Home Assembly ନୂଆ ବିଧାନସଭା ହେବ ୪ ନମ୍ବର

ନୂଆ ବିଧାନସଭା ହେବ ୪ ନମ୍ବର

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରିବା ପୂର୍ବରୁ ଓଡିଶା ବିଧାନସଭା ତାହାର ଚତୁର୍ଥ ଶୌଧ ଦେଖିବାକୁ ଯାଉଛି । ଶହେ ବର୍ଷ ଭିତରେ ବୋଧହୁଏ ଏହା ହେବ ଓଡିଶାର ରେକର୍ଡ ।

୧୯୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହା ପରେ ୧୯୩୭ରେ ଓଡିଶା ବିଧାନସଭା ପାଇଁ ପ୍ରଥମ ନିର୍ବାଚନ ହୋଇଥିଲା । ସେତେବେଳେ ବିଧାନସଭା କଟକର ଐତିହ୍ୟ ସମ୍ପନ୍ନ ରେଭେନ୍ସା କଲେଜରେ ଅନୁଷ୍ଠିତ ହେଉଥିଲା । ସେ ସମୟରେ ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ଥିଲା ୬୦, ଯେଉଁଥିରୁ ୫୬ଜଣ ନିର୍ବାଚିତ ଓ ୪ଜଣ ମନୋନିତ ହେଉଥିଲେ । ୧୯୪୬ରେ ଦ୍ୱିତୀୟଥର ପାଇଁ ବିଧାନସଭା ନିର୍ବାଚନ ପ୍ରାକ୍‍ ସ୍ୱାଧୀନତା କାଳରେ ହୋଇଥିଲା ଏବଂ ସେତେବେଳେ ବି ବିଧାନସଭା ଓ ରାଜ୍ୟ ସଚିବାଳୟ କଟକରେ ଚାଲୁଥିଲା । କଟକ ଥିଲା ଓଡିଶା ପ୍ରଦେଶର ରାଜଧାନୀ ।

ଡକ୍ଟର ହରେକୃଷ୍ଣ ମହତାବ ଓଡିଶାର ପ୍ରଧାନମନ୍ତ୍ରୀ ଥିବାବେଳେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ସଫା କରାଯାଇ ବର୍ତ୍ତମାନର ୟୁନିଟ୍‍ ୧, ୨, ୩, ୪, ୬ ଅଞ୍ଚଳରେ କିଛି ସରକାରୀ କ୍ୱାଟର୍ସ ନିର୍ମାଣ କରାଯିବା ସହିତ ସଚିବାଳୟ ପାଇଁ ଅସ୍ଥାୟୀ ବ୍ଲକମାନ ନିର୍ମିତ ହୋଇଥିଲା । ବସ୍ତୁତଃ ଡକ୍ଟର ମହତାବ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜଧାନୀ ଭୁବନେଶ୍ୱରର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା ।

କଟକରୁ ଭୁବନେଶ୍ୱରକୁ ବିଧାନସଭା ସ୍ଥାନାନ୍ତରିତ ହେବାବେଳେ ବର୍ତ୍ତମାନର ୨ନମ୍ବର ୟୁନିଟ୍‍ରେ ଥିବା ସର୍ଦ୍ଦାର ପଟେଲ ହଲରେ ବିଧାନସଭା ଅଧିବେଶନ ବସୁଥିଲା । ବିଧାନସଭା ସଚିବାଳୟ ମଧ୍ୟ ଏହି ପରିସରରେ ଥିବା କେତେକ ଏକ ମହଲା କୋଠାରେ ହେଉଥିଲା ।

ଗଡଜାତ ମିଶ୍ରଣ ପରେ ବର୍ତ୍ତମାନର ଓଡିଶାର ଭୌଗଳିକ ମାନଚିତ୍ର ତିଆରି ହେଲା ଏବଂ ବିଧାୟକଙ୍କ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ୧୪୭ରେ ପହଞ୍ଚିଲା । ଆବଶ୍ୟକତାକୁ ଆଖିଆଗରେ ରଖି ବର୍ତ୍ତମାନର ରବୀନ୍ଦ୍ରମଣ୍ଡପ ଛକ ନିକଟରେ ବିଧାନସଭାର ନୂତନ ସୌଧ ନିର୍ମିତ ହେଲା ଏବଂ ଏଥିସହିତ ଜୟଦେବଭବନ ସମ୍ମୁଖରେ ଥିବା ସଚିବାଳୟର ନାଲିକୋଠାରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ସଚିବମାନଙ୍କ ଅଫିସ ଚାଲିଲା ଓ ସେହିଠାରେ ହିଁ ରାଜ୍ୟ ସଚିବାଳୟ କାମ କଲା ।

ପରବର୍ତ୍ତୀ ସମୟରେ ଏବେ ଲୋକସେବା ଭବନ କୁହାଯାଉଥିବା ସୌଧ ନିର୍ମିତ ହୋଇ ସଚିବାଳୟ ସହିତ ମିଶିଲା । ସ୍ଥାନାଭାବ ଓ ଅନ୍ୟାନ୍ୟ କାରଣରୁ ରାଜୀବ ଭବନ ଓ ଖାରବେଳ ଭବନ ନିର୍ମାଣ କରାଯାଇ ସେଠାକୁ କେତେକ ବିଭାଗ ସ୍ଥାନାନ୍ତରିତ ହୋଇଛି ।

ଏବେ ରାଜ୍ୟ ସରାକର ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ନୂତନ ସଚିବାଳୟ ଓ ନୂତନ ବିଧାସଭା ସୌଧ ନିର୍ମିତ ହେବ । ଏ ପରିପ୍ରେକ୍ଷୀରେ ବର୍ତ୍ତମାନର ବିଧାନସଭା ଭବନକୁ ନଭାଙ୍ଗିତ ତାହାକୁ ସ୍ମାରକୀଭାବେ ରଖାଯିବ । ଯଦି ବିଧାନ ପରିଷଦ ଗଠନ ହୁଏ ତାହେଲେ ପୁରୁଣା ବିଧାନସଭା ସୌଧରେ ବିଧାନ ପରିଷଦ ଚାଲିବ । ନୂଆ ଯୋଜନା ମୁତାବକ ଭୁବନେଶ୍ୱରର ପ୍ରଥମ ନଅ ମହଲା କୋଠା ଭାବେ ପରିଚିତ ବିଭାଗୀୟ ମୁଖ୍ୟ ଦପ୍ତର ସୌଧ ଓ ରାଜୀବ ଭବନ ସମେତ ଅନ୍ୟ ଯେଉଁସବୁ ସରକାରୀ କୋଠାବାଡିକୁ ଅସୁରକ୍ଷିତ ଘୋଷଣା କରାଯାଇଛି ସେଗୁଡିକୁ ଭାଙ୍ଗି ସେହି ସ୍ଥାନରେ ନୂଆ ସଚିବାଳୟ ନିର୍ମିତ ହେବ ଏବଂ ସଚିବାଳୟ ଓ ନୂଆ ବିଧାନସଭା ଗୋଟିଏ ପରିସର ଭିତରେ ରହିବ । ଏହି ଯୋଜନା ଯଦି ସଫଳ ହୁଏ ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ବରୁ ଓଡିଶା ବିଧାନସଭା ଓ ରାଜ୍ୟ ସଚିବାଳୟ ଚତୁର୍ଥ ଥର ପାଇଁ ନୂଆ ସୌଧକୁ ସ୍ଥାନାନ୍ତିତ ୋହବେ । (ତଥ୍ୟ)