Home General ନୂଆ ନୀତିରେ ନିଶା ନିବାରଣ ରଖ

ନୂଆ ନୀତିରେ ନିଶା ନିବାରଣ ରଖ

ଭୁବନେଶ୍ୱର : ଓଡିଶାକୁ ନିଶାମୁକ୍ତ କରିବାପାଇଁ ଗତ ସାଧାରଣ ନିର୍ବାଚନ ସମୟରେ ଭାରତୀୟ ଜନତାପାର୍ଟି ତାହାର ଘୋଷିତ ସଙ୍କଳ୍ପପତ୍ରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ରାଜ୍ୟ ଅବକାରୀ ନୀତିରେ ପ୍ରତିଫଳନ କରିବାଲାଗି ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ।

ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଘୋଷିତ ସଙ୍କଳ୍ପପତ୍ରରେ କୁହାଯାଇଥିଲା ଯେ ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡିଶା ସୃଷ୍ଟି କରିବା ସହ ସମ୍ବିଧାନର ୪୭ ଧାରାକୁ କଡାକଡି ଭାବେ କାର୍ଯ୍ୟକାରୀ କରି ବିଷାକ୍ତ ପାନୀୟ ଓ ଅନ୍ୟ ନିଶା ସାମଗ୍ରୀକୁ ନିୟନ୍ତ୍ରଣ କରାଯିବ । ଏଥିଲାଗି ସଚେତନତା ଅଭିଯାନକୁ ବ୍ୟାପକ କରିବା ସଂଗେ ସଂଗେ ନିଶା ନିବାରଣ କେନ୍ଦ୍ର ଗଠନ ସହିତ ଜୀବନକୁ ଉତ୍କୃଷ୍ଟ କରିବାପାଇଁ ବିଜେପି ସରକାରରେ ପଦକ୍ଷେପ ନିଆଯିବ ବୋଲି ।

୨୦୨୪ ଜୁନ୍‍ ୧୨ ତାରିଖରେ ଓଡିଶାରେ ବିଜେପି ସରକାର ଗଢାଯିବାର ଇତି ମଧ୍ୟରେ ୧୦ମାସ ଅତିକ୍ରମ କରିବାକୁ ଯାଉଛି । ଏହି ୧୦ମାସ ଭିତରେ ଓଡିଶାରେ ନିଶା ସଙ୍କୁଚିତ ହେବା ପରିବର୍ତ୍ତେ ପ୍ରସାରିତ ହୋଇଛି ଏବଂ ଅବକାରୀ ରାଜସ୍ୱ ପରିମାଣ ମଧ୍ୟ ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି । ଅବଶ୍ୟ କେତେକ ସ୍ଥାନରେ ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର, ନିଶାଯୁକ୍ତ କଫ ସିରପ ଆଦି ବିପଦଜନକ ସାମଗ୍ରୀ ଜବତ କରିବା ସହିତ ଏହି ଚୋରା ନିଶା କାରବାରରେ ସମ୍ପୃକ୍ତ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ବିଧାନସଭାରେ ଦଳ ମତ ନିର୍ବିଶେଷରେ ବହୁ ବିଧାୟକ ନିଶା ବିରୁଦ୍ଧରେ ମତବ୍ୟକ୍ତ କରୁଛନ୍ତି । ଏ ପରିପ୍ରେକ୍ଷୀରେ ୨୦୨୫ ବର୍ଷ ପାଇଁ ରାଜ୍ୟ ସରକାର ଯେଉଁ ଅବକାରୀ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ସେଥିରେ ଲୋକଙ୍କ ଉତ୍କୃଷ୍ଟ ଜୀବନ ପାଇଁ ନିଶାମୁକ୍ତ ଓଡିଶା ଗଠନର ଛବି ପ୍ରକାଶ ପାଇବା ଆବଶ୍ୟକ ବୋଲି ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ।

ଗତ ୪୫ବର୍ଷ ମଧ୍ୟରେ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣ ଢେର ବୃଦ୍ଧି ପାଇଥିବା ସହିତ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡେ ବିଭିନ୍ନ କିସମର ସରକାରୀ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶା କାରବାର ଚାଲିଛି । ଏଥିଯୋଗୁଁ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ବ୍ୟାହାତ ହେବା ସଂଗେ ସଂଗେ ଅପରାଧ ରୋଗବ୍ୟାଧି ଦାରିଦ୍ର‌୍ୟ, ଦୁର୍ଘଟଣା, ଆତ୍ମହତ୍ୟା, ନାରୀ ଓ ଶିଶୁ ନିର୍ଯ୍ୟାତନା ଆଦି ବଢୁଛି ।

ଅବକାରୀ ରାଜସ୍ୱ ତୁଳନାରେ କ୍ଷତିର ପରିମାଣ ୧୦୦ଗୁଣରୁ ଅଧିକ ହେବବୋଲି ମଦମୁକ୍ତି ଅଭିଯାନ ଉଲ୍ଲେଖ କରିବା ସହିତ ବିଜେପି ତାହାର ନିର୍ବାଚନ ପ୍ରତିଶ୍ରତିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଶାମୁକ୍ତ ଓଡିଶା ଗଠନ ପାଇଁ ସରକାରୀ ସ୍ତରରେ ଘୋଷଣା କରିବାକୁ ଦାବି ହେଉଛି । ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡିଶା ଓ ଲୋକଙ୍କ ଉତ୍କୃଷ୍ଟ ଜୀବନପାଇଁ ବିଜେପିର ଯେଉଁ ସଙ୍କଳ୍ପପତ୍ର ରହିଥିଲା ତାହା ଗତ୧୦ମାସ ମଧ୍ୟରେ ଆଦୌ ଆରମ୍ଭ ହୋଇନଥିବାବେଳେ ୨୦୨୫-୨୬ ବର୍ଷରେ କେେତେ ପ୍ରତିଶ୍ରତ ସଫଳ କରାଯିବାର ତାହା ସରକାର ଘୋଷଣଶ କରି ନିଶା ରାକ୍ଷାସ କବଳରୁ ରାଜ୍ୟକୁ ରକ୍ଷା କରିବାପାଇଁ ବିଭିନ୍ନମହିଳା ସଂଗଠନ ମଧ୍ୟ ଦାବି କରୁଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି ଯେ ବିଭିନ୍ନ ସରକାରୀ ଯୋଜନାରେ ସାମାଜିକ ସୁରକ୍ଷା, ମହିଳା ଓ ଶିଶୁଙ୍କ ବିକାଶ ଆଦି ପାଇଁ ଯେତେଅର୍ଥ ଖର୍ଚ୍ଚ ହେଉଛି ନିଶା ପ୍ରସାରଣ ଯୋଗୁଁ ତାହାର ଆଶାନୁରୂପ ସୁଫଳ ମିଳୁନାହିଁ । (ତଥ୍ୟ)