ଭୁବନେଶ୍ୱର : ଏକ ନମ୍ବର ହାଟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପାଇଁ ଏବେ ପ୍ଲାଷ୍ଟିକ ସାମଗ୍ରୀ ରହିଥିବା ଦୋକାନକୁ ଦାୟୀ କରାଯାଉଛି । ଏଥିଯୋଗୁଁ ନିଆଁ ଅଣାୟତ ହେଲା ବୋଲି କୁହାଯାଉଛି । ତେବେ ଏତେ ବିପୁଳ ପରିମାଣରେ ପ୍ଲାଷ୍ଟିକ ସାମଗ୍ରୀ ଗଦାହୋଇ ରହିଥିଲେ ମଧ୍ୟ ତାହାକୁ କାହିଁକି ଜବତ କରାଯାଉନଥିଲା ସେଥିନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଗ୍ନିକାଣ୍ଡର କାରଣ ସାଜିଥିବା ଅଧିକାଂଶ କିସମର ପ୍ଲାଷ୍ଟିକ ସାମଗ୍ରୀ ସରକାର ଦ୍ୱାରା ନିଷିଦ୍ଧ । ଏହାର ଉତ୍ପାଦ, ମହଜୁଦ ଓ ବିକ୍ରୟ ଉପରେ କଟକଣା ଲଗାଯାଇଛି । ମଝିରେ ମଝିରେ ବିଏମ୍ସି ଓ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀମାନେ ବିଭିନ୍ନ ଦୋକାନରେ ଚଢଉ କରି ଏହାକୁ ଜବତ କରିଥାନ୍ତି । ତେବେ ସରକାରଙ୍କର ସମସ୍ତ ପ୍ରକାର ନାଲିଆଖି ସତ୍ୱେ ଏକ ନମ୍ବର ହାଟରେ ବିପୁଳ ପରିମାଣରେ ନିମ୍ନମାନର ପ୍ଲାଷ୍ଟିକ ସାମଗ୍ରୀ କାରବାର ହେଉଛି ।
ଅନେକ ଦୋକାନୀ ପ୍ଲାଷ୍ଟିକ ପଲିଥିନ୍ ମୁଣା, ସହିତ ପ୍ଲାଷ୍ଟିକ ତିଆରି ଗ୍ଲାସ, ପ୍ଲେଟ, ଥାଳି, ଥର୍ମୋକୁଲରେ ପ୍ରସ୍ତୁତ ଥାଳି ଓ ପ୍ଲେଟ ସହିତ ଜରିରୁ ତିଆରି ଅନେକ ସାମଗ୍ରୀର ପାଇପାରୀ ବ୍ୟବସାୟ କରିଥାନ୍ତି । ରାଜଧାନୀର ଅନେକ ବ୍ୟବସାୟୀଙ୍କ ସହିତ ସହରତଳି ଅଞ୍ଚଳର ବ୍ୟବସାୟୀମାନେ ମଧ୍ୟ ପ୍ଲାଷ୍ଟିକ ସାମଗ୍ରୀ ପାଇଁ ଏକ ନମ୍ବର ହାଟ ଉପରେ ନିର୍ଭର କରିଥାନ୍ତି ।
ବ୍ୟବସାୟୀମାନେ ନିଜ ଦୋକାନ ଭିତରେ ଯେତିକି ପରିମାଣର ପ୍ଲାଷ୍ଟିକ ମହଜୁଦ ରଖିଥାନ୍ତି ଏହାଠାରୁ ବହୁ ଅଧିକ ପରିମାଣ ଅଧିକ ପ୍ଲାଷ୍ଟି ଦୋକାନ ବାହାର ଓ ଆଖପାଖରେ ଜମାଇଥାନ୍ତି । ଯାହା ଏବେ ଅଗ୍ନିକାଣ୍ଡର କାରଣ ହୋଇଛି । କାରଣ ଜରିରୁ ପ୍ରସ୍ତୁତ ସାମଗ୍ରୀ, ପଲିଥିନ୍ ମୁଣା ସହିତ ଥର୍ମକୁଲ୍ ଆଦି ତତ୍କାଳ ନିଆଁ ଧରିଥାଏ ଓ ସହଜରେ ବ୍ୟାପିଥାଏ ।
ଏକ ନମ୍ବର ହାଟରେ ଘଟିଥିବା ଏହି ପ୍ଲାଷ୍ଟିକ ପୋଡି ନିଆଁ ଏତେ ଜୋରରେ ଓ ଶୀଘ୍ର ବ୍ୟାପି ଯାଇଥିଲା ଯେ ତାହାକୁ ଆୟତ କରିବା ଅଗ୍ନିଶମ ବାହିନୀ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ପ୍ଲାଷ୍ଟିର ନିଆଁର ଧାସ ଅଧିକ ଜୋରରେ ରହିଥିବାରୁ ଆଗ୍ନିକମାନେ ତାହା ନିକଟକୁ ଆୟତ କରିବା ସହଜ ହୋଇନଥିଲା । ଫଳରେ ପ୍ଲାଷ୍ଟିକ ଦୋକାନରୁ ବ୍ୟାପିଥିବା ନିଆଁରେ ଅନ୍ୟ ଦୋକାନ ଏପରିକି ପନିପରିବା ଓ ତେଜରାତି ଦୋକାନ ବି ପୋଡି ପାଉଁଶ ହୋଇଯାଇଥିଲା ।
ଏକ ନମ୍ବର ହାଟରେ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଏହାର ଆକାର କିନ୍ତୁ ବଢୁନାହିଁ । କାରଣ ଏହାର ଗୋଟିଏ ପଟେ ଜନଗହଳିପୂର୍ଣ୍ଣ ସଡକ ଥିବାବେଳେ ଅନ୍ୟପଟେ ବ୍ୟାଙ୍କ୍, ଥାନା, ସରକାରୀ କ୍ୱାଟର୍ସ ଆଦି ରହିଛି । ତେଣୁ ଏଭଳି ସ୍ଥାନରେ ଖୋଲାଖୋଲି ଭାବେ ନିଷିଦ୍ଧ ପ୍ଲାଷ୍ଟିକ ସାମଗ୍ରୀ ମହଜୁଦ ରଖିବା ଓ ବିକ୍ରି କରିବା ଏବେ ବ୍ୟବସାୟୀମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଆଁରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିବାବେଳେ ଏଣିକି ହାଟ ଭିତରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବସାୟ ଉପରେ କଡ କଟକଣା ଲଗାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)

