Home Excise ନିଶା ନିବାରଣ ନିଷ୍ପତ୍ତିକୁ ଅପେକ୍ଷା

ନିଶା ନିବାରଣ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର : ଓଡିଶାରେ ନିଶା ଜନିତ ସମସ୍ୟା ଭୟଙ୍କର ରୂପ ନେଉଥିବା ପରିପ୍ରେକ୍ଷୀରେ ଏବର୍ଷର ବିଶ୍ୱ ନିଶା ନିବାରଣ ଦିବସ ପାଳନ ଅବସରରେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ସକରାତ୍ମକ ବଡ ଘୋଷଣା କରିବାପାଇଁ ଓଡିଶା ମଦ ମୁକ୍ତି ଅଭିଯାନ, ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ସମେତ ବହୁ ସାମାଜିକ ଅନୁଷ୍ଠାନ ଦାବି କରୁଛନ୍ତି ।

ରାଜ୍ୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ତାହାର ନିର୍ବାଚନ ଇସ୍ତାହାର ପାଇଁ ଘୋଷଣା କରିଥିବା ସଙ୍କଳ୍ପପତ୍ରରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଇ ନିଶା ନିୟନ୍ତ୍ରଣ କରିବ ବୋଲି କହିଥିବା ପରିପ୍ରେକ୍ଷୀରେ ନିଶା ଯୋଗୁଁ ଛଟପଟ ହେଉଥିବା ପରିବାରଗୁଡିକ ରାଜ୍ୟ ସରକାରଙ୍କ ଠାରୁ ନିଶା ନିବାରଣ ପ୍ରତିଶ୍ରୁତି ପାଳନ ଆଶା କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ନିର୍ବାଚନରେ ରାଜ୍ୟର କେତେକ ନିର୍ବାଚନମଣ୍ଡଳୀରେ ଚୋରା ଓ ଲାଇସେନ୍ସପ୍ରାପ୍ତ ନିଶା ବାରକାର ସହ ସମ୍ପୃକ୍ତ ଅନେକ ବ୍ୟକ୍ତି ନିଜ ନିଜ ପରିବାର ସଦସ୍ୟଙ୍କ ଲାଗି ବିଭିନ୍ନ ଦଳରୁ ଟିକଟ ହାସଲ କରିବାରେ ସମର୍ଥ ହୋଇଥିଲେ । ତେବେ ଏଭଳି ପ୍ରାର୍ଥୀ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ସାଧାରଣ ଲୋକେ ସେମାନଙ୍କୁ ପ୍ରତ୍ୟାଖାନ କରି ନିଶା ନିବାରଣ ସପକ୍ଷରେ ସ୍ପଷ୍ଟ ମତ ଦେଇଛନ୍ତି ।

ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ଯେ ମଦ, ବ୍ରାଉନସୁଗାର, ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ଲଗାମଛଡା ପ୍ରସାର ଯୋଗୁଁ ରାଜ୍ୟରେ ବଳାତ୍କାର, ହତ୍ୟା, ଚୋରି ଡକାୟତି, ମାରପିଟ୍‍, ନାରୀ ଓ ଶିଶୁ ନିର୍ଯ୍ୟାତନା ସମେତ ବିଭିନ୍ନ କିସମର ଅପରାଧ ବଢୁଛି । ଏମିତିକି ନିଶାଗ୍ରସ୍ତ ବାପା ଝିଅ ପ୍ରତି ବଳାତ୍କାର କରିବା ଓ ମଦୁଆ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିବା ଭଳି ଅଭାବନୀୟ ଘଟଣାର ବିବରଣୀ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିବାବେଳେ ସରକାର କିନ୍ତୁ ଏଥିପ୍ରତି ଆଖିବୁଜି ଦେଇ ଏକ ପ୍ରକାର ଅପରାଧବୃଦ୍ଧିକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି ।

କେବଳ ସେତିକି ନୁହେଁ, ନିଶା ପ୍ରସାରଣ ଯୋଗୁଁ ଆତ୍ମହତ୍ୟା, ସଡକ ଦୁର୍ଘଟଣା, ରୋଗବ୍ୟାଧି ଆଦି ବୃଦ୍ଧି ପାଇ ବ୍ୟାପକ ଧନଜୀବନ ନଷ୍ଟ ହେଉଛି । ରାଜ୍ୟ ସରକାରଙ୍କୁ ବି ଏଥିଲାଗି ତଣ୍ଡ ଗଣିବାକୁ ପଡୁଛି । ବ୍ୟକ୍ତି, ପରିବାର, ସମାଜ ଓ ରାଜ୍ୟ ଉପରେ ଏହାର ସିଧାସଳଖ କୁପ୍ରଭାବ ପଡିବା ସଂଗେ ସଂଗେ ବ୍ୟବସ୍ଥା ବିଗୁଡୁଛି ।

ଓଡିଶା ଅବକାରୀ ଆଇନ୍‍ ଓ ସମ୍ବିଧାନରେ ନିଶା ନିବାରଣ ବ୍ୟବସ୍ଥା ରହିଥିଲେ ବି ତାହାକୁ କାର୍ଯ୍ୟକାରୀ କରାନଯିବା ଦୁର୍ଭାଗ୍ୟଜନକ । ନିଶା ପ୍ରସାରଣ ଯୋଗୁଁ ବେକାରୀ ଓ ବେରୋଜଗାରୀ ବୃଦ୍ଧି ପାଇବା ସହିତ ବ୍ୟାପକ ଶ୍ରମଦିବସ ନଷ୍ଟ ହେଉଛି ଏବଂ ଦାରିଦ୍ର‌୍ୟ ବଢିବା ସଂଗେ ସଂଗେ ବିଭିନ୍ନ ସରକାରୀ ଯୋଜନାରୁ ଯେତେ ସୁଫଳ ମିଳିବାକଥା ତାହା ମିଳୁନାହିଁ । ଓଡିଶାରେ ପ୍ରାୟ ୭୦ ପ୍ରତିଶତ ଲୋକ ମାଗଣା ଚାଉଳ ଉପରେ ନିର୍ଭର କରିବା ଭଳି ଦୟନୀୟ ସ୍ଥିତି ପଛରେ ନିଶାର ଭୟଙ୍କର ଅବଦାନ ରହିଥିବା ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ।

ଓଡିଶା ସରକାର ତମାଖୁ, ଗୁଟ୍‍ଖା ଇତ୍ୟାଦି ନିୟନ୍ତ୍ରଣ ପାଇଁ ୨୦୧୨ ମସିହାରୁ ବ୍ୟବସ୍ଥା କରିଥିଲେ ମଧ୍ୟ ଏଯାବତ୍‍ ତାହାର କଡାକଡି ଅନୁପାଳନ କରିବା ପରିବର୍ତ୍ତେ ମୁଖଗହ୍ୱର କର୍କଟ ରୋଗର ଅନ୍ୟତମ କାରଣ ‘ଚୁଇଙ୍ଗ୍‍ ଟବାକୋ’ ର ପ୍ରସ୍ତୁତି, ବିପ୍ପଣନ ଓ ସେବନ ପାଇଁ ଖୋଲା ଅନୁମତି ଦେଇଛନ୍ତି । ମଦମୁକ୍ତ ଅଭିଯାନ ପକ୍ଷରୁ ପୁଣି କୁହାଯାଇଛି ଯେ ଅବକାରୀ ରାଜସ୍ୱରୁ ରାଜ୍ୟ ସରକାର ଯେତେ ରାଜସ୍ୱ ପାଉଛନ୍ତି ବସ୍ତୁତଃ ସାମଗ୍ରୀକ କ୍ଷତିର ପରିମାଣ ତାହାର ଶହେ ଗୁଣରୁ ଅଧିକ ହୋଇଥିବାବେଳେ ନିଶା ପ୍ରସାରଣ ଯୋଗୁଁ ଅସାଧୁ ରାଜନେତା ଓ ଅଧିକାରୀମାନେ ବିପୁଳ ପରିମାଣର କଳାଟଙ୍କା ଠୁଳ କରି ସାଧାରଣ ଲୋକଙ୍କ ସର୍ବନାଶର ମାଧ୍ୟମ ପାଲଟୁଛନ୍ତି । (ତଥ୍ୟ)