ଭୁବନେଶ୍ୱର : ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଗତ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କ ନିକଟରେ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଥିବା ବେଳେ ବନ୍ଦ ଥିବା ମଦ ଦୋକାନ ଖୋଲିବା ଓ ତିନୋଟି ନୂଆ ମଦ କାରଖାନା ପ୍ରତିଷ୍ଠା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି । ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଓଡ଼ିଶା ନିଶା ନିବାରଣ ଆଇନ୍ ୧୯୫୬କୁ ସଂଶୋଧନ ସହିତ ତୁରନ୍ତ ଲାଗୁ କରିବାକୁ ଅଭିଯାନ ଦାବି କରିଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ନେତାମାନେ ନିଶାର ଭୟାବହତାକୁ ଉପଲବ୍ଧି କରି ରାଜ୍ୟର ୩୦ଟିଯାକ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଆର୍ôଥକ ଅନୁଦାନରେ ନିଶାମୁକ୍ତ ଭାରତ ଅଭିଯାନ ଚଳାଉଥିବାବେଳେ ନିଶା ଯୋଗୁ ଅପରାଧ ଘଟୁଥିବା ଘେନି ଅବକାରୀ ବିଭାଗ ନିକଟରେ କୌଣସି ତଥ୍ୟ ନଥିବା ଓ ଓଡ଼ିଶାରେ ନିଶା ନିବାରାଣ ଲାଗୁ କରିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନଥିବା ସଂକ୍ରାନ୍ତରେ ଯେଉଁ ବକ୍ତବ୍ୟ ପ୍ରକାଶ ପାଇଛି ସେଥିଘେନି ମଦମୁକ୍ତି ଅଭିଯାନ ଉଦ୍ବେଗ ପ୍ରକାଶ କରିଛି । ରାଜ୍ୟ ସରକାର ‘ନିଶା ନୁହେଁ, ଜୀବନ ଚାହୁଁ’ ସ୍ଲୋଗାନ୍ ଦେଉଥିବା ବେଳେ ଅନ୍ୟପକ୍ଷରେ ମଦ କାରଖାନା ବସାଇବା ଓ ବନ୍ଦ ଥିବା ମଦ ଦୋକାନ ଖୋଲିବା ଘେନି ଯେଉଁ ସମ୍ବାଦ ପ୍ରକାଶ ପାଉଛି ତାହା ଚିନ୍ତାଜନକ ବୋଲି ମଦମୁକ୍ତି ଅଭିଯାନର ଅନ୍ୟତମ ପରାମର୍ଶଦାତା ପ୍ରହଲାଦ କୁମାର ସିଂହ ଅଭିଯୋଗ କରିଛନ୍ତି ।
ସରକାରୀ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ ଗୋଟିଏ ପଟେ ଚୋରା ନିଶା କାରବାର ରୋକିବା ପାଇଁ ସରକାର ‘ଅପରେସନ୍ ପ୍ରହାର’ ନାମରେ ଏକ କାର୍ଯ୍ୟକ୍ରମ ଚଳାଇଥିବା ବେଳେ ଅନ୍ୟପଟେ ଅବକାରୀ ମାମଲାରେ ଫଇସଲା ଓ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ସରକାରୀ ପରିସଂଖ୍ୟାନ ମୁତାବକ ସାରା ରାଜ୍ୟରେ ୧,୪୮,୩୧୬ଟି ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ୫ବର୍ଷରେ ମାତ୍ର ୨୧୨ଟିରେ ଦଣ୍ଡବିଧାନ ହୋଇଛି ଓ ୨୦,୦୬୫ରେ ଅଭିଯୁକ୍ତ ଖଲାସ ହୋଇଛନ୍ତି ।
ସେହିଭଳି ନିଶା ପ୍ରସାର ଯୋଗୁ ରାଜ୍ୟର ଯୁବଶକ୍ତି ବାଟବଣା ହେଉଥିବା ଏବଂ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ସମେତ ବିଭିନ୍ନ କିସମର ଅପରାଧ, ଦୁର୍ଘଟଣା, ଆତ୍ମହତ୍ୟା ଆଦି ବଢ଼ିବା, ରୋଗବ୍ୟାଧି ବୃଦ୍ଧି ପାଇବା ସହିତ ସରକାରଙ୍କ ବିଭିନ୍ନ ସାମାଜିକ ନିରାପତ୍ତା, ଦାରିଦ୍ର୍ୟ ଦୂରୀକରଣ ଓ ଅନ୍ୟାନ୍ୟ ସେବା ଯୋଜନାରେ ଲକ୍ଷ୍ୟ ବାଟବଣା ହେଉଛି । ଗୁଜରାଟ ଓ ବିହାର ଭଳି ରାଜ୍ୟ ଯଦି ଅବକାରୀ ରାଜସ୍ୱକୁ ଜଳାଞ୍ଜଳି ଦେଇ ନିଶା ନିବାରଣ ଲାଗୁ କରିପାରୁଛନ୍ତି ତେବେ ଓଡ଼ିଶା ଗୁଜରାଟ ଓ ବିହାର ମଡେଲ୍ ଏ କ୍ଷେତ୍ରରେ କାହିଁକି ଅନୁସରଣ କରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ କୋରାପୁଟ ଜିଲ୍ଲାପାଳ ଥିବାବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିବା ସହିତ ନିଶା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନର ଆଖି ଖୋଲି ଦେଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ନିଜ ସଂକଳ୍ପ ନିଜେ ତୁରନ୍ତ ପ୍ରତିପାଳନ କରି ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଏବଂ ନିଶା ବିରୋଧରେ ଅଭିଯାନ ଚଳାଉଥିବା ମହିଳା, ଯୁବଗୋଷ୍ଠୀ ଏବଂ ସଂଗଠନମାନଙ୍କ ସହଯୋଗ ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସେ କହିଛନ୍ତି । (ତଥ୍ୟ)