Home General ନିଶା ନିବାରଣ ଶପଥ ପାଠ

ନିଶା ନିବାରଣ ଶପଥ ପାଠ

ଭୁବନେଶ୍ୱର : ରାଜ୍ୟ ସାରା ମଦଦୋକାନ ଖୋଲା ରଖି ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ ପାଇଁ ଶପଥ ନେବାକୁ ଯେଉଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ସେଥିଘେନି ନିଶା ପ୍ରସାରଣ ଓ ନିଶା ନିବାରଣ ଗୋଷ୍ଠି ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।

ଗୋଟିଏ ପଟେ ରାଜ୍ୟ ସରକାର ଗତବର୍ଷ ତୁଳନାରେ ଏବର୍ଷ ଅଧିକ ପ୍ରାୟ ହଜାରେ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ବଜେଟ୍‍ରେ ଯେଉଁ ପ୍ରସ୍ତାବ ରଖିଛନ୍ତି ସେଥିରୁ ବିଗତବର୍ଷ ତୁଳନାରେ ଚଳିତବର୍ଷ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକରେ ଅଧିକ ମଦ ବିକ୍ରୟ କରାଯିବା ଏକପ୍ରକାର ନିଶ୍ଚିତ । ବିଶେଷକରି ମଦଦୋକାନୀମାନେ ଏଥିଲାଗି ମିନିମମ ଗ୍ୟାରେଣ୍ଟ କୋଟା (ଏମଜିକ୍ୟୁ) ରେ ମଦ ଉଠାଇବାକୁ ବାଧ୍ୟହେବେ ଏବଂ ନିଜ ଲାଇସେନ୍ସପ୍ରାପ୍ତ ଦୋକାନ କାଉଣ୍ଟରରେ ଏତେ ମଦ ବିକ୍ରୟ କରାଯିବାର ସମ୍ଭାବନା ନଥିବାରୁ କୁଚିଆମାନଙ୍କ ମାଧ୍ୟମରେ ଲୋକଙ୍କ ହାତ ପାଆନ୍ତାରେ ଗାଁ ଗହଳରେ ବି ମତ ପହଞ୍ଚାଇବାକୁ ପୂର୍ବଭଳି ସକ୍ରିୟ ରହିବେ ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର ବର୍ଷ ବର୍ଷ ଧରି ସକ୍ରିୟ ନାଗରିକତା କାର୍ଯ୍ୟକ୍ରମରେ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରି ନିଶା ବିରୁଦ୍ଧରେ ସଚେତନତା ସୃଷ୍ଟି କରାଉଥିଲେ ମଧ୍ୟ ନିଶା ପ୍ରସାରଣ ଉପରେ ତାହାର କୌଣସି ପ୍ରଭାବ ପଡୁନାହିଁ । ଏହାକୁ ଆଖିଆଗରେ ରଖି ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଓଡିଶା ମଦମୁକ୍ତି ଅଭିଯାନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେଉଛି ଏବଂ ବିଶେଷକରି ମହିଳାମାନେ ମଦୁଆଙ୍କ ଦ୍ୱାରା ସର୍ବାଧିକ ଉତ୍ପୀଡନର ଶିକାର ହେଉଥିବାରୁ ସେମାନେ ଖୋଲାଖୋଲି ଭାବେ ରାଜରାସ୍ତାକୁ ଆସି ବହୁ ସ୍ଥଳରେ ମଦଭାଟି ଉପରେ ଚଢଉ କରୁଛନ୍ତି ।

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ତାହାର ନିର୍ବାଚନ ସଙ୍କଳ୍ପପତ୍ରରେ ମଧ୍ୟ ନିଶା ନିବାରଣ କଥା ଉଲ୍ଲେଖ କରିଥିଲା । ପୂର୍ବରୁ ମଦ ବିରୋଧି ବହୁ ଆନ୍ଦୋଳନରେ ବିଜେପି ନେତାମାନେ ବି ସମର୍ଥନ ଦେଉଥିଲେ । ଏମିତିକି ବର୍ତ୍ତମାନର ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବିଧାନସଭା ନିର୍ବାଚନରେ ମଦ ଏକ ପ୍ରମୁଖ ପ୍ରସଙ୍ଗ ଥିଲା । ତେବେ ଓଡିଶାରେ ନୂଆ ମଦଦୋକାନ ଖୋଲିବନାହିଁ ବୋଲି ସେ ଘୋଷଣା କରିଥିବାବେଳେ ସମ୍ପୂର୍ଣ୍ଣ ନିଶା ନିବାରଣ ସଂକ୍ରାନ୍ତରେ ନିରବ ରହି ଚୋରା ନିଶା କାରବାର ବିରୁଦ୍ଧରେ ସରକାର ସାଲିସ ବିହୀନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସୂଚାଇଛନ୍ତି ।

ଓଡିଶାରେ ବର୍ଷକୁ ଯେତେ ପରିମାଣର ଅବକାରୀ ରାଜସ୍ୱ ମିଳୁଛି ତାହାର ଏକ ଦଶମାଂଶ ମଧ୍ୟ ନିଶା ନିବାରଣ କାର୍ଯ୍ୟକ୍ରମ ପାଇଁ ବ୍ୟୟ କରାଯାଉ ନାହିଁ । ଅଥଚ ଅନ୍ୟ ପକ୍ଷରେ ଅର୍ଥନୀତି ବିଶାରଦ ଓ ସମାଜଶାସ୍ତ୍ରୀମାନେ ହିସାବ ନିକାଶ କରି ବାରମ୍ବାର ଚେତାଇ ଆସୁଛନ୍ତି ଯେ ନିଶା ପ୍ରସାରଣ ଯୋଗୁଁ ସରକାର ଯେତେ ପରିମାଣର ଅବକାରୀ ରାଜସ୍ୱ ପାଉଛନ୍ତି ବାସ୍ତବରେ ବ୍ୟକ୍ତି, ପରିବାର, ସମାଜ ଓ ସରକାରଙ୍କ କ୍ଷତିର ପରିମାଣ କିନ୍ତୁ ମିଳୁଥିବା ଅବକାରୀ ରାଜସ୍ୱର ଶହେ ଗୁଣରୁ ଅଧିକ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୦୨-୦୩ ବେଳକୁ ଓଡିଶାର ବାର୍ଷିକ ଅବକାରୀ ରାଜସ୍ୱ ପରିମାଣ ୨୪୬ କୋଟି ଟଙ୍କା ଥିବାବେଳେ ଏହା ବଢି ବଢି ୨୦୨୩-୨୪ ବର୍ଷରେ ୭୮୦୦ କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ ଚଳିତବର୍ଷ ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ପରିମାଣ ୮୬୮୦ କୋଟି ଟଙ୍କା ହେବ ବୋଲି ବଜେଟ୍‍ରେ ଥିବା ପ୍ରସ୍ତାବରୁ ଜଣାପଡିଛି । ଶିକ୍ଷାନୁଷ୍ଠାନରୁ ଜେଲ୍‍ଖାନା ଏବଂ ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ଚାରିଆଡେ ମଦ ସମେତ ବ୍ରାଉନସୁଗାର, ଚରସ, ହେରୋଇନ୍‍ ଆଦି ବିଭିନ୍ନ କିସମର ବିପଦଜନକ ନିଶା ସାମଗ୍ରୀ ବଢି ଚାଲିଛି । ଦେଶର ବିଭିନ୍ନ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ କ୍ଷେତ୍ରରେ ଓଡିଶା ବେଶ୍‍ ବଦନାମ ମୁଣ୍ଡାଉଛି ।(ତଥ୍ୟ)