ପୁରୀ : ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳ ମଧ୍ୟରେ ରହିଥିବା ଅସନ୍ତୋଷକୁ ପ୍ରସମିତ କରିବା ଏବଂ ସରକାର ଓ ଦଳ ସମାନ୍ତରାଳ ଭାବେ ଚାଲିବା ନେଇ ବିଧାୟକ, ସାଂସଦ, ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବ୍ୟକ୍ତିତ୍ୱରେ ସୁଧାରି ଆଣି ତୃଣମୂଳ ସ୍ତରରେ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା। ଏଥିପାଇଁ ସେ ଦଳର ନେତା, ବିଧାୟକ ଓ ସାଂସଦଙ୍କୁ ୧୪ସୂତ୍ରୀ ମନ୍ତ୍ର ଦେଇଛନ୍ତି।
ଗ୍ରୁପଜିମ୍ କି ଚାପୁଲିସି ନକରି ଏକ ହୋଇ ରହିବାକୁ ପଢ଼ାଇଲେ ପାଠ। କହିଲେ କ୍ୟାମେରା ଲେନ୍ସ ପାଖକୁ ଯାଅନି, ଏମିତି କାମ କର ଯେମିତି ତୁମ ପାଖକୁ ଲେନ୍ସ ଆସିବ। ବିଧାୟକ, ସାଂସଦ କି ମନ୍ତ୍ରୀ ବୋଲି ଗର୍ବ-ଅହଂକାର ଛାଡ଼। ପ୍ରଥମେ ନିଜର ବ୍ୟକ୍ତିତ୍ୱ ବନାଅ, ଅଙ୍ଗନବାଡି କେନ୍ଦ୍ର ଓ ମେଡିକାଲକୁ ଯାଇ ଅଧେ ଘଣ୍ଟା ଲେଖାଏଁ ବସ। ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ। ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ। ସରକାର ସହ ସଂଗଠନକୁ ନେଇକି ଚାଲ। ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ କିଛି ଏମିତି ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ପ୍ରଶିକ୍ଷଣ ଶିବିରରେ ଘଣ୍ଟାଏରୁ ଅଧିକ ସମୟ ଧରି ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନଙ୍କ କ୍ଲାସ ନେଇଥିଲେ ନଡ୍ଡା। ସରକାର, ସଂଗଠନ ଏବଂ ସୁସଂପର୍କ ଉପରେ ଗୁରୁତ୍ୱ ଦେଇଥିଲେ। କହିଥିଲେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଭଲ ଭାବେ ବୁଝି ଲୋକଙ୍କୁ ବୁଝାଅ। ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ। ଏମିତିକି ଅଙ୍ଗନବାଡି ଏବଂ ମେଡିକାଲରେ ଯାଇ ସମୟ ବିତାଅ। ନିଜ ନିଜ ଅଞ୍ଚଳର ଦଳିତ ପରିବାର ସହ ସମ୍ପର୍କ ରଖି ତାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କର।
ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରଭାରୀ, ସହ ପ୍ରଭାରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ। ବିଜେପିର ସମସ୍ତ ବିଧାୟକ ଏବଂ ସାଂସଦ ଏଥିରେ ଯୋଗ ଦେଇଥିଲେ। ଦ୍ଵିତୀୟ ସେସନରେ ନଡ୍ଡାଙ୍କ ପରେ ସୋସିଆଲ ମିଡ଼ିଆ ସେସନ ନେଇଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ସୋସିଆଲ ମିଡ଼ିଆରେ ବିରୋଧୀଙ୍କୁ କେମିତି କାଉଣ୍ଟର କରାଯିବ, ଏହାସହ ସରକାରଙ୍କ ଲୋକାଭିମୁଖୀ ଯୋଜନା କେମିତି ପ୍ରଚାର ପ୍ରସାର ହେବ ସେ ନେଇ ଶିକ୍ଷା ଦେଇଥିଲେ ସମ୍ବିତ । ଆଉ ତୃତୀୟ ସେସନ୍ ରେ ‘ସଂକଳ୍ପରୁ ସିଦ୍ଧି ଓ ମୋଦିଙ୍କ ବିକଶିତ ଭାରତର ପରିକଳ୍ପନା’ ଉପରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଥିଲେ ଚତୁର୍ଥ ସେସନ୍ । ଆଜି ୪ଟି ସେସନରେ ନେତା ପାଠ ପଢ଼ିଥିବା ବେଳେ ଆସନ୍ତାକାଲି 4ଟି ସେସନ ରହିଛି। ଆସନ୍ତାକାଲି ରାଷ୍ଟ୍ରୀୟ ସହ-ସାଧାରଣ ସଂପାଦକ ସଂଗଠନ ଭି. ସତୀଶ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ, ସଂଗଠନ ବିଏଲ ସନ୍ତୋଷ ଯୋଗଦେଇ ଗୋଟିଏ ଗୋଟିଏ ସେସନ ନେବେ ।