Home Administration ନୂଆ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସଜଡ଼ା

ନୂଆ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସଜଡ଼ା

ଭୁବନେଶ୍ୱର : ରାଜ୍ୟ ସଚିବାଳୟର ତୃତୀୟ ମହଲାରେ ଏବେ ତିନିଦିନ ଧରି ଜୋର୍‍ଦାର କାମ ହେଉଛି । ଜୁନ୍‍ ୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣାରୁ ବିଜେପି ସରକାର ଗଢିବା ସ୍ପଷ୍ଟ ହୋଇଯିବାପରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜନ ଚାଲିଛି ।

କ୍ଷମତାର ପ୍ରାଣକେନ୍ଦ୍ର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କାର୍ଯ୍ୟରେ ପୂର୍ତ୍ତ ବିଭାଗ ପୂର୍ଣ୍ଣ ପ୍ରାଣରେ ଲାଗିଛି । ସାଧାରଣ ପ୍ରଶାସନ ଓ ସଂସଦୀୟ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଟର ଚୌକି, ଟେବୁଲ, କମ୍ପ୍ୟୁଟର ଠାରୁ ଆରମ୍ଭ କରି ସମସ୍ତ ସାଜସରଞ୍ଜାମ ବଦଳା ଯାଉଛି ।

ଏମିତିକି ଏହି ପ୍ରକୋଷ୍ଠର ସମ୍ପୂର୍ଣ୍ଣ ନବୀକରଣ ହେଉଛି । ପୁରୁଣା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଗୁଡିକୁ ମଧ୍ୟ ଇତିମଧ୍ୟରେ ହଟାଇ ଦିଆଯାଇ ନୂଆ ଏସି ଖଞ୍ଜା ଗଲାଣି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଚଟାଣଠାରୁ ଆରମ୍ଭ କରି କାନ୍ଥ ଓ ଛାତ ପର୍ଯ୍ୟନ୍ତ ସବୁର ଚିତ୍ର ବଦଳାଯାଉଛି । ଏହି ପ୍ରକୋଷ୍ଠ ଭିତରୁ ନୂଆ ମୁଖ୍ୟମନ୍ତ୍ରୀ ଯେଭଳି କେନ୍ଦ୍ର ଏବଂ ସମଗ୍ର ରାଜ୍ୟ ସହ ଯୋଗାଯୋଗ କରିପାରିବେ ସେଥିଲାଗି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିକଟରେ ଥିବା କ୍ୟାବିନେଟ୍‍ ବୈଠକ ଗୃହ, ଅତିଥିମାନଙ୍କ ଅପେକ୍ଷା ଗୃହ ଏବଂ ସଭାଗୃହଆଦିକୁ ବି ଯୁଦ୍ଧକାଳୀନ ଭିତ୍ତିରେ ନୂଆ ରୁପ ଦିଆଯାଉଛି । ଏହାଛଡା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀମାନଙ୍କ ଲାଗି ଥିବା ପ୍ରକୋଷ୍ଠ ଗୁଡିକୁ ବି ସଜା ଯାଉଛି ।

ଏହି କ୍ରମରେ ଅନ୍ୟ ମହଲରେ ଥିବା ମନ୍ତ୍ରୀମାନଙ୍କ ଲାଗି ଉଦ୍ଦିଷ୍ଟ ପ୍ରକୋଷ୍ଠଗୁଡିକର ସାଜସଜ୍ଜା କାମ ମଧ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ କେଉଁ ନୂଆମନ୍ତ୍ରୀଙ୍କର କି ପ୍ରକାର ପସନ୍ଦ ରହିବ ଏବଂ କେଉଁମନ୍ତ୍ରୀ କେଉଁ ପ୍ରକୋଷ୍ଠରେ ବସିବେ ତାହା ନିର୍ଦ୍ଧାରିତ ହେବାପରେ ଏଠାରେ ନବୀକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରାଜଭବନରୁ ଏଜି ଛକ ରାସ୍ତାର ବାମପାଶ୍ୱର୍ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସଗୃହରେ ପ୍ରାୟ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିନାହାନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଏରୋଡ୍ରମ ନିକଟବର୍ତ୍ତୀ ତାଙ୍କ ପୈତୃକ ଗୃହରେ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସଗୃହଟି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗଶୁଣାଣି ପ୍ରକୋଷ୍ଠ ଭାବେ ଅଫିସରମାନଙ୍କ ଦ୍ୱାରା ଚଳାଯାଉଛି । ତେଣୁ ଏଠାରେ ବିଶେଷ ଗହଳଚହଳ ରହୁନାହିଁ ଏବଂ ଘର ଗୁଡିକ ପ୍ରାୟତଃ ଖାଲି ପଡିଆସିଛି ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ବାସଭବନଟିକୁ ସଜାଡି ନବୀକରଣ କରିବା ପାଇଁ ଯୋଜନା ରହିଛି । ତେବେ ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ନିବାସର କିଭଳି ନବୀକରଣ ଚାହାନ୍ତି ତାହା ସ୍ପଷ୍ଟ ହେବାପରେ କାମ ଆରମ୍ଭ ହେବ । ସେପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅତିଥି ଭବନରେ ରଖାଯିବା ଲାଗି ଆପାତତଃ ବନ୍ଦୋବସ୍ତ କରାଯାଉଛି ।

କେବଳ ସେତିକି ନୁହେଁ ନବନିର୍ବାଚିତ ବିଧାୟକ ଏବଂ ଏମାନଙ୍କ ମଧ୍ୟରୁ ଯେଉଁମାନେ ଶପଥ ଗ୍ରହଣ କରିବେ ସେମାନଙ୍କୁ ରାଜ୍ୟ ଅତିଥିଭବନ, ସର୍କିଟ୍‍ ହାଉସ୍‍, ବିଭିନ୍ନ ଡାକବଙ୍ଗଳା, ପାନ୍ଥନିବାସ ଆଦିରେ ଅସ୍ଥାୟୀଭାବେ ରଖିବା ପାଇଁ ଯୋଜନା ଅଛି । ବିଜେଡି ସରକାରର ମନ୍ତ୍ରୀ ଓ ଅନ୍ୟ ଯେଉଁ ନେତାମାନେ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାଗୁଡିକ ରଖିଛନ୍ତି ସେସବୁ ମାସକ ଭିତରେ ଖାଲି କରି ନୂଆ ମନ୍ତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯିବ ଏବଂ ଅଗ୍ରାଧିକାର ଭିତ୍ତିରେ ସେହି ବଙ୍ଗଳାଗୁଡିକର ମଧ୍ୟ ନବୀକରଣ କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ, ବିଧାନସଭା ସମ୍ମୁଖରେ ଥିବା ଏମ୍‍ଏଲ୍‍ଏ କଲୋନୀକୁ ଭାଙ୍ଗି ଦିଆଯାଇ ସେଠାରେ ବହୁତଳ ବିଶିଷ୍ଟ ବିଧାୟକ ନିବାସ ତିଆରି କାମ ଚାଲିଥିବାବେଳେ ଏମ୍‍ଏଲ୍‍ଏ ଫ୍ଲାଟ୍‍ କ୍ୱାର୍ଟର ଗୁଡିକ ନବନିର୍ବାଚିତ ବିଧାୟକମାନଙ୍କୁ ଆବଣ୍ଟନ କରିବା ପର୍ଯ୍ୟାପ୍ତ ହେବନାହିଁ । ଏ ପରିପ୍ରେକ୍ଷୀରେ ରାଜଧାନୀରେ କେଉଁଠି କେତେ ଟାଇପ୍‍-୫ ଓ ତଦ୍ଦୁର୍ଦ୍ଧ୍ୱ ଶ୍ରେଣୀର ଖାଲି କ୍ୱାର୍ଟର୍ସ ରହିଛି ତାହାର ହିସାବ ନିକାସ ଚାଲିଛି । (ତଥ୍ୟ)