ଭୁବନେଶ୍ୱର : ଅବକାରୀରୁ ରାଜ୍ୟ ସରକାର ବର୍ଷକୁ ୧୦ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଥିବାବେଳେ ଲୋକଙ୍କୁ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର ଖରାପ ପ୍ରଭାବ ସଂକ୍ରାନ୍ତରେ ଶିକ୍ଷା ଦେବାପାଇଁ ୧୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ପାଣ୍ଠି ସୃଷ୍ଟି କରିବେ । ସଦ୍ୟ ଘୋଷିତ ଓଡିଶା ସରକାରଙ୍କ ଅବକାରୀ ନୀତିରେ ଏହା କୁହାଯାଇଛି ।
କେବଳ ସେତିକି ନୁହେଁ ମଦ ତିଆରି କରୁଥିବା କମ୍ପାନୀ ଓ ଏହାକୁ ବାଣ୍ଟିବା ଦାୟିତ୍ୱରେ ଥିବା ସଂସ୍ଥାମାନେ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ମଦ ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ କରିବେ । ଆଲକୋହଲ ଗୋଟିଏ ଭୀଷଣ ପାପ ଏବଂ ଏହାର ସୁଦର ପ୍ରସାରୀ ସାମାଜିକ ପ୍ରଭାବ ରହୁଥିବା ଦୃଷ୍ଟିରୁ ଓଡିଶାରେ ଯେଉଁ ମଦ କମ୍ପାନୀଗୁଡିକ ବ୍ୟବସାୟ ଚଳାଉଛନ୍ତି ସେମାନେ ମଦ ସେବନର ଖରାପ ପ୍ରଭାବ ଦୂର କରିବାପାଇଁ ଉଦ୍ୟମ କରିବେ । ଏଥିଲାଗି ସମ୍ପୃକ୍ତ କମ୍ପାନୀମାନେ ଯଥା ସମ୍ଭବ ତାଙ୍କ ସିଏସଆର ପାଣ୍ଠିର ସର୍ବାଧିକ ଖର୍ଚ୍ଚ କରିବାପାଇଁ କୁହାଯାଇଛି ।
କେଉଁ ମଦ ପ୍ରସ୍ତୁତକାରୀ ଓ ବିତରକ ସଂସ୍ଥା ତାଙ୍କ ସିଏସଆର କାର୍ଯ୍ୟକ୍ରମରେ ଯାହାସବୁ କାମ କରିବେ ତାହାକୁ ଅବକାରୀ ନିର୍ଦ୍ଦେଶାଳୟ ନିୟନ୍ତ୍ରଣ କରିବ । ପ୍ରତିବର୍ଷ ମଦ ପ୍ରସ୍ତୁତକାରୀ ଓ ବିତରକ ସଂସ୍ଥାମାନେ ତାଙ୍କ ସିଏସଆର କାର୍ଯ୍ୟକଳାପ ସଂକ୍ରାନ୍ତରେ ଓଡିଶାର ଅବକାରୀ କମିଶନରଙ୍କୁ ଅବହିତ କରିବେ ଏବଂ ଅବକାରୀ କମିଶନର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ବୋଲି ଅବକାରୀ ନୀତିରେ ଉଲ୍ଲେଖ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଚଳିତବର୍ଷ ବଜେଟରେ ରାଜ୍ୟ ସରକାର ୧୦,୯୦୦ କୋଟି ଟଙ୍କାର ଅବକାରୀ ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅବକାରୀ ଟିକସ ସହିତ ଭାଟ୍ ଆଦିକୁ ମିଶାଇଲେ ଏହା ୧୪ହଜାର କୋଟି ଟଙ୍କାକୁ ଟପିପାରେ ବୋଲି ଆଶା କରାଯାଉଛି । ୨୦୨୩-୨୪ ବର୍ଷରେ ଏହାର ପରିମାଣ ୭୨୧୫ କୋଟି ଟଙ୍କା ଥିବାବେଳେ ୨୦୦୦-୦୧ ବର୍ଷରେ ଥିଲା ୧୩୫ କୋଟି ୩୫ଲକ୍ଷ ଟଙ୍କା ।
ଓଡିଶାରେ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ବର୍ଷକୁ ବର୍ଷ ମଦ ବିକ୍ରି ବଢିବା ସହିତ ଅବକାରୀ ରାଜସ୍ୱ ବି ବଢୁଛି ଏବଂ ଏଥିସହ ତାଳଦେଇ ରୋଗବ୍ୟାଧି ଠାରୁ ଆରମ୍ଭକରି ନାରୀ ନିର୍ଯ୍ୟାତନା, ଦୁର୍ଘଟଣା, ହତ୍ୟା, ଧର୍ଷଣ ଆଦି ମଧ୍ୟ ବୃଦ୍ଧି ପାଉଛି । ୨୦୨୦-୨୧ ବର୍ଷରେ ସରକାର ୨୦କୋଟି ଲିଟର ମଦ ଯୋଗାଇ ଥିବାବେଳେ ୨୦୨୪-୨୫ ବର୍ଷରେ ମଦୁଆମାନଙ୍କ ଚାହିଦା ମେଣ୍ଟାଇବା ପାଇଁ ୪୦କୋଟି ଲିଟରରୁ ଅଧିକ ଯୋଗାଇଛନ୍ତି ।
ମୋଟାମୋଟି ଭାବେ ଖଣି ଓ ଜିଏସ୍ଟି ରାଜସ୍ୱ ଭଳି ଅବକାରୀ ରାଜସ୍ୱ ସରକାରଙ୍କର ଏକ ପ୍ରମୁଖ ଆୟ ଭାବେ ଗଣାଯାଇଥାଏ । ତେବେ ରାଜସ୍ୱ ବାର୍ଷିକ ବଜେଟ୍ ୩ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଥିବାବେଳେ ଅବକାରୀରୁ ଏଥିକୁ ମିଳିବାକୁ ଅଛି ମାତ୍ର ୧୦,୯୦୦ କୋଟି ଟଙ୍କା । ନୂଆ ଅବକାରୀ ନୀତିରେ କୁହାଯାଇଛି ଯେ ଜାତୀୟ ଓ ରାଜ୍ୟ ରାଜପଥ କଡରେ ନୂଆ ମଦ ଦୋକାନ ଖୋଲିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯିବା ଆବଶ୍ୟକ । ଏହାଛଡା ରାଜପଥ କଡରେ କୌଣସି ମଦ ଦୋକାନ ସାଇନବୋର୍ଡ ଲଗାଇ ପାରିବେ ନାହିଁ । ଗ୍ରାମାଞ୍ଚଳରେ ଗୋଟିଏ ସ୍ଥାନରୁ ମଦ ଦୋକାନ ଉଠାଗଲେ ତାହା ଗ୍ରାମାଞ୍ଚଳର ଅନ୍ୟ ସ୍ଥାନରେ ହିଁ ଖୋଲିବ । ସେହିପରି ସହରାଞ୍ଚଳରେ ବନ୍ଦ ହେଉଥିବା ଗୋଟିଏ ମଦ ଦୋକାନ ମଧ୍ୟ ସହରାଞ୍ଚଳର ଅନ୍ୟ ସ୍ଥାନରେ ଖୋଲିବାକୁ କୁହାଯାଇଛି । ଏଥିପାଇଁ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆହ୍ୱାନ କରିବାଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ସିଡ୍ୟୁଲ ଅଞ୍ଚଳରେ ନୂଆ ମଦଦୋକାନ ଖୋଲିବା କିମ୍ବା ପୁରୁଣା ମଦ ଦୋକାନର ନବୀକରଣ ବେଳେ ପେସା ଆଇନ୍କୁ କଡାକଡିଭାବେ ଜିଲ୍ଲାପାଳମାନେ ଅନୁସରଣ କରିବାକୁ ଅବକାରୀ ନୀତିରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି । ତେବେ ତିନି ତାରକା କିମ୍ବା ତଦୁର୍ଦ୍ଧ ବର୍ଗର ହୋଟେଲଗୁଡିକୁ ଠିପିଖୋଲା ମଦ ଲାଇସେନ୍ସ ଦିଆଯିବାବେଳେ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗର ଆବଶ୍ୟକ ରହିବ ନାହିଁ । (ତଥ୍ୟ)

