Home Administration ନୂଆଖାଇଁରେ ଆଶାୟୀ ହତାଶ

ନୂଆଖାଇଁରେ ଆଶାୟୀ ହତାଶ

ଭୁବନେଶ୍ୱର : ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇଁ ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀଟି ପୂରଣ ନହେବାରୁ ଏଥିପାଇଁ ଆଶାୟୀ ଥିବା ଅନେକ ବ୍ୟକ୍ତି ହତାଶ ହୋଇଛନ୍ତି । କେବଳ ଏହି ଗୋଟିଏ ପଦବୀ ନୁହେଁ ଯୋଜନା ବୋର୍ଡ ଠାରୁ ଆରମ୍ଭ କରି ନିଗମ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ଆଶାୟୀମାନଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିବାରେ ଲାଗିଛି । ଏହିସବୁ ସଂସ୍ଥାରେ ନିଯୁକ୍ତି ପାଇଁ ନେତା ଓ ବାବୁମାନଙ୍କ ଲବି ବି ବଢି ବଢି ଚାଲିଛି ।

ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଇସ୍ତଫା ଦେବାପରେ ଏହି ପଦବୀଟି ଖାଲି ପଡିଛି । ରାଜନୈତିକ ନିଯୁକ୍ତି ହେଉଥିବା ଏହି ସଂସ୍ଥାରେ ନୂଆଖାଇଁ ଅବସରରେ ଅଧ୍ୟକ୍ଷ ନିଯୁକ୍ତି ହେବେ ବୋଲି ଆଶା କରାଯାଉଥିଲା । ଏହି ପଦବୀ ପାଇଁ ଆଶାୟୀ ଥିବା ଅନେକ ବି ନିଯୁକ୍ତି ପାଇଁ ଆଶାବାନ୍ଧି ବସିଥିଲେ । ଭାବିଥିଲେ ମୁଖ୍ୟମନ୍ତ୍ରୀ ପଶ୍ଚିମଓଡିଶା ଗସ୍ତରେ ଆସିଥିବାରୁ ଏହି ଘୋଷଣା ହେବ । ହେଲେ ସେମିତି କିଛି ନହେବାରୁ ଆଶାୟୀମାନେ ହତାଶ ହୋଇଛନ୍ତି ।

ସେହିଭଳି ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି), ରାଜ୍ୟ ନିର୍ବାଚନ କମିଶନ ଓ ଲୋକପାଳ ଭଳି ସଂସ୍ଥାରେ ମୁଖିଆ ପଦବୀ ଖାଲି ପଡିଛି । ଏହିସବୁ ପଦବୀରେ ବରିଷ୍ଠ ଆଇଏଏସ୍‍ ଅଫିସରମାନେ ଅବସରପରେ ସାଧାରଣତଃ ନିଯୁକ୍ତି ହୋଇଥାନ୍ତି । ହେଲେ ଏଗୁଡିକ ପୂରଣ ହେଉନଥିବାରୁ ଏଠାରେ ନିଯୁକ୍ତି ପାଇଁ ଆଶାୟୀମାନେ ନିରାଶ ହେବାରେ ଲାଗିଛନ୍ତି ।

ତେବେ ଅଧିକ ହତାଶ ହେଉଛନ୍ତି ବିଭିନ୍ନ ନିଗମରେ ନିଯୁକ୍ତି ପାଇବାକୁ ଥିବା ଦଳୀୟ ଆଶାୟୀମାନେ । ନୂଆ ସରକାର ଆସିବା ପରେ ପରେ ନିଗମରେ ରାଜନୈତିକ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ତୁରନ୍ତ ଇସ୍ତଫା ଦେଇଥିଲେ । ସମସ୍ତେ ଭାବିଥିଲେ ନୂଆ ଆସିବାପରେ କିଛି ଦଳୀୟ ନେତାଙ୍କୁ ଏଠାରେ ନିଯୁକ୍ତି ମିଳିଯିବ । ଏଥିପାଇଁ ଆଶାୟୀମାନେ ବିଭିନ୍ନ ସ୍ତରରେ ଲବି ଚଳାଇଛନ୍ତି । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି ନିଗମ ନିଯୁକ୍ତି ବି ଘୁଞ୍ଚି ଚାଲିଛି । ତେଣୁ ଏବେ ଏହି ଦୌଡରେ ଥିବା ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛ ।

ସେହିଭଳି ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଠାରୁ ସଦସ୍ୟଙ୍କ ପର୍ଯ୍ୟନ୍ତ ସବୁଥିରେ ନୂଆ ନିଯୁକ୍ତି ଦିଆଯିବ । ଅଧ୍ୟକ୍ଷ ପଦବୀଟି କ୍ୟାବିନେଟ୍‍ ପାହ୍ୟାର ହୋଇଥିବାବେଳେ ସଦସ୍ୟମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପାଇଥାନ୍ତି । ତେଣୁ ରାଜ୍ୟ ଯୋଜନା ବୋର୍ଡରେ ନିଯୁକ୍ତି ପାଇବାକୁ ଆଶାୟୀଙ୍କ ସଂଖ୍ୟା ବି କିଛି କମ୍‍ ନୁହେଁ । ହେଲେ ସରକାର ଏଥିରେ ନିଯୁକ୍ତି ଦେଉନଥିବାରୁ ଆଶାୟୀମାନେ ହତାଶ ହେବା ସହିତ ବିଭିନ୍ନ ସ୍ତରରେ ଲବି ଜାରି ରଖିଛନ୍ତି ।

ରାଜ୍ୟରେ ଆଡଭୋକେଟ ଜେନେରାଲ ନିଯୁକ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନ୍ୟ ସରକାରୀ ଓକିଲ ନିଯୁକ୍ତ ହୋଇନାହାନ୍ତି । ତେଣୁ ଏଠାରେ ନିଯୁକ୍ତି ପାଇବାକୁ ମଧ୍ୟ ଆଶାୟୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ବିଭିନ୍ନ ସ୍ତରରେ ଲବି ବି ଜୋରଦାର ହେବା ସହିତ ତାଲିକା ଲମ୍ବିବାରେ ଲାଗିଛି । ଏଠାରେ କେବେ ନିଯୁକ୍ତି ମିଳିବ ତାହାକୁ ଅନେକ ଅନାଇ ବସିଛନ୍ତି ।

ମୋଟାମୋଟି ଭାବେ ନୂଆ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ନିଯୁକ୍ତି ଦେଉନଥିବାରୁ ରାଜ୍ୟର ଅନେକ ସାମ୍ବିଧାନିକ ଓ ଅନ୍ୟାନ୍ୟ ପଦବୀ ଖାଲି ପଡିଛି । ଏଗୁଡିକ କେବେ ଓ କିଭଳି ପୂରଣ ହେବ ତାହା ଉପରେ ବହୁ ଆଶାୟୀଙ୍କ ନଜର ଥିବାବେଳେ ବିଭିନ୍ନ ସ୍ତରରୁ ଚାପ ବଢିବାରେ ଲାଗିଛି । (ତଥ୍ୟ)