Home News in Odia ନୂଆ ରେଳ ଲାଇନ୍‍ର ଡିପିଆର ଚୂଡାନ୍ତ

ନୂଆ ରେଳ ଲାଇନ୍‍ର ଡିପିଆର ଚୂଡାନ୍ତ

ଭୁବନେଶ୍ୱର : ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ୧୧୬ କିଲୋମିଟର ଦୈର୍ଘ୍ୟର ନୂତନ ରେଳଲାଇନ୍‍ ପାଇଁ ସ୍ଥାନ ଚିହ୍ନଟ ସର୍ବେକ୍ଷଣ ଏବଂ ଡିପିଆର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନବରଙ୍ଗପୁର ସାଂସଦ ରମେଶ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ଡିପିଆର ଅନୁଯାୟୀ ଏହି ପ୍ରକଳ୍ପର ବ୍ୟୟଭାର ୨୦୨୨-୨୩ ରେ ୨୮୬୪.୫୧ କୋଟି ଥିଲା । ବର୍ତ୍ତମାନ ଏହି ପ୍ରକଳ୍ପ ମଞ୍ଜୁର ହୋଇନାହିଁ, ତେଣୁ ଏହାର କାର୍ଯ୍ୟ ଏବଂ ପାଣ୍ଠି ଆବଣ୍ଟନ ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏହି ବହୁ ଆଙ୍କାକ୍ଷିତ ପ୍ରକଳ୍ପର ବିଳମ୍ବ ନେଇ ମନ୍ତ୍ରୀ କହିଛନ୍ତି ଯେ କୌଣସି ରେଳ ପ୍ରକଳ୍ପର ଚୂଡାନ୍ତ ହେବା ବିଭିନ୍ନ ଦିଗ ଉପରେ ନିର୍ଭର କରିଥାଏ । ଯେପରିକି ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗ ଦ୍ୱାରା ଅନୁମତି, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ବୈଧାନିକ ଅନୁମତି, ସ୍ଥାନୀୟ ଅଞ୍ଚଳର ଭୌଗଳିକ ସ୍ଥିତି, ଆଇନଶୃଙ୍ଖଳା ପରସ୍ଥିତି ଆଦି ରହିଛି ।

ରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରୀ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ରେଳ ମନ୍ତ୍ରଣଳାୟ ପକ୍ଷରୁ ଗତିଶକ୍ତି ନିର୍ଦ୍ଦେଶାଳୟ ସ୍ଥାପନ ସହିତ ବିଭିନ୍ନ ଡିଭିଜନରେ ରେଳ ଶକ୍ତି ୟୁନିଟ୍‍ ଗଠନ ହୋଇଛି । ପ୍ରକଳ୍ପକୁ ଅଗ୍ରାଧିକାର ଦେବା ସହିତ ଆବଶ୍ୟକ ସ୍ଥଳେ ପାଣ୍ଠି ବୃଦ୍ଧି କରାଯାଉଛି । ସେହିଭଳି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ବିଭିନ୍ନ ସ୍ତରରେ ନିୟମିତ ସମୀକ୍ଷା କରାଯାଉଛି ।

କଳାହାଣ୍ଡି ଓ ନବରଙ୍ଗପୁର ଲୋକଙ୍କ ମଧ୍ୟରେ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତି ସମ୍ପର୍କ ଅତି ଘନିଷ୍ଠ ହୋଇଥିବାରୁ ୨୦୨୧ରେ ରେଳମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଆସିଥିବାବେଳେ ସେମାନେ ଏହି ରେଳ ଲାଇନ୍‍କୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ପାଇଁ କହିଥିଲେ । ତଦନୁଯାୟୀ ଏହି ନୂତନ ଲାଇନ୍‍ ଜୁନାଗଡ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି ।

ଜୁନାଗଡ ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ୧୧୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ୍‍ କୋକସରା, ଆମପାଣି ଏବଂ ଆମପାଣିଘାଟ ଯିବ ଏବଂ ସେଠାରୁ ବୋରିଆପଦର, ଧନସୁଳି ଏବଂ ପାପଡାହାଣ୍ଡି ଦେଇ ନବରଙ୍ଗପୁର ପର୍ଯ୍ୟନ୍ତ ଯିବ । ୨୬ ନମ୍ବର ଜାତୀୟ ରାଜପଥ ସହିତ ଏହା ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବ । (ତଥ୍ୟ)