ଭୁବନେଶ୍ୱର : ଓଡ଼ିଶା ସରକାର ମଇ ୩୧ରୁ ଜୁନ୍ ୨୬ ପର୍ଯ୍ୟନ୍ତ ବିଭିନ୍ନ କିସମର ନିଶା ବିରୋଧରେ ଜନଜାଗରଣ ସୃଷ୍ଟି ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଖୋଦ୍ ରାଜଧାନୀରେ ମଦ ମୃତ୍ୟୁ ଦୁର୍ଘଟଣା ଘଟିବା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ମଦ ବେପାରୀ ଠାରୁ ଲାଞ୍ଚ ନେଉଥିଲା ବେଳେ ଜଣେ ଅବକାରୀ ଅଧିକାରୀ ଗିରଫ ହେବା ଏବଂ ରାଜଧାନୀର ଉପକଣ୍ଠ ବନମାଳିପୁର ଅଞ୍ଚଳରେ ୧୨ଟି ଗାଁର ଲୋକେ ଏକାଠି ହୋଇ ନିଶା ବିରୋଧରେ ଆନ୍ଦୋଳନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ, ଅବକାରୀ ଅଧିକାରୀ ଓ ଅନ୍ୟ ସଂସ୍ଥାମାନେ ଲୋକଙ୍କୁ ନିଶା ସେବନରୁ ବିରତ ରହିବା ପାଇଁ ସଭା,ସମିତି, ଶୋଭାଯାତ୍ରା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଉଛନ୍ତି । ତେବେ ନିଶା ନିବାରଣ ପାଇଁ ଆଇନ୍ରେ ଥିବା ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି । ଓଡ଼ିଶା ମଦମୁକ୍ତି ଅଭିଯାନପକ୍ଷରୁ ଅଭିଯୋଗ କରାଯାଇଛି ଯେ ନିଶା ସଂକୋଚନ ଓ ନିବାରଣ କରିବା ପରିବର୍ତ୍ତେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡ଼ିକ ଯେଭଳି ବାଧ୍ୟତାମୂଳକ ଭାବେ ଅଧିକ ପରିମାଣର ମଦ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବିକ୍ରି କରିବେ ସେଥିଲାଗି ‘ମିନିମମ୍ ଗ୍ୟାରେଣ୍ଟି କୋଟା’ ବା ଏମ୍ଜିକ୍ୟୁ ନିର୍ଦ୍ଧାରଣ କରୁଛନ୍ତି ।
ଲୋକଙ୍କୁ କେତେ ଅଧିକ ମଦ ଯୋଗାଯିବ ତାହା ଉପରେ ସରକାର ଗୁରୁତ୍ୱ ନଦେଇ ଜଣେ ପିଲା ସର୍ବନିମ୍ନ କେତେ ପାଠ ପଢ଼ିବ ଓ ତା’ର ଚରିତ୍ର କିଭଳି ସଂଶୋଧିତ ହେବ, ଲୋକଙ୍କ ସ୍ୱାସ୍ଥ୍ୟ କିଭଳି ଉନ୍ନତମାନର ରହିବ, ସମାଜ କିଭଳି ଅପରାଧମୁକ୍ତ ହେବ, ପ୍ରତି ହାତକୁ କାମ ମିଳିବା ସହିତ ପ୍ରତି କ୍ଷେତକୁ ଜଳସେଚିତ କରି କୃଷି ଶିଳ୍ପ ମାଧ୍ୟମରେ ଅର୍ଥନୀତି କେତେ ବିକଶିତ ହେବ ତାହା ଉପରେ ଏକ ଜନମଙ୍ଗଳକାରୀ ରାଜ୍ୟର ସରକାର ଗୁରୁତ୍ୱାରୋପ କରିବା ଆବଶ୍ୟକ ।
ଗୋଟିଏ ପଟେ ସରକାର ନିଶା ସାମଗ୍ରୀରେ ରାଜସ୍ୱ ଆଦାୟ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରୁ ଗାଁ ଗହଳ ପର୍ଯ୍ୟନ୍ତ ଚୋରା ମଦ ସମେତ ଗଞ୍ଜେଇ, ଅଫିସ, ବ୍ରାଉନସୁଗାର, ଗୁଟ୍କା, ତମାଖୁ ଆଦି ନିଶା ସାମଗ୍ରୀର ପ୍ରସାର ଘଟାଇବା କ୍ଷେତ୍ରରେ ସରକାରୀ କଳର ପ୍ରମୁଖ ଭୂମିକା ରହୁଛି ବୋଲି ମଦମୁକ୍ତି ଅଭିଯାନ ଖୋଲା ଅଭିଯାଗ କରିଛି । ତଥାକଥିତ ସଚେତନତା ସୃଷ୍ଟି ଧର୍ମକୁ ଆଖିଠାର ବୋଲି ଉଲ୍ଲେଖ କରି କେବଳ ମଦ ବୋତଲ କି ସିଗାରେଟ୍ଖୋଳ ଉପରେ ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବୈଧାନିକ ସତର୍କତା ଲେଖିଦେଲେ ନିଶା ନିବାରିତ ହେବ ନାହିଁ ବରଂ ଲୋକଙ୍କ ନିକଟରେ ଯେଭଳି ନିଶା ନପହଞ୍ôଚବ ସେଥିଲାଗି ସମସ୍ତ ଲାଇସେନ୍ସ ପ୍ରାପ୍ତ ଓ ଚୋରା ମଦ ଦୋକାନଗୁଡ଼ିକୁ ସରକାର ଅଗ୍ରାଧିକାର ଭିତ୍ତିରେ ବନ୍ଦ କରିବା ଆବଶ୍ୟକ ।
ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସରକାର ଏ କ୍ଷେତ୍ରରେ ସଚେତନ ହେବା ଉପରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ମତବ୍ୟକ୍ତ କରୁଛନ୍ତି । ନିଶା ବେପାରୀମାନଙ୍କ ସହିତ ବ୍ୟବସ୍ଥା ଚଳାଉଥିବା ବଡ଼ପଣ୍ଡାମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ନିଶାର ପ୍ରସାର ଘଟି ବହୁମହିଳାଙ୍କ ସିନ୍ଥିରୁ ସିନ୍ଦୁର ପୋଛି ହେବା ସହିତ ଅନେକ ଶିଶୁ ବାପା-ମା ଛେଉଣ୍ଡ ହେଉଛନ୍ତି ଏବଂ ବଳାତ୍କାର ଓ ନାରୀ ନିର୍ଯାତନା ଭଳି ବିଭିନ୍ନ କିସମର ଅପରାଧ ବଢ଼ୁଛି । ଏହା ସହିତ ରୋଗ ବ୍ୟାଧି, ଦୁର୍ଘଟଣା, ଆତ୍ମହତ୍ୟା ଆଦି ବଢ଼ିବା ସଂଗେ ସଂଗେ ସାମାଜିକ ନିରାପତ୍ତା ଓ ଦାରିଦ୍ର୍ୟ ଦୂରୀକରଣ ଲାଗି ସରକାର ଯେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ତୁଳନାରେ ଫଳ ମିଳୁନାହିଁ । ଏ ଦୃଷ୍ଟିରୁ ରାଜ୍ୟ ସରକାର ନିଜ ନିଶା ନିବାରଣ ଆଇନ୍କୁ ନିଜେ କଡ଼ାକଡ଼ି ଭାବେ ପ୍ରତିପାଳନ କରିବା ସହିତ ଅବକାରୀ ନୀତିରେ ଗୁଜରାଟ ମଡେଲ୍କୁ ଅପଣାଇବା ପାଇଁ ଦାବି ହେଉଛି । (ତଥ୍ୟ)