Home General ନୂଆ ଏସ୍‍ଇଜେଡ୍‍ ପାଇଁ ପ୍ରସ୍ତାବ ନାହିଁ

ନୂଆ ଏସ୍‍ଇଜେଡ୍‍ ପାଇଁ ପ୍ରସ୍ତାବ ନାହିଁ

ଭୁବନେଶ୍ୱର : ରାଜ୍ୟରେ ୫ଟି ସ୍ୱତନ୍ତ୍ର ଅର୍ଥ ନୈତିକ ଜୋନ୍‍ (ଏସଇଜେଡ୍‍) କାର୍ଯ୍ୟକ୍ଷମ ଥିବାବେଳେ ଆଉ କୌଣସି ନୂତନ ଏସ୍‍ଇଜେଡ୍‍ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ କେନ୍ଦ୍ର ନିକଟରେ ନାହିଁ । ରାଜ୍ୟରେ ନୂତନ ଏସଇଜେଡ୍‍ ପ୍ରତିଷ୍ଠା ସଂକ୍ରାନ୍ତରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭାରେ ପଚାରିଥିବା ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍‍ ପ୍ରସାଦ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଏବେ ୫ଟି ଏସ୍‍ଇଜେଡ୍‍ କାର୍ଯ୍ୟକ୍ଷମ ଥିବାବେଳେ ସେଥିରେ ୧୮,୩୨୧ ଜଣ ନିଯୁକ୍ତି ପାଇଛନ୍ତି ଏବଂ ୨୨,୮୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ଏଥିରେ ବିନିଯୋଗ ହୋଇଛି । ଉଲ୍ଲେଖନୀୟ ଯେ ଏହି ୫ଟି ଏସ୍‍ଇଜେଡ୍‍ ମଧ୍ୟରେ କଟକ ଜିଲ୍ଲାର ଚୌଦ୍ୱାର ଠାରେ ଜିନ୍ଦଲ ଷ୍ଟିଲ୍‍ ପକ୍ଷରୁ ଲାନ୍‍କୋ ସୋଲାର ପାର୍କ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ବହୁମୁଖୀ ଉତ୍ପାଦନ ପାର୍କ ଓ ଛତ୍ରପୁର ଠାରେ ଖଣିଜ ପାର୍କ ପ୍ରତିଷ୍ଠା ହୋଇଛି । ସେହିଭଳି ଭୁବନେଶ୍ୱରରେ ଆଇଟି-ଆଇଟିଇଏସ୍‍, ଇନଫୋସିଟି ଓ ଇଡକୋ ନଲେଜ ପାର୍କ ରହିଛି । ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଗୋଟିଏ ଏସଇଜେଡ୍‍ ରହିଥିବାବେଳେ ଗୋପାଳପୁର ଠାରେ ଟାଟାଷ୍ଟିଲ୍‍ ପକ୍ଷରୁ ବୃହତ୍‍ ଏସଇଜେଡ୍‍ ଏବଂ ଡିଟିଏ ପ୍ରତିଷ୍ଠା କରାଯାଇଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୦୫ର ଏସ୍‍ଇଜେଡ୍‍ ଆଇନ୍‍ ବଳରେ ଏସ୍‍ଇଜେଡ୍‍ ପ୍ରତିଷ୍ଠା କରାଯାଇଥାଏ । ଘରୋଇ ସଂସ୍ଥା ଦ୍ୱାରା ଏଥିପାଇଁ ନିବେଶ ହେଉଥିବାବେଳେ ଏହା ମିଳିତ ଭାବେ କେନ୍ଦ୍ର, ରାଜ୍ୟ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ସହାୟତାରେ ପ୍ରତିଷ୍ଠା ହୋଇଥାଏ । ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରୀ ପାଇଥିବା ଏସ୍‍ଇଜେଡ୍‍ ପ୍ରକଳ୍ପକୁ କେନ୍ଦ୍ରକୁ ପଠାଯିବା ପରେ ଏଥିପାଇଁ ଗଠିତ ବୋର୍ଡ ଏହାର ବିଚାର କରିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଓଡିଶା ସରକାରଙ୍କ ପକ୍ଷରୁ ଏସ୍‍ଇଜେଡ୍‍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । ତେଣୁ ଓଡିଶାରେ କାର୍ଯ୍ୟକ୍ଷମ ହେଉନଥିବା କୌଣସି ଏସଇଜେଡ୍‍ ନାହିଁ ।(ତଥ୍ୟ)