Home Assembly ନେତାଙ୍କୁ ଘର ପାଇଁ ସ୍ୱଷ୍ଟ ନୀତି ହେଉ

ନେତାଙ୍କୁ ଘର ପାଇଁ ସ୍ୱଷ୍ଟ ନୀତି ହେଉ

ଭୁବନେଶ୍ୱର : ମନ୍ତ୍ରୀ ଓ ବିଧାୟକମାନଙ୍କ ପାଇଁ ରାଜଧାନୀରେ ସରକାରୀ ବାସଗୃହ ଯୋଗାଇବା କ୍ଷେତ୍ରରେ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଦାବି ହେଉଛି । ବିଧାୟକମାନଙ୍କ ପାଇଁ ଏମଏଲଏ କଲୋନୀ ଥିବାବେଳେ ବହୁ ବିଧାୟକ ବିଭିନ୍ନ ୟୁନିଟ୍‍ରେ ସରକାରୀ ଅଫିସରମାନଙ୍କ ପାଇଁ ଥିବା ବଙ୍ଗଳାରେ ରହିବାକୁ ପ୍ରସନ୍ଦ କରୁଥିବାରୁ ସମସ୍ୟା ଉତ୍କଟତର ହେଉଛି । ଏପରିପ୍ରେକ୍ଷୀରେ ସଂସଦ ଢାଞ୍ଚାରେ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କୁ ନେଇ ଗୃହ କମିଟି ମାଧ୍ୟମରେ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ କ୍ୱାଟର୍ସ ଯୋଗାଇବାପାଇଁ ମତପ୍ରକାଶ ପାଉଛି ।

ବିଧାନସଭା ନିକଟରେ ଥିବା ଏମଏଲ୍‍ଏ କଲୋନୀର ଏକ ମହଲା କ୍ୱାଟର୍ସଗୁଡିକ ସମ୍ପ୍ରସାରିତ କରାଯାଇଥିଲେ ମଧ୍ୟ ଏଠାରେ ବହୁତଳ ବିଶିଷ୍ଟ ବଙ୍ଗଳାମାନ ନିର୍ମାଣ କରିବାପାଇଁ ଏହି କ୍ୱାଟର୍ସଗୁଡିକୁ ଭାଙ୍ଗି ଦିଆଯାଇଛି । ତେବେ ଫ୍ଲାଟ କ୍ୱାଟର୍ସଗୁଡିକରେ ଅନ୍ୟୁନ ୮୦ଜଣ ବିଧାୟକ ରହିବା ଭଳି ବ୍ୟବସ୍ଥା ଥିଲେ ମଧ୍ୟ ଅତୀତରେ କେତେକ ମନ୍ତ୍ରୀ ଓ ବିଧାୟକ ୟୁନିଟ୍‍ମାନଙ୍କରେ କ୍ୱାଟର୍ସ ରଖିବା ସହିତ ଏମଏଲ୍‍ଏ କଲୋନୀରେ ବି ଏକାଧିକ ଘର ଦଖଲକରି ରଖିଛନ୍ତି ।

ବିଧାୟକ ଓ ମନ୍ତ୍ରୀମାନଙ୍କ ଭିତରୁ କେଉଁମାନେ ଏମଏଲଏ କଲୋନୀରେ ଓ ଆଉ କେଉଁମାନେ ବିଭିନ୍ନ ୟୁନିଟ୍‍ରେ କେଉଁ ଟାଇପ୍‍ର କ୍ୱାଟର୍ସ ପାଇବେ ସେଥିଘେନି ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇ କଡାକଡି ଭାବେ ତାହାର ଅନୁପାଳନ କରାଗଲେ କ୍ୱାଟର୍ସ ସମସ୍ୟା ରୁହନ୍ତା ନାହିଁ ।

ମନ୍ତ୍ରୀମଣ୍ଡଳରୁ ବିଦା ହେବାପରେ ବହୁ ପୂର୍ବତନ ମନ୍ତ୍ରୀ ବର୍ଷ ବର୍ଷ ଧରି ମନ୍ତ୍ରୀ ହିସାବରେ ପାଇଥିବା ବଡ ବଡ ବଙ୍ଗଳା ଛାଡୁ ନାହାନ୍ତି । ଏମିତିକି ୨୦୧୯ରୁ ବିଧାୟକ ନଥିବା କେତେକ ରାଜନେତା ବି ୨୦୧୪ ନିର୍ବାଚନ ପରେ ବିଧାୟକ ଭାବେ ପାଇଥିବା କ୍ୱାଟର୍ସ ଖାଲିନକରି ଏଯାବତ୍‍ ମାଡିବସିଛନ୍ତି । ଏମାନଙ୍କ ଛଡା ବିଧାୟକ ନଥିବା ଅନେକ ରାଜନେତାଙ୍କ କବ୍‍ଜାରେ ବି ରାଜଧାନୀରେ ବହୁ ସରକାର କ୍ୱାଟର୍ସ ରହିଛି । ସାଂସଦମାନଙ୍କ ଲାଗି ଦିଲ୍ଲୀରେ କ୍ୱାଟର୍ସ ମିଳୁଥିଲେ ବି ଓଡିଶାର କେତେକ ସାଂସଦ ଦିଲ୍ଲୀ ସହିତ ଭୁବନେଶ୍ୱରରେ ବି ସରକାରୀ କ୍ୱାଟର୍ସ ରଖିଛନ୍ତି ।

ଇତି ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ଓ ବିଧାନସଭା ସଚିବାଳୟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କୁ କ୍ୱାଟର୍ସ ଛାଡିବାକୁ ନୋଟିସ୍‍ ଜାରି କରାଯାଇଥିଲେ ବି ବଡ ବଡ ବଙ୍ଗଳାରେ ବର୍ଷ ବର୍ଷ ଧରି ଚଳିବାରେ ଅଭ୍ୟସ୍ତ ହୋଇଯାଇଥିବା ରାଜନୀତିକ ବାବୁମାନେ ବଡ ଭଡାଘର ଖୋଜୁଛନ୍ତି ।

ଏବେ ରାଜଧାନୀର କେଉଁ ୟୁନିଟ୍‍ରେ କେଉଁ କେଉଁ ସରକାରୀ ଘର ସବୁ ଖାଲି ରହିଛି ତାହାର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଉଛି । ଏହାଛଡା ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କୁ କ୍ୱାଟର୍ସରୁ ବିଦା କରି ସେମାନଙ୍କ ସ୍ଥାନରେ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରଖିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କେତେକ ମନ୍ତ୍ରୀ ଓ ବିଧାୟକ ମନ ପସନ୍ଦର କ୍ୱାଟର୍ସ ବୁଲି ବୁଲି ଖୋଜୁଛନ୍ତି ।

ଗତ ସରକାରରେ ମନ୍ତ୍ରୀ ଥିବା କେତେକ ନେତା ହାରି ଯାଇଥିବାବେଳେ ଆଉ କେତେକ ଜିଣିଛନ୍ତି । ତେବେ ବିଧାୟକ ଭାବେ ଏମାନଙ୍କୁ ଛୋଟ କାଟର ସରକାରୀ କ୍ୱାଟର୍ସ ଦିଆଯିବ କିମ୍ବା ପୂର୍ବରୁ ରହୁଥିବା ଟାଇପ୍‍ ୮ ଓ ୭ ବଙ୍ଗଳାମାନଙ୍କରେ ପୂର୍ବବତ୍‍ ରହିବାକୁ ଅନୁମତି ମିଳିବ ସେଥିଘେନି ଏଯାବତ୍‍ କିଛି ନୀତିଗତ ନିଷ୍ପତ୍ତି ହୋଇନାହିଁ । ଚଳିତମାସ ୨୨ତାରିଖରୁ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ କ୍ୱାଟର୍ସ ଯୋଗାଇନଦେଲେ ସୋମନଙ୍କ କାମ କରିବାରେ ଅସୁବିଧା ରହିପାରେ । ଏଠାରେ ଉଲ୍ଲେଖନୀୟ ଏବେ ସଂଖ୍ୟାଧିକ ନବ ନିର୍ବାଚିତ ବିଧାୟକ ଓ ନୂଆ ମନ୍ତ୍ରୀମାନେ ରାଜ୍ୟ ଅତିଥିଭବନ ସମେତ ସର୍କିଟହାଉସ୍‍ ଓ ଡାକ ବଙ୍ଗଳା ଆଦିରେ ଅସ୍ଥାୟୀଭାବେ ରହୁଛନ୍ତି । (ତଥ୍ୟ)