Home Election ନୂଆପଡାରେ ହୋଇଛି ଭୋଟ ରିଗିଂ

ନୂଆପଡାରେ ହୋଇଛି ଭୋଟ ରିଗିଂ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ କମିଶନଙ୍କୁ ହାତବାରିସୀ କରି ଭୋଟ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ, ନିର୍ବାଚନ ପ୍ରଚାର ସମୟରେ ନୂଆପଡାର ପ୍ରତ୍ୟେକ ପଞ୍ଚାୟତ ଓ ଏନଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଓ ଭଲପାଇବା ଥିବା ଦେଖିଥିଲେ । ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା ।

ଏହାର ଅଭିଯୋଗ ବାରମ୍ୱାର ବିଜେଡି ତରଫରୁ ନିର୍ବାଚନ ଅଧିକାରୀଙ୍କ ଆଗରେ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ସାଇଲେଣ୍ଟ ପିରିଅଡରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡା ଛାଡି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ । ବିଜେଡି ତରଫରୁ ଏହାର ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେସନରେ କରାଯିବା ପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ଆର୍ମ୍ସ ଆକ୍ଟ ଲଗାଇ ଜେଲ୍କୁ ପଠାଯାଇଥିଲା ।

ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍ ଗୁଡିକରେ ବିଜେପି କର୍ମୀମାନେ ବୁଥ୍ ଭିତରେ ପସି କ୍ୟାମ୍ପେନିଂ କରିବା ସହିତ ଭୋଟର ମାନଙ୍କୁ ପଦ୍ମଫୁଲରେ ଭୋଟ ଦେବା ପାଇଁ ଏକ ପ୍ରକାର ବାଧ୍ୟ କରୁଥିଲେ । ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ । ବୁଥ୍ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା । ୪୧ଟି ବୁଥ୍ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା, ଯାହା ଗ୍ରହଣୀୟ ନୁହେଁ । ଭୋଟିଂ ଶେଷ ହେବା ବେଳେ, ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭% ହୋଇଛି ବୋଲି ସୂଚନା ଦିଆଗଲା । କିନ୍ତୁ ଭୋଟିଂର ପରଦିନ ଦିବା ୧୦ ଘଟିକା ସମୟରେ ୮୧% ଓ ୧୨ଟା ସମୟରେ ୮୩.୪୫% ଭୋଟିଂ ହୋଇଛି ବୋଲି କୁହାଗଲା, ଯାହା ଭୋଟ୍ ଜାଲିଆତିର ଆଭାସ ମିଳୁଛି ।

ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା, ହେଲେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସୀ କରି ଭୋଟ ରିଗିଂ କରି ବିଜେପି ବିଜୟୀ ହୋଇଛି । ନୂଆପଡାବାସୀଙ୍କ ସହିତ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ । ସେ ମଧ୍ୟ ନୂଆପଡାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସବୁବେଳେ ଲଢ଼େଇ କରିବେ ବୋଲି କହିଥିଲେ । ନୂଆପଡାବାସୀ ତାଙ୍କୁ ଓ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ ।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ପ୍ରଶାସନିକ କଳକୁ ହାତବାରିସୀ କରି ବିଜେପି ହୁଏତ ନୂଆପଡା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇ ପାରେ, କିନ୍ତୁ ନୂଆପଡାବାସୀଙ୍କ ସମର୍ଥନ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ସେଥିପାଇଁ ନୂଆପଡାବାସୀଙ୍କୁ ବିଜୁ ଜନତା ଦଳ ତରଫରୁ ଆମେ କୃତଜ୍ଞତା ଜଣାଉଛୁ । ନୂଆପଡାବାସୀଙ୍କ ସହିତ ବିଜୁ ଜନତା ଦଳ ସଦାସର୍ବଦା ରହିବ ।