Home General ନିୟମିତ ହେଉନି ଜଳ ପରୀକ୍ଷା

ନିୟମିତ ହେଉନି ଜଳ ପରୀକ୍ଷା

ଭୁବନେଶ୍ୱର : ବର୍ଷା ଋତୁରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଥିବାବେଳେ ରାଜଧାନୀରେ ଘରକୁ ଘର ବୁଲି ପାନୀୟଜଳର ପରୀକ୍ଷା ଯେଭଳି ଭାବେ ହେବାକଥା ତାହା ହେଉନାହିଁ । ଏହି ପରୀକ୍ଷାପାଇଁ ନିୟୋଜିତ ଜଳସାଥୀମାନେ କେବଳ ଟିକସ ଆଦାୟ କରୁଥିବା ଦେଖିବାକୁ ମିଳୁଛି ।

ରାଜଧାନୀରେ ଏବେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଥିବା କର୍ତ୍ତୃପକ୍ଷ କହୁଛନ୍ତି । ତେବେ ଲୋକେ ନିୟମିତ ଭାବେ ଉନ୍ନତମାନର ଜଳ ପାଉଛନ୍ତି କି ତାହା ଜାଣିବା ସକାଶେ ଜଳସାଥୀମାନେ ନିୟୋଜିତ ହୋଇଛନ୍ତି । ଏମାନଙ୍କୁ ଜଳର ମାନ ପରୀକ୍ଷାପାଇଁ ତାଲିମ ଦିଆଯିବା ସହିତ ନିୟମିତ ବ୍ୟବଧାନରେ ଘରକୁ ଘର ବୁଲି ଜଳ ପରୀକ୍ଷା କରିବାକୁ କୁହାଯାଇଛି । ପ୍ରତି ପରୀକ୍ଷା ବାବଦରେ ସେମାନଙ୍କ ଲାଗି ପ୍ରୋତ୍ସାହନରାଶିର ବ୍ୟବସ୍ଥା ଅଛି । ଏଥିପାଇଁ ଆବଶ୍ୟକ କିଟ୍‍ ସେମାନଙ୍କୁ ଯୋଗାଇ ଦିଆଯାଇଛି ।

ତେବେ ଏହି ଜଳସାଥୀମାନେ ଜଳର ମାନ ପରୀକ୍ଷା କାଁ ଭାଁ କରୁଛନ୍ତି । ଏମାନେ ମୁଖ୍ୟତଃ ଜଳ ଟିକସ ଆଦାୟ କରୁଥିବା ଲକ୍ଷ୍ୟ କରାଯାଉଛି । ଫଳରେ ଜଳର ମାନ କିଭଳି ରହିଛି ତାହାକୁ ଯୋଗାଉଥିବା କର୍ତ୍ତୃପକ୍ଷ କିମ୍ବା ପିଉଥିବା ହିତାଧିକାରୀ କେହି ହେଲେ ସଠିକ୍‍ ଭାବେ ଜାଣିପାରୁ ନାହାନ୍ତି । କର୍ତ୍ତୃପକ୍ଷ ଯୋଗାଉଥିବା ଜଳ ବିଭିନ୍ନ ପଥ ଦେଇ ଲୋକଙ୍କ ନିକଟରେ ପହଞ୍ଚୁଥିବାରୁ ଲୋକେ କେତେ ସ୍ୱଚ୍ଛ ଜଳ ପାଉଛନ୍ତି ତାହାର ଜାଣିବାର ଏକମାତ୍ର ମାଧ୍ୟମ ହେଉଛି ଏଭଳି ଜଳ ପରୀକ୍ଷା । ହେଲେ ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ ।

ଅନ୍ୟ ପକ୍ଷରେ କର୍ତ୍ତୃପକ୍ଷ ଯୋଗାଉଥିବା ଆକ୍ୱାଗାର୍ଡ ମାନର ଜଳର ସିଂହଭାଗ ନଷ୍ଟ ହେବାରେ ଲାଗିଛି । ଏହି ଜଳରୁ ସ୍ୱଳ୍ପ ପରିମାଣ ପାନୀୟ ଓ ଖାଦ୍ୟ ପ୍ରସ୍ତୁତିରେ ଲାଗିଥିବାବେଳେ ସିଂହଭାଗ କିନ୍ତୁ ଶୌଚାଳୟ, ଗାଡିଧୁଆ ଓ ବଗିଚାରେ ବ୍ୟବହାର ହେଉଛି । କର୍ତ୍ତୃପକ୍ଷ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ପାଇଁ ଲିଟର ପିଛା ୧୦ ରୁ ୨୦ ପଇସା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ ଜଳ ଯୋଗାଣ ପରେ ଏଭଳି ଗୁଣାତ୍ମକ ଜଳର ଅପଚୟ ବଢି ଯାଇଛି ।

ବର୍ତ୍ତମାନ କର୍ତ୍ତୃପକ୍ଷ ରାଜଧାନୀରେ ଆଖିବୁଜା ଭାବେ ବସ୍ତିଗୁଡିକୁ ପାନୀୟଜଳ ସଂଯୋଗ ଦେଉଥିବାବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଓ ବେଆଇନ୍‍ ଭାବେ ପାଇପ୍‍ ବିଛାଇ ଜଳ ଦିଆଯାଉଛି । ଏଭଳି କ୍ଷେତ୍ରରେ ପାନୀୟଜଳର ମାନ କମିବା ସହିତ ପ୍ରଦୂଷଣ ହେବାର ସମ୍ଭାବନା ରହିଛି । ସେହିଭଳି ବିଭିନ୍ନ ଜଳଯୋଗାଣ ସ୍ଥାନ ବିଶେଷକରି ଭୂତଳ ଜଳ ଗଚ୍ଛିତ ରହୁଥିବା ନିଷିଦ୍ଧାଞ୍ଚଳରେ ମାଳ ମାଳ ଘର ସହିତ ଶୌଚାଳୟ ନିର୍ମାଣ ହୋଇଥିବାରୁ ଜଳ ଶୁଦ୍ଧତା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଉଛି । ତେଣୁ କର୍ତ୍ତୃପକ୍ଷ ନିୟୋଜିତ କରିଥିବା ଜଳସାଥୀମାନେ ତୁରନ୍ତ ଘରକୁ ଘର ବୁଲି ପାନୀୟଜଳ ପରୀକ୍ଷା କରି ହିତାଧିକାରୀ ଓ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ଲାଗି ମତପ୍ରକାଶ ପାଉଛି । (ତଥ୍ୟ)