରୁ ଯେଉଁ ହାରରେ ଚଢଉ ହେବାକଥା ତାହା ହୋଇପାରୁ ନାହିଁ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

କେବଳ ଶିଶୁ ଶ୍ରମିକ ନୁହେଁ, ବିଭିନ୍ନ କଳ କାରଖାନା, ବେସରକାରୀ ଦପ୍ତର ଆଦିରେ ମଧ୍ୟ ଶ୍ରମ ବିଭାଗ ତନଖି କର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା କରିଥାଏ । ହେଲେ ଦିନକୁ ଦିନ କର୍ମଚାରୀ ସଙ୍କଟ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି । ତେଣୁ ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖାଲି ପଡିଥିବା ପଦବୀଗୁଡିକୁ ପୂରଣ ଲାଗି ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)