ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ ସଂଗ୍ରହ ୫୪୦୦ କୋଟି ଟଙ୍କାକୁ ବଢାଇବା ଲାଗି ଗୋଟିଏ ପଟେ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଅନ୍ୟ ପଟେ ନିଶାର ବହୁଳ ପ୍ରସାର ଯୋଗୁଁ ଯୁବକ ଓ କିଶୋରମାନେ ବିଶେଷ କ୍ଷତିଗ୍ରସ୍ତ ହେଉଥିବାରୁ ସରକାର ଉଦ୍ବେଗପ୍ରକାଶ କରି ଏହାର ନିୟନ୍ତ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ଲାଗି ପୁଲିସ୍କୁ କହୁଛନ୍ତି ।
ଚଳିତ ବର୍ଷର ମୂଳ ବଜେଟ୍ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ଥିବାବେଳେ ସେଥିରୁ ରାଜ୍ୟ ସରକାର ଅବକାରୀ ଟିକସ ଆକାରରେ ୫୪୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୦-୨୧ ବର୍ଷରେ ସରକାର ୪୦୫୩ କୋଟି ୬ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିଥିଲେ । ଚଳିତବର୍ଷର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ଗତ ଅକ୍ଟୋବର ଶେଷ ସୁଦ୍ଧା ଏ ବାବଦରେ ୨୮୦୪ କୋଟି ୮୬ଲକ୍ଷ ଟଙ୍କା ସଂଗୃହୀତ ହୋଇ ସାରିଲାଣି । କେବଳ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର ଅବାକରୀରୁ ୪୦୧.୯୮ କୋଟି ଟଙ୍କା ପାଇଛନ୍ତି ।
ଏହି ପରିସଂଖ୍ୟାନରୁ ପ୍ରତୀୟମାନ ହେଉଛି ଯେ ଏବର୍ଷ ଓଡିଶା ସରକାରଙ୍କ ନିଜସ୍ୱ ଟିକସ ଆୟ ୩୭,୫୦୦ କୋଟି ଟଙ୍କା ହେବବୋଲି ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିରୁ ଅବକାରୀ ରାଜସ୍ୱର ପରିମାଣ ୫୪୦୦ କୋଟି ଟଙ୍କା ରହିବ । ମୋଟାମୋଟି ଭାବେ ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ବିକ୍ରି ଯୋଗୁଁ ଓଡିଶା ସରକାର ବର୍ଷକୁ ରାଜସ୍ୱ ଆକାରରେ ୫୪୦୦ କୋଟି ଟଙ୍କା ପାଇବାକୁ ଯାଉଛନ୍ତି ଏବଂ ଏ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ପାଖାପାଖି ପୂରଣ ହେବବୋଲି ବିଭାଗୀୟ ଅଧିକାରୀମାନେ ଆଶା କରୁଛନ୍ତି ।
ଅନ୍ୟ ପକ୍ଷରେ ନିକଟରେ ପୁଲିସ୍ ବିଭାଗର ଏକ ଦୀକ୍ଷାନ୍ତ ସମାରୋହରେ ଅଭିଭାଷଣ ରଖି ରାଜ୍ୟପାଳ ଓଡିଶାରେ ନିଶାର ପ୍ରସାର ଘେନି ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ନିଶା କାରବାର ଓ ସେବନ ଯୋଗୁଁ ଅପରାଧ ଘଟୁଛି ଏବଂ ନାବାଳକ ତଥା ଶିଶୁମାନେ ଏହାର ଶିକାର ହେଉଛନ୍ତି । ଓଡିଶାର ବଚ୍ପନଙ୍କୁ ନିଶା ରାକ୍ଷାସ କବଳରୁ ବଞ୍ଚାଇବାପାଇଁ ଖୋଦ ରାଜ୍ୟପାଳ ପୁଲିସ୍ ଅଧିକାରୀମାନଙ୍କୁ ଡିଜିଙ୍କ ଉପସ୍ଥିତିରେ ଆହ୍ୱାନ ଦେଇଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଘୋଷିତ ଯୁବନୀତିରେ ବି ନିଶାର ପ୍ରସାର ଘେନି ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହ ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ଓ ନିଶାଗ୍ରସ୍ତ ଯୁବକମାନଙ୍କୁ ନିଶାମୁକ୍ତି କେନ୍ଦ୍ର ମାଧ୍ୟମରେ ନିଶା ଛଡାଇବା ସହିତ ଆଲକୋହଲମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଏହି ନୀତିରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହା ସତ୍ୱେ ବି ନିଶା କମିବା ପରିବର୍ତ୍ତେ ବଢିବାରେ ଲାଗିଛି ।
ନିଶା କାରବାର ସହ ଜଡିତ ବ୍ୟବସାୟୀ କହୁଛନ୍ତି ଯେ ଓଡିଶାରେ ବର୍ଷକୁ ୨୦ରୁ ୨୫ କୋଟି ଲିଟର ପର୍ଯ୍ୟନ୍ତ ମଦ କାରବାର ହେଉଛି । ଏହାର ମୁଖ୍ୟାଂଶ ଚୋରା ବଜାରରୁ ଆସୁଛି । ସେହିଭଳି ଘନ ଘନ ଚଢଉ ଫଳରେ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନସୁଗାର, ଗଞ୍ଜେଇ, ନକଲି ବିଦେଶୀ ମଦ ଓ ଅନ୍ୟାନ୍ୟ ନିଶାଯୁକ୍ତ ସାମଗ୍ରୀ ଜବତ ହେଉଛି । ଏମିତିକି ଓଡିଶାରୁ ଅନ୍ୟ ରାଜ୍ୟକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ବାହାରୁ ବି ଓଡିଶା ବଜାରକୁ ବିପୁଳ ପରିମାଣର ବ୍ରାଉନସୁଗାର ଓ ଅନ୍ୟାନ୍ୟ ନିଷିଦ୍ଧ ନିଶା ଆସୁଛି ।
ସରକାରୀ ରିପୋର୍ଟ ମୁତାବକ ମଦଦୋକାନର ଗ୍ରାହକମାନଙ୍କ ମଧ୍ୟରେ ୨୫ରୁ କମ୍ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ ରହୁଛି ଏବଂ ସ୍କୁଲ କଲେଜର ପିଲାମାନଙ୍କୁ ବି ନିଶା ପ୍ରତି ଆକୃଷ୍ଟ କରାଯାଉଥିବାରୁ ସମସ୍ୟା ଗମ୍ଭୀର ହେଉଛି । (ତଥ୍ୟ)