Home General ନ୍ୟାୟ ଅପେକ୍ଷାରେ କଟକ ମଦମୃତ୍ୟୁ କ୍ଷତିଗ୍ରସ୍ତ

ନ୍ୟାୟ ଅପେକ୍ଷାରେ କଟକ ମଦମୃତ୍ୟୁ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ବହୁଚର୍ଚ୍ଚିତ କଟକ ମଦମୃତ୍ୟୁ ଦୁର୍ଘଟଣାର ଇତିମଧ୍ୟରେ ୩୩ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ଶହସ୍ରାଧିକ ପରିବାର ଏଯାବତ୍‍ ନ୍ୟାୟ ପାଇପାରି ନାହାନ୍ତି । ୧୯୯୨ ମସିହା ମଇ ୭ ତାରିଖରେ ଘଟିଥିବା ଏହି ମଦମୃତ୍ୟୁ ଦୁର୍ଘଟଣାରେ ଶହସ୍ରାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଢେର ଅଧିକ ସଂଖ୍ୟକ ଲୋକ ଅକର୍ମଣ୍ୟ ହୋଇପଡିଥିଲେ । ତେବେ ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ଢେର କମ୍‍ ଦର୍ଶାଯାଇଥିବା ସେବେଠାରୁ କୁହାଯାଉଛି ।

କଟକ ମଦମୃତ୍ୟୁ ଦୁର୍ଘଟଣାର ଦୀର୍ଘଦିନ ପରେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ନାଥ ଦାସ ଓରଫ ବେଲୁକୁ କଲିକତାରୁ ଓଡ଼ିଶା ପୋଲିସ ନାଟକୀୟ ଭାବେ ଉଠାଇ ଆଣିଥିଲା । ଏହି ମଦମୃତ୍ୟୁ ଦୁର୍ଘଟଣା ସେ ସମୟରେ କେବଳ ଓଡ଼ିଶା କାହିଁକି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା ଏବଂ ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ସରକାରର ପତନର ଏହା ଅନ୍ୟତମ କାରଣ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଥାନ୍ତି ।

କଟକ ମଦମୃତ୍ୟୁ ଦୁର୍ଘଟଣାର ତଦନ୍ତ ଭାର କ୍ରାଇମ୍‍ବ୍ରାଞ୍ଚକୁ ସେତେବେଳେ ରାଜ୍ୟ ସରକାର ଦେଇଥିଲେ । କ୍ରାଇମ୍‍ବ୍ରାଞ୍ଚର ଜଣେ ବରିଷ୍ଠ ତଦନ୍ତକାରୀ ଅଧିକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଖାକି ପୋଷାକ ପରିହିତ ଅବକାରୀ ଓ ପୋଲିସ ବିଭାଗର କେତେକ କର୍ମଚାରୀ ଚୋରା ମଦ ବେପାରୀର ପୋଷା କୁକୁର ଭଳି କାମ କରୁଥିବାରୁ ସେ ତାହାର ଚୋରା ନିଶା ସାମ୍ରାଜ୍ୟ ବଢ଼ାଇବା ବେଳେ ଏମାନଙ୍କ ଉପସ୍ଥିତି ବି ଅନୁଭବ କରିପାରୁ ନଥିଲା ।

ଏହି ଘଟଣାର ପ୍ରଶାସନିକ ତଦନ୍ତ ଭାର ଦିଆଯାଇଥିଲା ତତ୍କାଳୀନ କେନ୍ଦ୍ରୀୟ ରାଜସ୍ୱ ଡିଭିଜନ୍‍ କମିଶନର ସୁଧାଂଶୁ ମୋହନ ପଟ୍ଟନାୟକଙ୍କୁ । ଶ୍ରୀ ପଟ୍ଟନାୟକ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ ଥାନା, ଫାଣ୍ଡିଠାରୁ ଅର୍ାରମ୍ଭ କରି ସରକାର ଚଳାଉଥିବା ବହୁ ବ୍ୟକ୍ତି ବିଶେଷ ଚୋରା ମଦ ବେପାରୀ ଠାରୁ ନିୟମିତ ବଟି ନେଉଥିଲେ ବୋଲି ।

ଏ ପ୍ରସଂଗରେ କଟକରେ ଜନଆନ୍ଦୋଳନ ଚାଲୁଥିବା ବେଳେ ସେତେବେଳର ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଂପାଦକ ପ୍ରହଲ୍ଲାଦ କୁମାର ସିଂହ ଏ ପ୍ରସଂଗରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ବନୱାରୀ ଲାଲ ହଂସାରିଆଙ୍କୁ ଏକ ଆବେଗଭରା ପତ୍ର ଲେଖିଥିଲେ । ଏହି ପତ୍ରକୁ ଓଡ଼ିଶା ହାଇକୋର୍ଟ ଜନସ୍ୱାର୍ଥ ସମ୍ବଳିତ ମାମଲା ଭାବେ ଗ୍ରହଣ କରିଥିଲେ । ଏହାଛଡ଼ା ଆଉ ଦୁଇଜଣ ଯୁବ ଓକିଲ ଜନମୋହନ ଦାସ ଓ ଅନୁକୂଳଚନ୍ଦ୍ର ପ୍ରଧାନ ମଧ୍ୟ ବିଧିବଦ୍ଧ ଭାବେ ଅଦାଲତରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ଲାଗି କହିଥିଲେ । ଏହି ରାୟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ରାଜ୍ୟ ସରକାର ରୁଜୁ କରିଥିବା ରିଭ୍ୟୁ ପିଟିସନ୍‍ ଖାରଜ ହେବା ପରେ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିଲା । ରାମ ଜେଠାମାଲାନୀ, ଜଷ୍ଟିସ୍‍ ଭି.ଏମ୍‍. ତାରକୁଣ୍ଡେଙ୍କ ଭଳି ବରିଷ୍ଠ ଆଇନ୍‍ଜୀବୀମାନେ ମାଗଣାରେ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ । ଏହି ମାମଲା ବିଚାରାଧୀନ ଥିବାବେଳେ ବିଧାନସଭାରେ ବିଧିବଦ୍ଧ ପ୍ରସ୍ତାବ ଆଣି ଓଡ଼ିଶା ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଥିଲେ ।

ଜଷ୍ଟିସ ବେହେରା କମିଶନ ପ୍ରାୟ ଦୁଇବର୍ଷ ଧରି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହ ବ୍ୟକ୍ତି ବିଶେଷ ଓ ଅଧିକାରୀମାନଙ୍କ ବୟାନ ରେକର୍ଡ କରି ଶେଷରେ ରାଜ୍ୟ ସରକାରଙ୍କୁ ଦେଇଥିବା ତାଙ୍କ ଦୀର୍ଘ ରିପୋର୍ଟରେ ଚୋରା ମଦ ବେପାରୀକୁ ସେତେବେଳର ଦୁଇଜଣ ମନ୍ତ୍ରୀଙ୍କ ସମେତ ୪ଜଣ ରାଜନେତା ପୃଷ୍ଠପୋଷକତା ଓ ସହାୟତା ଯୋଗାଉଥିବା ଉଲ୍ଲେଖ କରିବା ସଂଗେ ସଂଗେ ଏହା ରାଜନୀତିର ଅପରାଧିକରଣ ଓ ଅପରାଧର ରାଜନୀତିକରଣ ବୋଲି ସ୍ପଷ୍ଟ ମତ ରଖିଥିଲେ । କମିଶନ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଥିଲେ । ଏସବୁ ସତ୍ତ୍ୱେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ଏଯାବତ୍‍ ନ୍ୟାୟ ଓ ପର୍ଯ୍ୟାପ୍ତ କ୍ଷତିପୂରଣ ପାଇନଥିଲେ ମଧ୍ୟ ରାଜ୍ୟରେ ନିଶା ନିବାରଣ ଆନ୍ଦୋଳନର ଏହା ଥିଲା ଅନ୍ୟତମ ପୃଷ୍ଠଭୂମି । (ତଥ୍ୟ)