ଭୁବନେଶ୍ୱର : ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଏବଂ ପରିବେଶପ୍ରେମୀଙ୍କ ଆନ୍ଦୋଳନ ଯୋଗୁ ରାଜଧାନୀ ଉପକଣ୍ଠରେ ଥିବା ପର୍ଯ୍ୟଟନସ୍ଥଳୀ ଶିଖରଚଣ୍ଡି ପାହାଡ ଧ୍ୱଂସ ମୁଖରୁ ବଞ୍ôଚଯାଇଥିବାବେଳେ ଏଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ନୀଳାଦ୍ରିବିହାରର ପାହାଡ ସତ୍ତା ହରାଇବାକୁ ଯାଉଛି ।
ନୀଳାଦ୍ରିବିହାର ପାହାଡ଼ ପାଦଦେଶରେ ସାଧାରଣ ପ୍ରଶାସନ ବିଭାଗ, ହାଉସିଂବୋର୍ଡ ଓ ବିଡିଏ ପ୍ରଭୃତି ରାଜଧାନୀରେ ବାସହୀନ ଲୋକଙ୍କୁ ଘର ଓ ପ୍ଲଟ ପ୍ରଭୃତି ଯୋଗାଇ ଥିଲେ । ଏହା ଉପରେ ଏବେ ବଡ଼ ବଡ଼ କୋଠାଘରମାନ ତିଆରି ହୋଇଛି ଏବଂ ହଜାର ହଜାର ଲୋକ ଏଠି ରହୁଛନ୍ତି । ନୀଳାଦ୍ରିବିହାର ପାହାଡ ଉପରେ ଇଶାନେଶ୍ୱରଙ୍କ ମନ୍ଦିର ରହିଛି । ଏଥିସହିତ ବୁଦ୍ଧଜୟନ୍ତୀ ପାର୍କ ଓ ସଂସ୍କୃତି ବିଭାଗର ସଂଗ୍ରହାଳୟ ଆଦି ମଧ୍ୟ ଏଠି ଅଛି ।
ବୁଦ୍ଧଜୟନ୍ତୀ ପାର୍କ କାର୍ଯ୍ୟକ୍ଷମ ହେବାପରେ ପ୍ରତିଦିନ ହଜାର ହଜାର ଲୋକ ଏହି ପାର୍କକୁ ଆସିବା ସହିତ ନୀଳାଦ୍ରିବିହାର ପାହାଡ ଉପରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ପାହାଡ ଉପରେ ଥିବା ବସ୍ତିରେ ବି ସହସ୍ରାଧିକ ଲୋକ ରହୁଛନ୍ତି । ଏହି ପାହାଡର ପଶ୍ଚିମ ପଟେ ଡିଫେନ୍ସ କଲୋନୀ ଓ ଉତ୍କଳ ହସ୍ପିଟାଲ ଆଦି ରହିଛି । ପାହାଡ଼ ଫୁଟାଇ ସରକାର ଗୁଡିଏ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ମଧ୍ୟ ନିର୍ମାଣ କରିଚାଲିଛନ୍ତି । ଏବେ ଦିନରାତି ପାହାଡ ଭାଙ୍ଗି ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ କାମ ଚାଲୁଛି ।
ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି ଯେ ହିମାଚଳ ଓ ଉତ୍ତରାଖଣ୍ଡରେ ପ୍ରବଳ ବୃଷ୍ଟିପାତ ଯୋଗୁ ଯେପରି ବହୁ ବଡ଼ ବଡ଼ ଘର ଭୁଶୁଡି ପଡିଲା ନୀଳାଦ୍ରିବିହାର, ଲୁମ୍ବିନିବିହାର ଆଦି ଅଞ୍ଚଳରେ ପାହାଡ କଟାଯୋଗୁ ଅନୁରୂପ ବିଭୀଷିକା ଉପୁଜିପାରେ । ଅତ୍ୟଧିକ ବୃଷ୍ଟିପାତ ହେଲେ ପାହାଡ ଉପର ପାଣି କଟା ଯାଇଥିବା ମାର୍ଗରେ ପ୍ରଳୟଙ୍କରୀ ସୁଅ ସୃଷ୍ଟି କରିବ ଏବଂ ତାହା ନୀଳାଦ୍ରିବିହାର ଓ ଲୁମ୍ବିନିବିହାରର ଆବାସିକ ଅଞ୍ଚଳ ସହ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାନର ସୌଧଗୁଡିକୁ ପ୍ରଚଣ୍ଡ ସୁଅରେ ତାଡିନେବ ।
ତ୍ରୁଟିପୂର୍ଣ୍ଣ ଓ ଅଧାପନ୍ତରିଆ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁ ଏବେ ନୀଳାଦ୍ରିବିହାର ଜିଏ ପ୍ଲଟ୍ ଓ ସେକ୍ଟରଗୁଡିକ ସମେତ ଲୁମ୍ବିନୀ ବିହାର, ଡିଫେନ୍ସ କଲୋନୀ, ମଙ୍ଗଳାବସ୍ତି ଆଦିରେ ସାମାନ୍ୟ ବର୍ଷାହେଲେ ଘରେ ପାଣି ପଶିଯିବାଭଳି ଅବସ୍ଥା ସୃଷ୍ଟି ହେଉଛି । ଅତ୍ୟଧିକ ବୃଷ୍ଟିପାତ ହେଲେ ଏହା ଭୟଙ୍କର ଅବସ୍ଥା ସୃଷ୍ଟି କରିପାରେ । ନୀଳାଦ୍ରିବିହାର ପାହାଡ଼ଟିକୁ ନିଶ୍ଚିହ୍ନ କରିଦେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ରୋକିବା କ୍ଷେତ୍ରରେ ପରିବେଶ ବିଭାଗ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧ୍ୟାନଦେବା ଭଳି ମନେ ହେଉନାହିଁ । ଏବେଠାରୁ ବିଏମ୍ସି, ୱାଟ୍କୋ, ସ୍ୱରେଜ୍ବୋର୍ଡ, ପୂର୍ତ୍ତବିଭାଗ ଓ ନଗର ଉନ୍ନୟନ ବିଭାଗ ଆଦି ଦୃଷ୍ଟି ନଦେଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ଯେଉଁମାନଙ୍କର ରାଜଧାନୀରେ ଜମି ଓ ଘର ନଥିଲା ସେମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥା ବାସଗୃହ ଲାଗି ଜମି ଓ ଘର ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେଇଥିଲେ । ଏବେ ବିଲ୍ଡରମାନେ ଏହି ଜମି ଉପରେ ଆଖି ପକାଇ ଆବାସିକ ଅଞ୍ଚଳରେ ଥିବା ଛୋଟ ଛୋଟ ପ୍ଲଟ୍ରେ ଅନେକ ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣ କରିବା ଫଳରେ ବାୟୂ ଓ ଆଲୋକ ଚଳାଚଳରେ ବାଧା ଉପୁଜି ସନ୍ତସନ୍ତିଆ ସ୍ଥାନରେ ମଶାବଂଶ ବୃଦ୍ଧି ପାଉଛି । ଏହାଛଡ଼ା ଅନେକ ଆପାର୍ଟମେଣ୍ଟ ଏଭଳି ନିର୍ମିତ ହେଉଛି ଯେ ଅଗ୍ନିଦୁର୍ଘଟଣା ହେଲେ ନିର୍ବାପନ ପାଇଁ ଦମକଳ ଗାଡି ଅନେକ ଉକ୍ତ ପରିସର ମଧ୍ୟରେ ପଶିପାରିବ ନାହିଁ । ଅଗ୍ନି ନିର୍ବାପନ ସଂସ୍ଥା, ବିଡିଓ ଓ ବିଏମ୍ସି ପ୍ରଭୃତି ଏ ଦିଗରେ ଦୃଷ୍ଟି ଦେବାପାଇଁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ନୀଳାଦ୍ରିବିହାର ପାହାଡ ନିକଟରୁ ଭରତପୁର ସଂରକ୍ଷିତ ଜଙ୍ଗଲ ଆରମ୍ଭ ହେଉଛି । ଏ ଅଞ୍ଚଳରେ ଯେପରି ପାହାଡ ନଷ୍ଟ ସହିତ ପରିବେଶ ପ୍ରତିକୂଳ କାମ ଚାଲିଛି ତାହାକୁ ବିଜ୍ଞାନ ସମ୍ମତ ଭାବେ ନିୟନ୍ତ୍ରିତ କରାନଗଲେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନେକ ସ୍ଥାନୀୟ ବାସିନ୍ଦା ଆଶଙ୍କା ବ୍ୟକ୍ତ କରିଛନ୍ତି । (ତଥ୍ୟ)