Home Election ନେତା, ସମର୍ଥକ କଲବଲ

ନେତା, ସମର୍ଥକ କଲବଲ

ଭୁବନେଶ୍ୱର : ପ୍ରାୟ ୪୦ ଡିଗ୍ରୀ ତାପମାତ୍ରାରେ ସାରା ଓଡିଶା ଭାଜି ହେଉଥିବାବେଳେ ତାହା ସହିତ ନିର୍ବାଚନ ପ୍ରଚାରର ଉଷ୍ମତା ଯୋଡିହୋଇ ନେତା ଓ ସମର୍ଥକମାନଙ୍କୁ କଲବଲ କରୁଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଚାରିଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଲୋକମତ ଇଭିଏମ୍‍ରେ ସିଲ୍‍ ହୋଇ ରହିଥିବାବେଳେ ଆସନ୍ତା ୨୦ତାରିଖରେ ଆଉ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନପାଇଁ ମତଗ୍ରହଣ ହେବାକୁ ଥିବାରୁ ରାଜନୈତିକ ଦବ୍‍ଦବା ହାସଲ ଲାଗି ସବୁ ଦଳ ଏବେ କର ବା ମର ସ୍ଥିତିରେ ଲଢେଇ କରୁଛନ୍ତି ।

କିଛି ଦିନ ତାପମାତ୍ରା କମ୍‍ ରହିବାପରେ ଏବେ ଗ୍ରାଷ୍ମ ପ୍ରଦାହ ବଢି ଚାଲି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକେ ଏକ ପ୍ରକାର ଗ୍ୟାସ ଚାମ୍ବର ଭିତରେ ରହିବା ଭଳି ସ୍ଥିତିରେ । କିନ୍ତୁ ଆସନ୍ତା ୫ବର୍ଷ ପାଇଁ କ୍ଷମତା ଉପଭୋଗ ନିଶାରେ ମତୁଆଲା ଦଳ ଓ ତାହାର ନେତାମାନେ କିନ୍ତୁ ତାପମାତ୍ରାକୁ ଖାତିର ନକରି ହେଲିକାପ୍ଟର ଓ ଶୀତତାପ ନିୟନ୍ତ୍ରିତ ଗାଡିରେ ଯାଇ କୁଲର ଲାଗିଥିବା ସଭାମଞ୍ଚରେ ଭାଷଣ ଦେଉଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ଦଳର ଏହି ନେତାମାନଙ୍କ ସଭାରେ ଜନଗହଳି ଦେଖାଇବାପାଇଁ ହଜାର ହଜାର ଲୋକଙ୍କୁ ବୁହାଯାଉଛି ।

ପ୍ରଚଣ୍ଡ ଖରା ତାତିରେ ଏମାନେ ସିଝି ସିଝି ନେତାଙ୍କ ଭାଷଣ ଜବରଦସ୍ତ ଶୁଣୁଛନ୍ତି ଏବଂ ସେମାନଙ୍କ ସ୍ୱରରେ ସ୍ୱର ମିଳାଇ ସ୍ଲୋଗାନ ଦେବାସହ ତାଳି ଓ ହୁଳହୁଳି ପକାଉଛନ୍ତି । ଅବଶ୍ୟ ବହୁ କ୍ଷେତ୍ରରେ ସଭାକୁ ବୁହାହୋଇ ଆସୁଥିବା ଲୋକମାନଙ୍କୁ ମୋଟା ଅଙ୍କର ଅର୍ଥ ମିଳିବା ସହ ଖାଦ୍ୟ ପାନୀୟର ବି ବ୍ୟବସ୍ଥା ହେଉଛି । ତେବେ ଅନେକ ଲୋକ ଆଜି ଜଣଙ୍କ ସଭାକୁ ଟଙ୍କା ନେଇ ଯାଉଥିବାବେଳେ କାଲି ଆଉ ଜଣଙ୍କ ସଭାକୁ ବି ଯାଉଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ଏବେ ପ୍ରତିଯୋଗିତା ଭିତ୍ତିରେ ଅନୁଷ୍ଠିତ ହେଉଥିବା ବର୍ଣର୍ାଢ୍ୟ ରୋଡ୍‍ ସୋ ପାଇଁ ମଧ୍ୟ ପ୍ରଚୁର ପଇସା ଖର୍ଚ୍ଚକରି ଲୋକ ଯୋଗାଡ କରାଯାଉଛି ଏବଂ ଗଣମାଧ୍ୟମରେ ଏହା ମଧ୍ୟ ପ୍ରଚାରିତ ହେଉଛି । ଅବଶ୍ୟ କିଛି ଦଳୀୟ ସମର୍ଥକ ଓ ଅନ୍ୟ କିଛି ସାଧାରଣଲୋକ ବିନା ଟଙ୍କାରେ ଉତ୍ସକତା ବଶତଃ ନିର୍ବାଚନୀ ସଭା ଓ ରୋଡ୍‍ ସୋଗୁଡିକୁ ଆସୁଛନ୍ତି ।

ରାଜ୍ୟରେ ତିନି ପ୍ରମୁଖ ରାଜନୈତିକଦଳର ଭାଷଣ ବାଜି ନିର୍ଦ୍ଦିଷ୍ଟ ପ୍ରକାରର ରହୁଛି । ଏବେ ଓଡିଶାକୁ ବିଜେପିର ସର୍ବାଧିକ ନେତାଙ୍କ ଦଉଡ ଛୁଟିଥିବାବେଳେ କଂଗ୍ରେସର କିଛି ଜାତୀୟ ନେତା ମଧ୍ୟ ବିଳମ୍ବରେ ହେଲେ ବି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ ଭି.କେ.ପାଣ୍ଡିଆନ ସର୍ବାଧିକ ସଭା ସମିତି ଓ ରୋଡ୍‍ ସୋର ମୁଖ୍ୟ ଆକର୍ଷଣ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସଭା ଓ ରୋଡ୍‍ ସୋରେ ବି ବେଶ୍‍ ଜନସମାଗମ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଡକ ଯୋଗାଯୋଗ ମନ୍ତ୍ରୀ ନିତିନ ଗଡକରି, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ସାଂସଦ ତଥା ଚଳଚିତ୍ର ଅଭିନେତ୍ରୀ ହେମା ମାଳିନୀଙ୍କ ସମେତ ରାଜସ୍ଥାନ, ଆସାମ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଜେପି ପାଇଁ ଧୂଆଁଧାର ପ୍ରଚାର କରୁଥିବାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଦଳର ସଭାପତି ମଲିକାର୍ଜୁନ ଖଡଗଙ୍କେ ସମେତ ଆଉ କିଛି ନେତା ବି ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ପରେ ୨୧ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ନେତାମାନେ ବି ଅନ୍ୟ ଦୁଇ ପର୍ଯ୍ୟାୟ ର୍ନିବାଚନ ପ୍ରଚାରରେ ଅଧିକ ସଂଖ୍ୟାରେ ଭାଗ ନେବେ । ନିର୍ବାଚନୀ ତାତି ସହ ତାଳଦେଇ ରାଜ୍ୟରେ ନିର୍ବାଚନୀ ହିଂସା ବଢିବା ଏବେ ଚିନ୍ତାର କାରଣ ହୋଇଛି । (ତଥ୍ୟ)