ଭୁବନେଶ୍ୱର : ଓଡିଶା ସରକାର ରାଜ୍ୟରେ ଗୁଟ୍ଖା, ତମାଖୁ ଓ ନିକୋଟିନ୍ ଯୁକ୍ତ ପାନମସଲାର ଉତ୍ପାଦନ, ମହଜୁଦ ଓ ବିକ୍ରି ଉପରେ କଟକଣା ଲଗାଇବା ପରଠାରୁ ଆଜି ପର୍ଯ୍ୟନ୍ତ ଏହିସବୁ ସାମଗ୍ରୀ ଉପରୁ ୫ହଜାର କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ କରି ସାରିଲେଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ରଖିଥିବା ଉତ୍ତରରୁ ଏହା ଜଣାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟ ସରକାର ୨୦୧୪-୧୫ ବର୍ଷରୁ ୨୦୨୫ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ପାନମସଲା, ଗୁଟ୍ଖା, ତମାଖୁ ଆଦିରୁ ମୋଟ୍ ୫୧୪୭ କୋଟି ୫୬ଲକ୍ଷ ଟଙ୍କାର ଟିକସ ଆଦାୟ କରିଛନ୍ତି । ୨୦୧୮-୧୯ ପରଠାରୁ ଏହି ଟିକସର ପରିମାଣ ପ୍ରତିବର୍ଷ ବଢି ବଢି ଚାଲିଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୧୦୧୨ କୋଟି ଟଙ୍କାକୁ ଟପିଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ଶେଷ ସୁଦ୍ଧା ରେକର୍ଡ ପରିମାଣର ୧୦୪୭ କୋଟି ୮୨ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇ ସରିଲାଣି ।
ଏହି ସୂଚନା ଅନୁଯାୟୀ ଦେଶର ୧୬ଟି ରାଜ୍ୟରୁ ଓଡିଶାକୁ ପାନମସଲା, ଗୁଟ୍ଖା ଓ ତମାଖୁ ଆଦି ଆସିବାରେ ଲାଗିଛି । ଏହିସବୁ ରାଜ୍ୟଗୁଡିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିଆନା, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରହିଛି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ୨୦୧୩ ମସିହା ଜାନୁଆରୀ ୩ ତାରିଖରେ ଗୁଟ୍ଖା, ତମ୍ବାଖୁ ଓ ନିକୋଟିନ୍ଯୁକ୍ତ ପାନମସଲା ଉପରେ କଟକଣା ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଥିଲେ । ତଦନୁଯାୟୀ ସେବେଠାରୁ ରାଜ୍ୟରେ ଏହିସବୁ ସାମଗ୍ରୀର ଉତ୍ପାଦନ, ମହଜୁଦ ଓ ବିକ୍ରି ଉପରେ କଡା କଟକଣା ଲାଗିଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ଆଇନ୍ ୨୦୦୬ ଅନୁଯାୟୀ ଏହା ଲାଗୁ ହୋଇଥିଲା । ଏହି କେନ୍ଦ୍ରୀୟ ଆଇନ୍ ବଳରେ ରାଜ୍ୟରେ ନିକୋଟିନ୍ ଯୁକ୍ତ ପାନମସଲା, ଗୁଟ୍ଖା ଓ ତମାଖୁର ବିକ୍ରି ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କିଭଳି ଭାବେ ଦେଶର ୧୬ଟି ରାଜ୍ୟରୁ ଏହି ସବୁ ସାମଗ୍ରୀ ବେଧଡକ ଭାବେ ଓଡିଶାରେ ଆସି ବିକ୍ରି ହେଉଛି ଏବଂ ରାଜ୍ୟ ସରକାର ଏହା ଉପରେ ହଜାର ହଜାର କୋଟି ଟଙ୍କାର ଟିକସ ଆଦାୟ କରୁଛନ୍ତି ତାହା ଏବେ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)