ଭୁବନେଶ୍ୱର : ଚୋରା ନିଶା ବେପାର ରୋକିବାପାଇଁ ପୁଲିସ୍ ପ୍ରଶାସନ ସକ୍ରିୟତା ପ୍ରକାଶ କରି ବ୍ୟାପକ ପରିମାଣର ନିଶା ସାମଗ୍ରୀ ଜବତ ସହ ଏହି ଅପରାଧରେ ଜଡିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରୁଛି । କିନ୍ତୁ ନିଶା କାରବାର ମାମଲାରେ ଦଣ୍ଡବିଧାନ ହାର ଆଶାନୁରୂପ ହେଉନାହିଁ ।
ଗତ କିଛିବର୍ଷ ମଧ୍ୟରେ ଓଡିଶାରେ ଚୋରା ମଦ ସହ ବ୍ରାଉନସୁଗାର, ଗଞ୍ଜେଇ, ନିଶାଯୁକ୍ତ କଫସିରପ ଆଦିର କାରବାର ବେଶ୍ ବଢିଛି । ଏଥିଯୋଗୁଁ ଛୋଟ ମୋଟ ଅପରାଧମାନ ଘଟିବା ସହ ସ୍ଥଳ ବିଶେଷରେ ନିଶାବେପାରୀମାନେ ପୁଲିସ୍ ଓ ଅବକାରୀ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କରୁଥିବାର ଉଦ୍ବେଗଜନକ ଖବର ମଧ୍ୟ ଗଣମାଧ୍ୟମର ପୃଷ୍ଟାମଣ୍ଡନ କରୁଛି ।
ଚୋରା ନିଶା କାରବାର ରୋକିବାଲାଗି ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢାଯାଇଛି । ଅବକାରୀ ସଂସ୍ଥା ତୁଳନାରେ ପୁଲିସ୍ ଓ ତାହାର ଟାସ୍କଫୋର୍ସ ଢେର ଅଧିକ ପରିମାଣର ନିଶା ସାମଗ୍ରୀ ଜବତ କରୁଛି । ତେବେ ମାମଲାର ଅନୁସନ୍ଧାନ ଓ ପରିଚାଳନା କ୍ଷେତ୍ରରେ ତ୍ରୁଟି ସହ ବର୍ଷ ବର୍ଷ ଧରି ମାମଲା ଚାଲିବାରୁ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତମାନେ ଦୋଷମୁକ୍ତ ହେଉଛନ୍ତି ।
ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟର ହିସାବ ଅନୁଯାୟୀ ଗୋଟିଏ ଗୋଟିଏ ବର୍ଷରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୫ପ୍ରତିଶତ ବି ହୋଇପାରୁ ନାହିଁ । ୨୦୧୫-୧୬ ବର୍ଷରେ ଏହି ହାର ଏକ ପ୍ରତିଶତରୁ କମ୍ ଥିଲା । ଏ ସଂକ୍ରାନ୍ତରେ ସିଏଜି ପ୍ରତିକୂଳ ମନ୍ତବ୍ୟ ମଧ୍ୟ ପ୍ରକାଶ କରିଛନ୍ତି ଏବଂ ପ୍ରତିକାର ଲାଗି ସ୍ୱତନ୍ତ୍ର ଅଦାଲତ ଗଠନ କଥା ମଧ୍ୟ ଉଠିଥିଲା । କିନ୍ତୁ ଏଯାବତ୍ ତାହା ହୋଇପାରି ନାହିଁ ।
ଚୋରା ନିଶା ସାମଗ୍ରୀ ଜବତ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ସଂକ୍ରାନ୍ତୀୟ ସମ୍ବାଦ ବ୍ୟାପକ ମାତ୍ରାରେ ପ୍ରକାଶ ପାଉଥିବାବେଳେ କଦବା କ୍ୱଚିତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ଖବର ଗଣମାଧ୍ୟମରେ ଆସୁଛି । କିଛିଦିନ ତଳେ କୋରାପୁଟ ପୁଲିସ୍ ଟ୍ରକଯୋଗେ ଚାଲାଣ କରାଯାଉଥିବା ବିପୁଳ ଗଞ୍ଜେଇ ଜବତ କରିଥିଲା । କିନ୍ତୁ ଯେଉଁ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା ତାହାର ମାଲିକ କିଏ ଜାଣିବାପାଇଁ ଚିଠିଟିଏ ଲେଖିଦେଇ ବସିପଡିବାରୁ ତଦନ୍ତ ଆଗେଇଲା ନାହିଁ । ଫଳରେ ଦୀର୍ଘଦିନ ଧରି ଜେଲ୍ରେ ରହିଥିବା ଅଭିଯୁକ୍ତ ସହଜରେ ଜାମିନ ପାଇଗଲେ । ଏହି ଘଟଣାରେ ହାଇକୋର୍ଟ ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ।
ଏ ପରିପ୍ରେକ୍ଷୀରେ ନିଶା କାରବାରକୁ ଦୃଢ ହସ୍ତରେ ଦମନ କରିବାପାଇଁ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ବ୍ୟାପକ ହେଲେ ଦଣ୍ଡବିଧାନ ହାର ବଢିବ ଏବଂ ନିଶା କାରବାର କମିବପାରିବ ବୋଲି ଆଇନ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି । ସର୍ବସାଧାରଣ ସ୍ଥାନରେ ଗୁଟ୍ଖା ଖଇନି ଖାଇ ଛେପ ପକାଇବା, ସିଗାରେଟ ଟାଣି ଧୂଆଁ ଛାଡିବା, ମଦ୍ୟପାନ କରିବା, ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଇବା, ନିଷିଦ୍ଧ ନିଶାଦ୍ରବ୍ୟର ବ୍ୟବହାର ଓ ବିପ୍ପଣନ କରିବା ଆଦି ଆଇନ୍ ଆଖିରେ ସାଂଘାତିକ ଅପରାଧ ।
କିନ୍ତୁ ଏବେ କରୋନାର ଭୟାବହ ପରିସ୍ଥିତି ମଧ୍ୟରେ ବି ନିଶାର ଯେଭଳି ବହୁଳ ପ୍ରସାର ଘଟୁଛି ଏବଂ ଏଥିରେ ଅଭ୍ୟସ୍ତ ହୋଇ ଶସ୍ତାରେ ନିଶା ସାମଗ୍ରୀ ପାଇବାଲାଗି ନିଶାଡିମାନେ ଯେମିତି ଚୋରା ନିଶା ବେପାରୀଙ୍କ ଜାଲରେ ପଡୁଛନ୍ତି ତାହା ବ୍ୟବସ୍ଥା ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସମାଜ ବିଜ୍ଞାନୀମାନେ କହୁଛନ୍ତି ଯେ ଯେଉଁ ଅଞ୍ଚଳରେ ବେଆଇନ୍ ନିଶା କାରବାର ହେଉଛି ସେ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ଓ କ୍ଷେତ୍ର କର୍ମୀମାନଙ୍କୁ ଉତ୍ତରଦାୟୀ ରଖାଗଲେ ନିଶା ସଙ୍କୋଚନ ଘଟିବା ସହ ଦଣ୍ଡବିଧାନ ହାର ମଧ୍ୟ ବୃଦ୍ଧି ପାଇବ । ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ଆଇପିସି ମାମଲାଗୁଡିକରେ ଦଣ୍ଡବିଧାନ ଓ ଫଏସଲା ହାର ମଧ୍ୟ ଅତି ନୈରାଶ୍ୟଜନକ ରହିଛି । (ତଥ୍ୟ)