ଭୁବନେଶ୍ୱର : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ସହିତ ଶ୍ରୀ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ନିର୍ବାହ କରିବେ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ପୂର୍ବରୁ ଡଃ ପାଢୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ସେ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଚାଷୀଙ୍କ ଆୟ ବୃଦ୍ଧି, ସମ୍ପ୍ରସାରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ସହନଶୀଳତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ସହ ଜଡ଼ିତ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚାଷୀଙ୍କୁ ସେବା ପ୍ରଦାନରେ ଉନ୍ନତି, କୃଷି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହନ ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡିକ ମଧ୍ୟରେ ପ୍ରତିଷ୍ଠାନଗତ ସମନ୍ୱୟ ରକ୍ଷା ପାଇଁ ବିଶେଷ ପ୍ରୟାସ କରାଯାଇଥିଲା।
ରାଜ୍ୟର ଜମି ଓ ରାଜସ୍ୱ ପ୍ରଶାସନ, ଭୂ-ଅଭିଲେଖ ପରିଚାଳନା, ବନ୍ଦୋବସ୍ତ କାର୍ଯ୍ୟ ଏବଂ ରାଜସ୍ୱ ଶାସନ କ୍ଷେତ୍ରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ବିପର୍ଯ୍ୟୟ ସଜ୍ଜୀକରଣ, ଆଗୁଆ ସୂଚନା, ପ୍ରତିକ୍ରିୟା, ସହାୟତା ଏବଂ ପୁନର୍ବାସ କାର୍ଯ୍ୟକୁ ମଧ୍ୟ ଏହି ବିଭାଗ ପରିଚାଳନା କରିଥାଏ। ଓଡ଼ିଶାର ଜଳବାୟୁ ସହନଶୀଳତାକୁ ମଜବୁତ କରିବା, ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ଆଗକୁ ନେବା ଏବଂ ସମୟାନୁବର୍ତ୍ତୀ, ସ୍ୱଚ୍ଛ ତଥା ଜନକୈନ୍ଦ୍ରିକ ସେବା ପ୍ରଦାନ କରିବା ଦିଗରେ ଡକ୍ଟର ପାଢୀଙ୍କ ପାଇଁ ଏହି ବିଭାଗର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

