ଭୁବନେଶ୍ୱର : ଓଡ଼ିଶାରେ ନିଶା କାରବାର ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଏଥିରେ ବିଶେଷକରି ମହିଳା, ଶିଶୁ, ଯୁବପିଢ଼ି, ଶ୍ରମିକ ଓ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟରେ ନିଶା ନିବାରିତ ହେବା ପରିବର୍ତ୍ତେ ପ୍ରସାରିତ ହେଉଥିବାରୁ ବିଭିନ୍ନ କିସମର ଅପରାଧ, ଆଇନ୍ଶୃଙ୍ଖଳା ପରିସ୍ଥିତି, ହିଂସା, ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅପରାଧ ଆଦି ବଢ଼ି ଚାଲୁଛି ।
ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡ଼ିକ ମାଧ୍ୟମରେ ବର୍ଷକୁ ପ୍ରାୟ ୨୫ କୋଟି ଲିଟର ବିଭିନ୍ନ କିସମର ମଦ ଓ ବିଅର ମଦୁଆମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ଯୋଗାଇ ଦିଆଯାଉଛି । ଏହାବାଦ୍ ବିପୁଳ ପରିମାଣର ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ କିସମର ନିଶା ସାମଗ୍ରୀର ଖୋଲା ବଜାର ସାଜିଛି ଓଡ଼ିଶା । ଗୁଜରାଟ ଓ ବିହାର ଭଳି ରାଜ୍ୟ ନିଶା ନିବାରଣ କରିଥିବା ବେଳେ ଓଡ଼ିଶାରେ ନିଶା ନିବାରଣ ଆଇନ୍ ନବକୃଷ୍ଣ ଚୌଧୁରୀଙ୍କ ସରକାର ସମୟରେ ୧୯୫୬ ମସିହାରେ ପ୍ରଣୀତ ହୋଇଥିଲେ ମଧ୍ୟ ଏଯାବତ୍ ତାହା ଲାଗୁ କରାଯାଇ ନାହିଁ ।
ସରକାରୀ ତଥ୍ୟ ମୁତାବକ ୨୦୨୩-୨୪ରେ ଚୋରା ନିଶା କାରବାର ଅଭିଯୋଗରେ ପାଖାପାଖି ୫୯ ହଜାର ମାମଲା ଧରାପଡିଥିବା ବେଳେ ୪୭,୫୭୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୨୦୨୪-୨୫ ବର୍ଷରେ ୬୦,୫୯୮ଟି ନିଶା ସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଥିବା ବେଳେ ୪୮,୧୧୫ ଜଣ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଏହି ଦୁଇବର୍ଷରେ ୭ ହଜାରରୁ ଅଧିକ ମୋଟରଯାନ ମଧ୍ୟ ଜବତ ହୋଇଛି ।
ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତ ଆର୍ôଥକ ବର୍ଷରେ ୨୩ଲକ୍ଷ ଲିଟରରୁ ଅଧିକ ଆଇଡି ଲିକର୍ ଜବତ ହୋଇଥିବା ବେଳେ ଚୋରା ମଦ ପ୍ରସ୍ତୁତ ପାଇଁ ଥିବା କୋଟିଏ ୯୨ଲକ୍ଷ ଲିଟରରୁ ଅଧିକ ନିଶା ସାମଗ୍ରୀ ପାଖାପାଖି ୧୯ଲକ୍ଷ କିଲୋଗ୍ରାମ ଗୁଡ଼ରୁ ମଦ ତିଆରି ସାମଗ୍ରୀ, ୫୨ ହଜାର ଲିଟର ବିଅର, ୨୦ ହଜାର ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଅବକାରୀ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ପ୍ରାୟ ୨୪ ହଜାର ଲିଟର ଦେଶୀ ମଦ, ୫୪ ହଜାର ଲିଟର ଭାଟି ମଦ, ୮,୫୦୦ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା । ଏହାଛଡ଼ା ୩ଲକ୍ଷ କିଲୋରୁ ଅଧିକ ମହୁଲ ଫୁଲ ମଧ୍ୟ ଜବତ ହୋଇଥିଲା । ଜବତ ହୋଇଥିବା ଏହି ସାମଗ୍ରୀର ମୂଲ୍ୟ ୧୯୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆକଳନ କରିଥିଲେ ।
ଏହାଛଡ଼ା ଗତ ଆର୍ôଥକ ବର୍ଷରେ ୧,୨୫୧ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯିବା ସହିତ ୧,୫୫୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏନ୍ଡିପିଏସ୍ ମାମଲାରେ ପାଖାପାଖି ୨୫ ହଜାର କିଲୋ ଗଞ୍ଜେଇ, ୨୫ କେଜିରୁ ଅଧିକ ବ୍ରାଉନ୍ସୁଗାର/ହେରୋଇନ୍, ୧,୧୬୬ ଲିଟର କଫ୍ ସିରପ ଓ ୧୪୦ କେଜି ପପି ମଧ୍ୟ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୭୨ କୋଟି ଟଙ୍କାରୁ ଅଧିକ ।
ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ୨,୯୭୮ଟି ବିଭିନ୍ନ କିସମର ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ଥିବାବେଳେ ସେଥିରୁ ୨,୭୩୭ଟି କାର୍ଯ୍ୟକ୍ଷମ ଥିଲା । ଇତିମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବନ୍ଦ ଥିବା ଆଉ କେତେକ ମଦ ଦୋକାନ ରାଜ୍ୟ ସରକାର ଖୋଲିବାକୁ ଯାଉଛନ୍ତି । ଗୋଟିଏ ପଟେ ଆଦିବାସୀ ବହୁଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନେ ସଂଘବଦ୍ଧ ଭାବେ ମଦ ଭାଟି ଭାଙ୍ଗୁଥିବା ବେଳେ ଅନ୍ୟପଟେ କିନ୍ତୁ ମଦ ସମେତ ଅନ୍ୟାନ୍ୟ ନିଶା କାରବାର ବେଧଡ଼କ ଭାବେ ଓଡ଼ିଶାରେ ବଢ଼ି ଚାଲିଛି । (ତଥ୍ୟ)