ଭୁବନେଶ୍ୱର : ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ତରଫରୁ ନିର୍ବାଚିତ ପଚାଂୟତ ଜନ ପ୍ରତିନିଧି ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ସେମାନଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ନିମନ୍ତେ ପାରଦର୍ଶିତା ଓ ଦକ୍ଷତା ଥିବା ସଂସ୍ଥାମାନଙ୍କୁ ଚୟନ କରାଯାଇ ତାଲିକାଭୁକ୍ତ କରାଯିବା ସହ ଦାୟିତ୍ୱ ଦିଆଯାଇଛି ।
ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା , ନାଉଗାଁ , ଏର୍ସମା ଓ କୁଜଙ୍ଗ , ୪ ଗୋଚି ବ୍ଲକ୍ର ନିର୍ବାଚିତ ସରପଂଚ ଓ ସମିତି ସଭ୍ୟମାନଙ୍କୁ ତାଲିମ୍ ପ୍ରଦାନ ପାଇଁ ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.)କୁ ଦାୟିତ୍ୱ ଦିଆଯାଇଛି ।
ଉକ୍ତ ସଂସ୍ଥା ତରଫରୁ ବାଲିକୁଦା ବ୍ଲକ୍ର ପୁରଣ ଗ୍ରାମସ୍ଥିତ ସି.ଇ.ଡ଼ି.ର ଗ୍ରାମ୍ୟ ସାଧନ କେନ୍ଦ୍ର “ଭୂମି” ପରିସରରେ ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୯ ରିଖ ପର୍ଯ୍ୟନ୍ତ ଚାଲିବ ।
ବିଭାଗ ତରଫରୁ ନିର୍ଦ୍ଧାରିତ ପ୍ରଶିକ୍ଷଣ ସୂଚୀ ଅନୁଯାୟି ସେମାନଙ୍କୁ ୫ ଟି , ମୋ ସରକାର , ସଶକ୍ତ ଗ୍ରାମସଭା , ମଧ୍ୟାନଭୋଜନ , ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଗ୍ରାମପଂଚାୟତ ବିକାଶ ଯୋଜନା , ଆର୍ଥିକ ପରିଚାଳନା , ପାନୀୟଜଳ ଯୋଗାଣ , ସ୍ୱଚ୍ଛଭାରତ ମିଶନ, ମିଶନ ଶକ୍ତି , ସ୍ୱାସ୍ଥ୍ୟ , ପରିମଳ ,କୃଷି , ମତ୍ସ୍ୟପାଳନ ଅନ୍-ଲାଇନ ସେବା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମପଂଚାୟତର ଭୁମିକା ଆଦି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ପରିବେଶ ଓ ବିକାଶ କେନ୍ଦ୍ର (ସି.ଇ.ଡ଼ି.) ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ପ୍ରଦୀପ ହରିଚନ୍ଦନଙ୍କ ତତ୍ୱାବଧାନରେ ଏହି ତାଲିମ୍ କାର୍ଯ୍ୟକ୍ରମ ଜାରି ରହିଛି । ଶ୍ରୀ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଂଯୋଜକ ପି.କେ.ଦାସ ଏହି ତାଲିମ କାର୍ଯ୍ୟକ୍ରମୁ ସଫଳତାର ସହ ପରିଚାଳନା କରୁଛନ୍ତି ।