Home General ନେତାଙ୍କ ପରେ କର୍ମଚାରୀଙ୍କ ଦରମା ଆଶା ବଢିଲା

ନେତାଙ୍କ ପରେ କର୍ମଚାରୀଙ୍କ ଦରମା ଆଶା ବଢିଲା

ଭୁବନେଶ୍ୱର : ଓଡିଶାର ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ଆଦିଙ୍କ ଦରମା ଓ ଭତ୍ତା ପ୍ରାୟ ୩ଗୁଣ ବଢିଥିବାବେଳେ ସରକାରୀ କର୍ମଚାରୀ ଓ ଶ୍ରମଜୀବୀମାନେ ସେମାନଙ୍କ ବେତନ ଓ ମଜୁରୀ ଆନୁପାତିକ ହାରରେ ବୃଦ୍ଧି ପାଇବାରେ ବୋଲି ଆଶା ରଖିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ବିଧାନସଭାରେ ଆଗତ ବିଲ୍‍ ଆଧାରରେ ବିଧାନସଭାର ସଦସ୍ୟ ଓ ବାଚସ୍ପତି, ୁଉପବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଚେତକ ଆଦିଙ୍କ ବେତନ ଓ ଭତ୍ତା ଆଦି ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ବେତନ ଓ ଭତ୍ତା ପିଛିଲା ଭାବେ ୨୦୨୪ ଜୁନ୍‍ ୫ତାରିଖରୁ ଲାଗୁ ହେବ ଏବଂ ନିର୍ବାଚିତ ପ୍ରତିନିଧିମାନେ ପିଛିଲା ତାରିଖରୁ ଅବଶିଷ୍ଟ ପଇସା ମଧ୍ୟ ପାଇବେ । ଏବେ ବିଧାୟକମାନଙ୍କ ବେତନ ୩୫ହଜାରରୁ ୯୦ହଜାର ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ନିର୍ବାଚନମଣ୍ଡଳୀ ଭତ୍ତା ୨୦ ରୁ ୭୫ହଜାର ଟଙ୍କାକୁ, ଗସ୍ତ ଭତ୍ତା ୧୦ ରୁ ୫୦ହଜାର ଟଙ୍କାକୁ ବଢିଛି । ଏହାଛଡା ସେମାନଙ୍କ ପାଇଁ ଚିକିତ୍ସା ଭତ୍ତା, ସ୍ୱାସ୍ଥ୍ୟବୀମା, ଫୋନ୍‍ ଭତ୍ତା, ଖବରକାଗଜ କିଣିବାପାଇଁ ପଇସା ଆଦି ମଧ୍ୟ ସରକାର ବହନ କରିଥାନ୍ତି । ଏମିତିକି ବିଧାୟକମାନଙ୍କୁ ମଧ୍ୟ ବିଦ୍ୟୁତ୍‍ ବିଲ୍‍ ପଇଠରେ କମ୍‍ ଅର୍ଥ ଦେବାକୁ ପଡିଥାଏ ।

ପୂର୍ବତନ ବିଧାୟକମାନଙ୍କ ସର୍ବନିମ୍ନ ପେନ୍‍ସନ ୩୦ ହଜାରରୁ ୮୦ ହଜାର ଟଙ୍କାକୁ ବଢାଯାଇଛି । ଦିନଟିଏ ପାଇଁ ବିଧାୟକ ଥିଲେ ବି ଜଣେ ସର୍ବନିମ୍ନ ପେନ୍‍ସନ ପାଇପାରିବେ । ଯେଉଁମାନେ ୫ବର୍ଷରୁ ଅଧିକ ସମୟ ଧରି ବିଧାୟକ ରହିଛନ୍ତି ସେମାନଙ୍କୁ ଅଧିକ ପ୍ରତ୍ୟେକ ବର୍ଷ ଲାଗି ଆଉ ୩୦୦୦ ଟଙ୍କା କରି ଅଧିକ ପେନ୍‍ସନ ମିଳିବ । ଏମାନଙ୍କ ପାଇଁ ବି ଚିକିତ୍ସା ଭତ୍ତା, ସ୍ୱାସ୍ଥ୍ୟବୀମା, ଗସ୍ତଖର୍ଚ୍ଚ ଆଦିର ବ୍ୟବସ୍ଥା ଅଛି । ପ୍ରଥମଥର ନିର୍ବାଚିତ ହୋଇ ମୃତ୍ୟୁବରଣ କରିଥିବା ବିଧାୟକଙ୍କ ପରିବାରକୁ ଏକାକଳୀନ ଅନୁକମ୍ପା ରାଶି ୨୫ଲକ୍ଷ ଟଙ୍କା ଦେବାଲାଗି ମଧ୍ୟ ନୂଆ ବ୍ୟବସ୍ଥାରେ ରହିଛି ।

ବାଚସ୍ପତିଙ୍କ ବେତନ ୪୦,୫୦୦ ରୁ ୯୮ ହଜାର ଟଙ୍କାକୁ ବଢିଥିବାବେଳେ ତାଙ୍କର ଗାଡି ଭତ୍ତା ୧୭ ହଜାର ଟଙ୍କାରୁ ୮୯ ହଜାର ଟଙ୍କା ଏବଂ ଅତିଥିଚର୍ଚ୍ଚା ଭତ୍ତା ୪୦ ହଜାରରୁ ୧ଲକ୍ଷ ୮୧ହଜାର ଟଙ୍କାକୁ ବଢାଯାଇଛି । ଏହାଛଡା ବାଚସ୍ପତି, ଉପବାଚସ୍ପତି, ସଚେତକ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଲାଗି ବି ଆଉ କେତେକ ଭତ୍ତା ରହିଛି ।

ଉପବାଚସ୍ପତିଙ୍କ ମାସିକ ବେତନ ୩୮ହଜାରରୁ ୯୪ ହଜାର ଟଙ୍କାକୁ ବଢାଯାଇଥିବାବେଳେ ତାଙ୍କ ମୋଟରଗାଡି ଭତ୍ତା ବି ୧୭ ରୁ ୮୫ହଜାର ଓ ଅତିଥି ଚର୍ଚ୍ଚା ଭତ୍ତା ୪୦ହଜାର ଟଙ୍କାରୁ ୧ଲକ୍ଷ ୭୭ ହଜାର ଟଙ୍କାକୁ ବଢାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ମାସିକ ବେତନ ୪୧ ହଜାରରୁ ୧ଲକ୍ଷ ଟଙ୍କାକୁ ବଢାଯାଇଥିବାବେଳେ ତାଙ୍କର ଯାନବାହାନ ଭତ୍ତା ୧୭ ହଜାରରୁ ୯୧ ହଜାର ଟଙ୍କା ଓ ଅତିଥି ଚର୍ଚ୍ଚା ଭତ୍ତା ମଧ୍ୟ ୪୦ହଜାର ଟଙ୍କାରୁ ୧ଲକ୍ଷ ୮୩ହଜାର ଟଙ୍କାକୁ ବଢିଛି ।

ଉପମୁଖ୍ୟମନ୍ତ୍ରୀମାନେ ଏଣିକି ସେମାନଙ୍କ ବେତନ ୪୦,୫୦୦ ପରିବର୍ତ୍ତେ ମାସିକ ୯୮ହଜାର ଟଙ୍କା ପାଇବେ ଓ ଏହାଛଡା ୮୯ହଜାର ଟଙ୍କାର ଯାନବାହାନ ଭତ୍ତା ଓ ୧ଲକ୍ଷ ୮୧ହଜାର ଟଙ୍କା ଅତିଥିଚର୍ଚ୍ଚା ଭତ୍ତା ମଧ୍ୟ ପାଇପାରିବେ । କ୍ୟାବିନେଟ୍‍ ମନ୍ତ୍ରୀମାନଙ୍କ ମାସିକ ବେତନ ୪୦ ରୁ ୯୬ ହଜାର ଟଙ୍କାକୁ ବଢିଥିବାବେଳେ ମୋଟର ଗାଡି ଭତ୍ତା ୧୭ ରୁ ୮୭ ହଜାରକୁ ଏବଂ ଅତିଥି ଚର୍ଚ୍ଚା ଭତ୍ତା ୪୦ ହଜାରରୁ ୧ଲକ୍ଷ ୭୯ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ମୋଟାମୋଟି ଭାବେ ବିଧାୟକମାନେ ବେତନ ଓ ଭତ୍ତା ଆକାରରେ ମାସକୁ ପ୍ରାୟ ୩ଲକ୍ଷ ଟଙ୍କା କରି ପାଇବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବି ମାସକୁ ପ୍ରାୟ ୪ଲକ୍ଷ ଟଙ୍କା ପାଇବେ । ଏହାଛଡା ସେମାନଙ୍କ ପାଇଁ ଆଉ କେତେକ ସ୍ୱତନ୍ତ୍ର ସୁବିଧା ସୁଯୋଗ ବି ରହିଛି । ବିଧାୟକମାନଙ୍କର ଗାଡି କିଣା ଅଗ୍ରୀମ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢାଯାଇଛି ।ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ ବେତନ କମିଶନଙ୍କ ରିପୋର୍ଟ ଆସିବାପରେ ସେମାନଙ୍କ ବେତନ ଓ ଶ୍ରମିକମାନଙ୍କ ମଜୁରୀ ମଧ୍ୟ ଆନୁପାତିକ ହାରରେ ବଢିବ ବୋଲି । (ତଥ୍ୟ)