ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଉପାନ୍ତ ଅଞ୍ଚଳ ନୂଆପଡା ଦୁଲୁକୁଥିବାବେଳେ ସେଠି ଡେରା ପକାଇଛନ୍ତି ତିନି ପ୍ରମୁଖ ଛାମୁଆ ପ୍ରମୁଖ ରାଜନୈତିକ ଦଳର ନେତାମାନେ । ଶିଳ୍ପବିହୀନ ନୂଆପଡା ଜିଲ୍ଲାରେ ନେତାଙ୍କ ରହଣୀ ପାଇଁ ସେମିତି କିଛି ବଡ ଧରଣର ହୋଟେଲ ନାହିଁ । ଯେତିକି ବି ଡାକବଙ୍ଗଳା ରହିଛି ତାହା ଉପରେ ନିର୍ବାଚନ କମିଶନଙ୍କ କଡା କଟକଣା । ଏ ପରିପ୍ରେକ୍ଷୀରେ ନୂଆପଡାରେ ପ୍ରଚାର ମଇଦାନକୁ କୁଦା ମାରିଥିବା ନେତା ଓ ନେତ୍ରୀମାନଙ୍କ ପାଇଁ ରହିବା ସମସ୍ୟା ଉପୁଜିଛି ।
ନୂଆପଡା, କୋମନା,ଖରିଆରରୋଡ୍ ଓ ସୋନାବେଢା ଅଭୟାରଣ୍ୟର କିଛି ଅଂଶକୁ ନେଇ ଗଠିତ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାକାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ମୃତ୍ୟୁ ପରେ ସେଠାରେ ହେଉଥିବା ଉପର୍ନିବାଚନ ପାଇଁ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି । ଏମିତିକି ବୁଥ୍ ସ୍ତରରେ ଭୋଟରଙ୍କୁ ଜଗିବାପାଇଁ ବିଭିନ୍ନ ଦଳର ନେତାମାନେ ବାହାରୁ ନୂଆପଡାକୁ ଦଉଡୁଛନ୍ତି । ଏହି ଭୋଟ ଟୁରିଜିମ୍ କ୍ଷେତ୍ରର ଋତୁକାଳୀନ ପର୍ଯ୍ୟଟକମାନଙ୍କ ପାଇଁ ଭରସା ପଡୋଶୀ ନିର୍ବାଚନମଣ୍ଡଳୀ ଓ ପଡୋଶୀ ରାଜ୍ୟ ଏବଂ ଗାଁ ଗହଳର କର୍ମୀଙ୍କ ଘର ।
ଏବେ ନୂଆପଡା ନିର୍ବାଚନମଣ୍ଡଳୀରେ ଯେତିକି ବି ହୋଟେଲ ପ୍ରକୋଷ୍ଠ ରହିଛି ସେସବୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଆଗତୁରା ବୁକିଂ ହୋଇଯାଇଛି । ଏବେ ଦୁଇଦଳର ପାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ ଆଉ ଗୋଟିଏ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଧରିବା ବାକି ଅଛି । ଏହାଛଡା ଆଉ କେତେକ ଛୋଟ ଛୋଟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ଏଠି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ।
ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ସମେତ ପଡୋଶୀ ରାୟପୁର ରାଜ୍ୟରେ ତେଣୁ ନୂଆପଡା ଆଖପାଖର ଯେଉଁସବୁ ବେସରକାରୀ ହୋଟେଲ, ପର୍ଯ୍ୟଟନସ୍ଥଳୀ ଆଦି ଅଛି ସେଠି ବି ବିଭିନ୍ନ ଦଳର ନେତାମାନଙ୍କ ପକ୍ଷରୁ ପ୍ରକୋଷ୍ଠ ବୁକିଂ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରେ ଯେଉଁ ନେତାମାନେ ତାରକା ହୋଟେଲ ଖାଦ୍ୟ ପସନ୍ଦ କରିବା ସହ ବିଳାସପୂର୍ଣ୍ଣ ଦାମୀ ଗାଡିରେ ଘୂରୂଥାଆନ୍ତି ସେମାନେ ଏବେ ବିଭିନ୍ନ ଗାଁରେ କର୍ମୀଙ୍କ ଘରେ ଡେରା ପକାଉଛନ୍ତି । ଆଗକୁ ଅଧିକ ସଂଖ୍ୟକ ନେତାଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଲାଗି କିଭଳି ଘର ବ୍ୟବସ୍ଥା ହେବ ସେହି ଚିନ୍ତା ଘାରିଛି ସ୍ଥାନୀୟ ଦଳୀୟ ନେତାମାନଙ୍କୁ ।
ବିଶେଷକରି ସୋନାବେଢା ଅଭୟାରଣ୍ୟ ଭିତରେ ଯେଉଁସବୁ ଗାଁମାନ ରହିଛି ସେଠି ରାତିରେ ରହିବାପାଇଁ ଅଧିକାଂଶନେତା ରାଜି ହେଉନାହାନ୍ତି । ଅବଶ୍ୟ ଏହା ପଛରେ ନରାପତ୍ତା କାରଣ ରହିଛି । ଛତିଶଗଡକୁ ମାଓମୁକ୍ତ କରିବାପାଇଁ ଯେଉଁ ଅଭିଯାନ ଚାଲିଛି ସେଥିରେ ଅନେକ ମାଓ ନେତା ସୀମାନ୍ତବର୍ତ୍ତୀ ନୂଆପଡା, ବରଗଡ ଆଦି ଜିଲ୍ଲାର ଜଙ୍ଗଲିଆ ଅଞ୍ଚଳକୁ ନିରାପଦସ୍ଥଳୀ ଭାବିପାରନ୍ତି ବୋଲି ଆଶଙ୍କାକରି କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ରାଜ୍ୟ ପୁଲିସ୍ ଫୋର୍ସ ସହିତ କେନ୍ଦ୍ରୀୟ ସୁରକ୍ଷାବଳ ମଧ୍ୟ ଏଥିପାଇଁ ନିୟୋଜିତ ହେଉଛନ୍ତି ।
ଏବେ ଗ୍ରାମାଞ୍ଚଳରେ ନେତାମାନଙ୍କ ପଦଯାତ୍ରା, ଶୋଭାଯାତ୍ରା, ଛୋଟ ଛୋଟ ବୈଠକମାନ ଅନୁଷ୍ଠିତ ହେଉଛି । ଅନ୍ୟ ପକ୍ଷରେ ନୂଆପଡା ଜିଲ୍ଲାର କେତେକ ଅଞ୍ଚଳରେ ମଦ ବିରୋଧି ଅଭିଯାନ ପ୍ରବଳ ହୋଇଛି । ଅତୀତରେ ମଧ୍ୟ ମଦମୁକ୍ତି ଅଭିଯାନରୁ ନୂଆପଡାର କର୍ମୀମାନେ ବେଶ୍ ସଫଳତା ହାସଲ କରିଛନ୍ତି । ଏ ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ “ଆମର ଭୋଟ ପାଇବ ସିଏ, ନିଶା ନିବାରଣ କରିବ ଯିଏ ।” ଲେଖାଥିବା ବହୁ ସଂଖ୍ୟକ ପୋଷ୍ଟର ଦେଖିବାକୁ ମିଳୁଥିବା ପରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାରବେଳେ ନେତାଙ୍କ ନୋଟ୍ ଓ ନିଶା ବଣ୍ଟନ କେତେଦୂର କାମ ଦେବ ତାହା ଉପରେ ସମସ୍ତଙ୍କ ନଜର । ଏଠାରେ ଉଲ୍ଲେଖନୀୟ ଯେ ଏହି ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ପୂର୍ବରୁ ଗଞ୍ଜେଇଚାଷ ହୋଇ ଆସୁଛି । (ତଥ୍ୟ)