Home MSME ନୂଆ ସରାକରଙ୍କ ପାଇଁ ଏମଏସଏମଇ ଆହ୍ୱାନ

ନୂଆ ସରାକରଙ୍କ ପାଇଁ ଏମଏସଏମଇ ଆହ୍ୱାନ

ଭୁବନେଶ୍ୱର : ଉଦ୍ୟୋଗ ପ୍ରତିଷ୍ଠା ଲାଗି ଯୁବକ ଯୁବତୀମାନଙ୍କୁ ବ୍ୟାଙ୍କମାନେ ସହଜରେ ଋଣ ପ୍ରଦାନ କରୁନାହାନ୍ତି । ଏଥିପାଇଁ ଯେତିକି ଆବେଦନ ପଡୁଛି ସେଥିରୁ ୧୦ ପ୍ରତିଶତକୁ ବି ଋଣ ମିଳୁନଥିବାରୁ ରାଜ୍ୟରେ ଆତ୍ମନିଯୁକ୍ତି ଯୋଜନା ଏବେ ନୂଆ ସରାକରଙ୍କ ପାଇଁ ଏକ ଆହ୍ୱାନ ଭାବେ ଛିଡାହୋଇଛି ।

ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କ ପିଏମଇଜିପି, ପିଏମ୍‍ଏଫ୍‍ଏମ୍‍ଇ, ମୁଦ୍ରା, ଷ୍ଟାଣ୍ଡ୍‍ ଅପ୍‍ ଇଣ୍ଡିଆ ଆଦି ଯୋଜନାରେ ଋଣ ଯୋଗାଇ ଦିଆଯାଇଥାଏ । ତେବେ ଏଥିପାଇଁ ଆଗ୍ରହୀ ଯୁବକ ଯୁବତୀମାନେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସହିତ ଜିଲ୍ଲା ଶିଳ୍ପକେନ୍ଦ୍ର ନିକଟରେ ଆବେଦନ କରିଥାନ୍ତି । ପରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏହାକୁ ଅନୁମୋଦନ କରାଯାଇ ଉଲ୍ଲେଖଥିବା ବ୍ୟାଙ୍କ୍‍ଗୁଡିକ ନିକଟକୁ ପଠାଇଥାନ୍ତି ।

ଏହି ସୁପାରିଶ୍‍ ପତ୍ର ପାଇବା ପରେ ବ୍ୟାଙ୍କ୍‍ଗୁଡିକ ଆଗ୍ରହୀ ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ କରିବାକଥା । ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରତିବର୍ଷ ହଜାର ହଜାର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସୁପାରିଶ୍‍ କରୁଥିବାବେଳେ ହାତଗଣତି କେଇ ଜଣଙ୍କୁ ଋଣ ମିଳିପାରୁଛି । ୨୦୧୭-୧୮ ମସିହାରେ ଶିଳ୍ପକେନ୍ଦ୍ରଗୁଡିକ ୧୪ହଜାରରୁ ଅଧିକ ଆବେଦନ ବ୍ୟାଙ୍କ୍‍ଗୁଡିକୁ ପଠାଇଥିବାବେଳେ ୩ହଜାରରୁ କମ୍‍ ଆବେଦନକୁ ବ୍ୟାଙ୍କ୍‍ମାନେ ଋଣ ଯୋଗାଇଥିଲେ । ସେହିଭଳି ୨୦୧୯-୨୦ ବର୍ଷରେ ୧୧ହଜାରରୁ ଅଧିକ ସୁପାରିଶ୍‍ ହୋଇଥିବାବେଳେ ୨୭୧୭ ଜଣଙ୍କୁ ବ୍ୟାଙ୍କ୍‍ମାନେ ଋଣ ପ୍ରଦାନ କରିଥିଲେ ।

ସେହିଭଳି ୨୦୨୧-୨୨ ବର୍ଷରେ ରାଜ୍ୟରେ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପାଖାପାଖି ୨୦ହଜାର ଆବେଦନ ପଡିଥିବାବେଳେ କର୍ତ୍ତୃପକ୍ଷ ୧୯ହଜାର ଜଣଙ୍କୁ ଋଣ ଦେବାପାଇଁ ସୁପାରିଶ୍‍ କରିଥିଲେ । ହେଲେ ବ୍ୟାଙ୍କ୍‍ମାନେ ମାତ୍ର ୫ହଜାର ଜଣଙ୍କୁ ଋଣ ଦେଇଥିଲେ ।

ରାଜ୍ୟରେ ୩୦ରୁ ଅଧିକ ରାଷ୍ଟ୍ରାୟତ, ଘରୋଇ ବ୍ୟାଙ୍କ୍‍ ସହିତ ସମବାୟ ବ୍ୟାଙ୍କ୍‍ ରହିଛି । ଏମାନେ ଅନ୍ୟାନ୍ୟ କ୍ଷେତ୍ର ବିଶେଷକରି ଗୃହ ନିର୍ମାଣ, ଗାଡି କିଣା, ଘର ସାଜସଜ୍ଜା ଆଦିପାଇଁ ଋଣ ଯୋଗାଇବାକୁ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ସେଭଳି ଆଗ୍ରହ ଏମଏସଏମ୍‍ଇ ପାଇଁ ଦେଖାଉ ନାହାନ୍ତି । ଅନେକ ଆଗ୍ରହୀ ଉଦ୍ୟୋଗ ବ୍ୟାଙ୍କ୍‍କୁ ଦଉଡି ଦଉଡି ହତାଶ ହେବାପରେ ଏ କ୍ଷେତ୍ରରୁ ଦୂରେଇ ଯାଉଛନ୍ତି ନଚେତ୍‍ ରାଜ୍ୟ ଛାଡି ଅନ୍ୟତ୍ର କାମ ଅନ୍ୱେଷଣରେ ପଳାଇ ଯାଉଛନ୍ତି ।

ରାଜ୍ୟରେ ଏମ୍‍ଏସଏମଇ ପାଇଁ ପର୍ଯ୍ୟାପ୍ତ ପରିମାଣ କଞ୍ଚାମାଲ ଥିବାବେଳେ ସେହି ଅନୁଯାୟୀ ଉଦ୍ୟୋଗ ପ୍ରତିଷ୍ଠା ହେଉନାହିଁ । ଫଳରେ ରାଜ୍ୟରେ ଏ କ୍ଷେତ୍ରରେ ନିଯୁକ୍ତି ହାର ହ୍ରାସ ପାଉଛି । ତେବେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉପରେ କେନ୍ଦ୍ର ସରକାର ଜୋର ଦେବା ସହିତ ଅଧିକାଂଶ ଯୋଜନା କେନ୍ଦ୍ରର ଅଟେ । ସେହିଭଳି ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ଉପରେ କେନ୍ଦ୍ର ସରକାରଙ୍କର କର୍ତ୍ତୃତ୍ୱ ରହିଛି । ବର୍ତ୍ତମାନ ରାଜ୍ୟରେ ବେକାରୀ ହ୍ରାସ ନୂଆ ସରକାରଙ୍କ ପାଇଁ ଆହ୍ୱାନ ହୋଇଥିବାବେଳେ ବ୍ୟାଙ୍କ୍‍ମାନେ କିଭଳି ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ କରିବେ ତାହା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି । (ତଥ୍ୟ)