ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ୱାସ୍ଥ୍ୟ ଅବସ୍ଥା ସାରା ଦେଶରେ ବହୁତ ଭଲ ଅଛି । ଭାରତ ସରକାରଙ୍କ ନୀତି ଆୟୋଗର ଫିସ୍କାଲ୍ ହେଲ୍ଥ ଇଣ୍ଡେକ୍ସ (ଏଫ୍ଏଚ୍ଆଇ) ରେ ଓଡିଶା ଶୀର୍ଷ ସ୍ଥାନରେ ରହିଥିବାବେଳେ ପଞ୍ଜାବ ଶେଷରେ ରହିଛି ।
ଓଡିଶା ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଏଫ୍ଏଚ୍ଆଇ-୨୦୨୫ର ସ୍କୋର ଦିଆଯାଇଛି । ୨୦୨୨-୨୩ ବର୍ଷର ବିତ୍ତୀୟ ପରିଚାଳନା ବିଶେଷକରି ଆୟ, ବ୍ୟୟ, ଋଣ ପରିଚାଳନା, ରାଜସ୍ୱ ସଂଗ୍ରହ ଆଦି ଆଧାରରେ ଏହି ସ୍କୋର ପ୍ରସ୍ତୁତ ହୋଇଛି । ଏ କ୍ଷେତ୍ରରେ ଓଡିଶା ୬୭.୮ ନମ୍ବର ପାଇ ଶୀର୍ଷ ସ୍ଥାନରେ ଥିବାବେଳେ ପଞ୍ଜାବ ୧୦.୭ ନମ୍ବର ସ୍କୋର କରି ସବା ତଳେ ରହିଛି ।
ଏଫ୍ଏଚ୍ଆଇ ସ୍କୋର ତାଲିକାରେ ୫୫.୨ ନମ୍ବର ରଖିଥିବା ଛତିଶଗଡ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୋଆ ତୃତୀୟ ଓ ଝାଡଖଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ଦେଶର ଅନ୍ୟତମ ଆର୍ଥିକ ସମୃଦ୍ଧ ରାଜ୍ୟ ବୋଲି କୁହାଯାଉଥିବା ଗୁଜୁରାଟ ଓ ମହାରାଷ୍ଟ୍ର ଏଫ୍ଏଚ୍ଆଇ ସ୍କୋରରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ଗୁଜୁରାଟର ସ୍କୋର ୫୦.୫ ଥିବାବେଳେ ମହରାଷ୍ଟ୍ରର ୫୦.୩ ରହିଛି ।
ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ସପ୍ତମ ସ୍ଥାନରେ ଥିବାବେଳେ ତେଲେଙ୍ଗାନା, ମଧ୍ୟପ୍ରଦେଶ, କର୍ଣର୍ାଟକ, ତାମିଲନାଡୁ, ରାଜସ୍ଥାନ, ବିହାର, ହରିଆନା, କେରଳ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ମହାରାଷ୍ଟ୍ର ପଛକୁ ରହିଛନ୍ତି । ଏଫ୍ଏଚ୍ଆଇର ଏହି ସ୍କୋର ୨୦୨୨-୨୩ ବର୍ଷରେ ଓଡିଶାର ବିତ୍ତୀୟ ପରିଚାଳନା ପାଇଁ ବେଶ୍ ଦାମୀ ସାର୍ଟିଫିକେଟ ବୋଲି କୁହାଯାଉଛି ।
ଓଡିଶାର ଆର୍ଥିକ ପ୍ରସଙ୍ଗ ଘେନି ରାଜନୈତିକ ଦଳମାନେ ଯେତେ କାଦୁଅ ଫିଙ୍ଗାଫିଙ୍ଗି ହେଲେ ମଧ୍ୟ ନୀତି ଆୟୋଗର ଏହି ରିପୋର୍ଟ ଏକ ପ୍ରକାର ସମସ୍ତଙ୍କ ମୁହଁ ବନ୍ଦକରି ଦେଇଛି । ଅନ୍ୟ ପକ୍ଷରେ ଓଡିଶାର ମୁଣ୍ଡପିଛା ଆୟ ବି ଢେର ବୃଦ୍ଧି ପାଇଛି । ୨୦୨୪-୨୫ ବର୍ଷରେ ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୨,୦୦,୧୬୨ ଟଙ୍କା ଥିବାବେଳେ ଓଡିଶାରେ ଏହା ୧,୮୨,୫୪୮ ଟଙ୍କାରେ ପହଞ୍ଚିଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୫-୧୬ ବେଳକୁ ଓଡିଶାରେ ମୁଣ୍ଡପିଛା ଆୟ ପରିମାଣ ୬୪,୮୩୫ ଟଙ୍କା ଥିବାବେଳେ ଏହା ବଢି ବଢି ୨୦୧୯-୨୦ରେ ୧,୦୪,୬୩୩ ଟଙ୍କାରେ ପହଞ୍ଚିଥିଲା । ୨୦୨୨-୨୩ ବର୍ଷରେ ଓଡିଶାର ଲୋକଙ୍କ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ପରିମାଣ ୧,୪୩,୦୫୯ ଟଙ୍କା ଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୧,୬୫,୦୬୮ ଟଙ୍କାରେ ପହଞ୍ଚିଥିଲା । ମୋଟାମୋଟି ଭାବେ ଗତ ୩୦ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସରକାରୀ ରିପୋର୍ଟ କହୁଥିଲେ ମଧ୍ୟ ରାଜ୍ୟରେ ଏବେ ବି ଅନଗ୍ରସରତା ଓ ଦାରିଦ୍ର୍ୟ ଲାଗି ରହିଥିବାରୁ ସଂଖ୍ୟାଧିକ ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ନିର୍ଭରଶୀଳ । ଓଡିଶାରେ ୩.୩୫ କୋଟିରୁ ଅଧିକ ଲୋକ ମାଗଣା ଚାଉଳ ନେଉଥିବାବେଳେ ପାଖପାଖି ୫୮ଲକ୍ଷ ଲୋକଙ୍କୁ ବିଭିନ୍ନ କିସମର ଭତ୍ତା ଦିଆଯାଉଛି । ଏହା ସତ୍ୱେ ବି ବେକାରୀ ଓ ବେରୋଜଗାୀ ସମସ୍ୟା ଲାଗି ରହିଥିବାରୁ ରାଜ୍ୟରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ବାଧ୍ୟ ବାଧକତାରେ ଦାଦନ ଖଟିବାକୁ ଯାଉଛନ୍ତି । (ତଥ୍ୟ)