Home Excise ନୂଆ ଅବକାରୀ ନୀତିରେ ରହିପାରେ ନିର୍ବାଚନୀ ପ୍ରତିଶ୍ରୁତି

ନୂଆ ଅବକାରୀ ନୀତିରେ ରହିପାରେ ନିର୍ବାଚନୀ ପ୍ରତିଶ୍ରୁତି


ଭୁବନେଶ୍ୱର : ଓଡିଶାକୁ ନିଶାମୁକ୍ତ କରିବାପାଇଁ ଗତ ନିର୍ବାଚନବେଳେ ବିଜେପି ଯେଉଁ ସଙ୍କଳ୍ପ ଘୋଷଣା କରିଥିଲା ତାହା ନୂଆ ଅବକାରୀ ନୀତିରେ ପ୍ରତିଫଳିତ ହୋଇପାରେ । ରାଜ୍ୟରେ ଯେଭଳି ଉଭୟ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶାର ପ୍ରସାର ଘଟୁଛି ଏବଂ ସେଥିଯୋଗୁଁ ଯେଭଳି ବ୍ୟାପକ ଧନଜୀବନ ନଷ୍ଟହେବା ସହ ଓଡିଶାର ଅସ୍ମିତା ଉପରେ ପ୍ରଶ୍ନ ଉଠୁଛି ତାହାକୁ ଆଖିଆଗରେ ରଖି ନିର୍ବାଚନୀ ପ୍ରତିଶ୍ରୁତି ଭିତ୍ତିରେ ରାଜ୍ୟ ସରକାର ତାଙ୍କ ନୂଆ ଅବକାରୀ ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିପାରନ୍ତି ବୋଲି ବିଭିନ୍ନ ମହଲରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଜେଡି ଶାସନ ସମୟରେ ଓଡିଶାରେ ଅବକାରୀ ରାଜସ୍ୱ ୨୪ବର୍ଷ ଭିତରେ ୬୦ଗୁଣରୁ ଅଧିକ ବୃଦ୍ଧି ପାଇବା ସହିତ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକରେ ମଦ ସମେତ ଅନ୍ୟାନ୍ୟ ନିଶା କାରବାର ଢେର ବଢିଛି । ଏହାଛଡା ଚୋରା ମଦ, ଗଞ୍ଜେଇ, ଚରସ, ହେରୋଇନ୍‍, ବ୍ରାଉନସୁଗାର ଆଦିର ବି ପ୍ରସାରଣ ଗାଁ ଗହଳ ପର୍ଯ୍ୟନ୍ତ ବେଧଡକ ଭାବେ ଚାଲୁଛି ।

ଏହି ସମସ୍ୟାକୁ ଆଖିଆଗରେ ରଖି ୨୦୨୪ର ସାଧାରଣ ନିର୍ବାଚନବେଳେ ଓଡିଶା ଶାଖା ବିଜେପି ପକ୍ଷରୁ ରାଜ୍ୟ ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ଓ ବିଜେପିର ସଙ୍କଳ୍ପ ଘୋଷଣା କରାଯାଇଥିଲା । ଗତବର୍ଷ ଜୁନ୍‍ ୧୨ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ନୂଆ ସରକାର ଗଠନ କରାଯାଇଥିଲା । ଏହି ସରକାରକୁ ବର୍ଷେ ପୁରିବାକୁ ଯାଉଥିବା ପରିପ୍ରେକ୍ଷୀରେ ମୋଦୀଙ୍କ ଗ୍ୟାରେଣ୍ଟି ଓ ଓଡିଶା ଶାଖା ବିଜେପିର ନିର୍ବାଚନୀ ସଙ୍କଳ୍ପ କେତେ କାର୍ଯ୍ୟକାରୀ ହୋଇଛି ଏବଂ ନୂଆ ସରକାର ବିଭିନ୍ନ କ୍ଷେତ୍ରରେ କ’ଣସବୁ ସଫଳତା ସାଉଁଟିଛନ୍ତି ତାହାର ବ୍ୟାପକ ପ୍ରଚାର ପ୍ରସାର କରିବାପାଇଁ ବିଭାଗୱାରୀ ପ୍ରସ୍ତୁତି ଚାଲିଛି ।

ରାଜ୍ୟରେ ନୂଆ ସରକାର ଗଢାଯିବା ପରେ ଗତବର୍ଷ ଯେଉଁ ରାଜ୍ୟ ଅବକାରୀ ନୀତି ପ୍ରଣୟନ କରାଯାଇଥିଲା ତାହାର ସମୟସୀମା ୨୦୨୫ ମାର୍ଚ୍ଚରେ ସରିଯିବା ପରେ ଏହି ପୁରୁଣା ନୀତିକୁ ରାଜ୍ୟ ସରକାର ଅସ୍ଥାୟୀ ଭାବେ ବଢାଇ ଚାଲିଛନ୍ତି । ତେବେ ଏଯାବତ୍‍ ନୂଆ ଅବକାରୀ ନୀତି ଘୋଷଣା ହୋଇନଥିବାବେଳେ ସଙ୍କଳ୍ପପତ୍ରର ପ୍ରତିଶ୍ରୁତିକୁ ଆଖିଆଗରେ ରଖି ୨୦୨୫-୨୬ ବର୍ଷର ଅବକାରୀ ନୀତି ପ୍ରସ୍ତୁତି ଚାଲିଛି ବୋଲି ଶୁଣିବାକୁ ମିଳୁଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟଶାଖା ବିଜେପି ଘୋଷଣା କରିଥିବା ତାହାର ସଙ୍କଳ୍ପରେ ନିର୍ବାଚନବେଳେ କହିଥିଲା ଯେ ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡିଶା ସୃଷ୍ଟି କରାଯିବା ସହ ସମ୍ବିଧାନର ୪୭ଧାରାକୁ କଡାକଡି ଭାବରେ କାର୍ଯ୍ୟକାରୀ କରି ବିଷାକ୍ତ ପାନୀୟ ତଥା ଡ୍ରଗ୍ସକୁ ନିୟନ୍ତ୍ରଣ କରାଯିବା ଏବଂ ସଚେତନତା ଅଭିଯାନ ବ୍ୟାପକ କରିବା ସଂଗେ ସଂଗେ ନିଶା ନିବାରଣକେନ୍ଦ୍ରମାନ ଗଢି ‘ଉତ୍କୃଷ୍ଟ ଜୀବନ’ ପଦକ୍ଷେପ ଆରମ୍ଭ କରାହେବ ।

ପ୍ରଚଳିତ ଓଡିଶା ଅବକାରୀ ଆଇନ୍‍ର ୯୩ଧାରାରେ ନିଶା ନିବାରଣ କଥା କୁହାଯାଇଥିବାବେଳେ ପୂର୍ବରୁ ଚାଲି ଆସିଥିବା ବିହାର ଓଡିଶା ଅବକାରୀ ଆଇନ୍‍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ନିଶା ନିବାରଣ ଥିଲା । ଏହାଛଡା ୧୯୫୬ ମସିହାରେ ଓଡିଶା ବିଧାନସଭାରେ ପାରିତ ହୋଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ଓଡିଶା ନିଶା ନିବାରଣ ଆଇନକୁ ଏଯାବତ୍‍ କାର୍ଯ୍ୟକାରୀ କରାଯାଇନାହିଁ । ବିଭାଗୀୟ କର୍ତ୍ତୃପକ୍ଷ କେବେ ଠାରୁ କେଉଁ ଅଞ୍ଚଳରେ କିମ୍ବା ସାରା ରାଜ୍ୟରେ ନିଶା ନିବାରଣ ଆଇନ୍‍ କାର୍ଯ୍ୟକାରୀ କରିବେ ସେ ସଂକ୍ରାନ୍ତରେ ବିଜ୍ଞପ୍ତିଟିଏ ଜାରି ହେଲେ ୧୯୫୬ମସିହାର ଏହି ଆଇନ୍‍ କାର୍ଯ୍ୟକ୍ଷମ ହେବାକଥା । (ତଥ୍ୟ)