Home Excise ନିଶାମୁକ୍ତି ପାଇଁ ସିନ୍ଦୁର ସୁରକ୍ଷା ସଂକଳ୍ପ

ନିଶାମୁକ୍ତି ପାଇଁ ସିନ୍ଦୁର ସୁରକ୍ଷା ସଂକଳ୍ପ

ଭୁବନେଶ୍ୱର : ମଦ ଓ ଅନ୍ୟାନ୍ୟ ନିଶା ଯୋଗୁ ବ୍ୟକ୍ତି, ପରିବାର ଓ ସମାଜ ବିଗିଡ଼ିବା ସହିତ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବଢ଼ୁଛି । ଏଥିଯୋଗୁ ଅନେକ ମହିଳାଙ୍କ ଶଙ୍ଖା ସିନ୍ଦୁର ବିପନ୍ନ ହେଉଛି । ଏ ପରିପ୍ରେକ୍ଷୀରେ ସିନ୍ଦୁର ସୁରକ୍ଷା ପାଇଁ ଏ ବର୍ଷ ସାବିତ୍ରୀ ବ୍ରତ ଠାରୁ ମଦମୁକ୍ତ ଓଡ଼ିଶା ଅଭିଯାନକୁ ବ୍ୟାପକ କରିବା ପାଇଁ ମହିଳାମାନେ ପୁଣିଥରେ ସଂକଳ୍ପବଦ୍ଧ ସଂଗ୍ରାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଜୁନ୍‍ ୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚୋରା ନିଶା ବିରୋଧରେ ଜନସଚେତନତା ସୃଷ୍ଟି ଲାଗି ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର ତାଙ୍କର ନିଶା ନିବାରଣ ଆଇନ୍‍ କଡ଼ାକଡ଼ି ପାଳନ କରିବା ପରିବର୍ତ୍ତେ ମିନିମମ୍‍ ଗ୍ୟାରେଣ୍ଟି କୋଟା ନାମରେ ମଦ ପ୍ରସାରଣ କରିବା ଏବଂ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ଚୋରା ନିଶା କାରବାର ବଢ଼ୁଥିବା ଘେନି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ଏବଂ କ୍ରାନ୍ତିକାମୀ ମହିଳାମାନେ ଉଦ୍‍ବେଗ ପ୍ରକାଶ କରିଛନ୍ତି ।

ପ୍ରଫେସର ରୁଦ୍ରାଣୀ ମହାନ୍ତି, କୃଷ୍ଣା ମହାନ୍ତି, କବିତା ରାଣୀ ପରିଡ଼ା, ସୋମା ପୃଷ୍ଟି, ଅର୍ଚ୍ଚନା ପାତ୍ର, ସୁଭଶ୍ରୀ ମିଶ୍ର, ଶ୍ରୀମନ୍ତିନୀ ଜେନା, ସୁମିତ୍ରା ଜେନା, କସ୍ତୁରୀ ସରକାର, ସିଦ୍ଧେଶ୍ୱରୀ କନ୍ଧର, ସ୍ୱର୍ଣ୍ଣଲତା ଜେନା, ରାଜଲକ୍ଷ୍ମୀ ମଜୁମଦାର ପ୍ରମୁଖ ବହୁ ନାରୀନେତ୍ରୀ ସାବିତ୍ରୀ ବ୍ରତ ଠାରୁ ସିନ୍ଦୁର ସୁରକ୍ଷା ପାଇଁ ମଦମୁକ୍ତି ଅଭିଯାନକୁ ସଂକଳ୍ପବଦ୍ଧ ଭାବେ ସାରା ରାଜ୍ୟରେ ଦଳମତ ନିର୍ବିଶେଷରେ ଆଗେଇ ନେବା ଲାଗି ନିବେଦନ କରିଛନ୍ତି ।

ନିଶା ପାଇଁ ଲକ୍ଷଲକ୍ଷ ପରିବାର ଉଜୁଡ଼ିବା ସହିତ ଅନେକ ସାଧବାଙ୍କ ସିନ୍ଥିରୁ ସିନ୍ଦୁର ଲିଭୁଛି ଏବଂ ବହୁ ପିଲା ବାପା-ମା’ ଛେଉଣ୍ଡ ହେଉଥିବା ବେଳେ ଦୁର୍ଘଟଣା, ରୋଗ ବ୍ୟାଧି, ଅପରାଧ, ନାରୀ ନିର୍ଯାତନା ଆଦି ମଧ୍ୟ ବଢ଼ି ଚାଲୁଛି । ଏମିତିକି ନିଶା ରାକ୍ଷସର କବଳରେ ପଡ଼ି ମଦୁଆ ବାପା ଝିଅ ପ୍ରତି ବଳାତ୍କାର କରିବା ଏବଂ ମାତାଲ ପୁଅ କବଳରୁ ମା’ ଭଉଣୀ ଆଦି ନିସ୍ତାର ନପାଇବା ଭଳି ବହୁ ଅଭାବନୀୟ ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । ମଦ ସମେତ ଅନ୍ୟ ନିଶାର ଉଦ୍‍ବେଗଜନକ ପ୍ରସାର ଯୋଗୁ ବ୍ୟକ୍ତି, ପରିବାର, ରାଜ୍ୟ, ରାଷ୍ଟ୍ର ଓ ସାମଜ ଯେପରି ବିପୁଳ କ୍ଷତିର ସମ୍ମୁଖୀନ ହେଉଛି ତାହାର ପରିମାଣ ଅବକାରୀ ରାଜସ୍ୱ ଠାରୁ ଶହେଗୁଣ ଅଧିକ ବୋଲି କୁହାଯାଉଛି ।

୨୦୨୪ ସାଧାରଣ ନିର୍ବାଚନ ବେଳେ ରାଜ୍ୟ ବିଜେପି ଜାରି କରିଥିବା ସଂକଳ୍ପପତ୍ରରେ ନିଶାମୁକ୍ତ ଓଡ଼ିଶା ଘୋଷଣା କରାଯାଇଥିବା ବେଳେ ଏବେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ସଂପୂର୍ଣ୍ଣ ନିଶା ନିବାରଣ ଘୋଷଣା ସହିତ କାର୍ଯ୍ୟକ୍ରମ ହାତକୁ ନେବାକୁ ନିବେଦନ କରାଯାଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶାମୁକ୍ତ ସମୃଦ୍ଧ ଭାରତ ଗଠନ ସହିତ ସମସ୍ତ ମା’ଙ୍କ ସିନ୍ଦୁରର ସୁରକ୍ଷା ଲାଗି ରାଜ୍ୟ ସରକାରମାନଙ୍କ ସହିତ ଆଲୋଚନା କରି ସମ୍ବିଧାନର ମାର୍ଗ ନିର୍ଦ୍ଦେଶିକା ଏବଂ ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ମୁତାବକ ଓଡ଼ିଶା ସମେତ ସାରା ଦେଶରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବା ପାଇଁ ଦାବି ଉଠିଛି ।

ପବିତ୍ର ସାବିତ୍ରୀ ଅମାବାସ୍ୟାରେ ମହିଳାମାନେ ସେମାନଙ୍କ ସିନ୍ଦୁରର ସୁରକ୍ଷା ପାଇଁ ବ୍ରତ ପାଳନ କରିଥାନ୍ତି । ନିଶା ରାକ୍ଷସର ପ୍ରାବଲ୍ୟ ଯୋଗୁ ମହିଳାମାନଙ୍କ ସିନ୍ଦୁର ବହୁ କ୍ଷେତ୍ରରେ ବିପଦରେ ପଡୁଥିବାରୁ ନିଜନିଜ ସିନ୍ଦୁରର ସୁରକ୍ଷା ସହିତ ପରିବାର, ସମାଜ, ରାଜ୍ୟ ଓ ରାଷ୍ଟ୍ରର ହିତ ପାଇଁ ସାବିତ୍ରୀ ବ୍ରତ ଦିନଠାରୁ ଦଳମତ ନିର୍ବିଶେଷରେ ସାରା ରାଜ୍ୟରେ ମଦମୁକ୍ତ ଓଡ଼ିଶା ଅଭିଯାନକୁ ବ୍ୟାପକ କରିବା ଲାଗି ନିବେଦନ କରାଯାଇଛି ।

ଏଥିରେ କୁହାଯାଇଛି ଯେ ନିଶା ଯୋଗୁ ରାଜ୍ୟର ଯୁବଶକ୍ତି ବିଗୁଡ଼ୁଥିବା ଘେନି ଓଡ଼ିଶା ସରକାର ରାଜ୍ୟ ଯୁବନୀତିରେ ଉଦ୍‍ବେଗ ପ୍ରକାଶ କରିବା ସହିତ ଆଲ୍‍କହଲମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାର ୩୦ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଜନସଚେତନତା ସହିତ ସରକାର ସଚେତନ ହେଲେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ ସଂଗେ ସଂଗେ ସମାଜର କଲ୍ୟାଣ ସାଧିତ ହୋଇପାରିବ ବୋଲି ନାରୀନେତ୍ରୀମାନେ ନିବେଦନ କରିଛନ୍ତି । ଏହାକୁ ରାଜ୍ୟର ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ସଂଗଠନ ସମର୍ଥନ ଜଣାଇ ନେତୃତ୍ୱକୁ ଅପେକ୍ଷା ନକରି ଗାଁ ଗାଁରେ ମହିଳାମାନେ ନିଶାମୁକ୍ତି ଅଭିଯାନର ନେତୃତ୍ୱ ନେବା ପାଇଁ ସେମାନେ କହିଛନ୍ତି । (ତଥ୍ୟ)