ଭୁବନେଶ୍ୱର : ସର୍ବସାଧାରଣ ସ୍ଥାନରେ ବିଡି, ସିଗାରେଟ, ଗଞ୍ଜେଇଠାରୁ ଆରମ୍ଭ କରି ଗୁଟଖା, ମଦ ଓ ବ୍ରାଉନସୁଗାର ପର୍ଯ୍ୟନ୍ତ ନିଶା ସାମଗ୍ରୀ ସେବନ କଲେ ଆଇନରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କିନ୍ତୁ ଆଇନକୁ ନିଶାଡିମାନେ ମାନୁ ନଥିବା ବେଳେ ନିଶା ନିୟନ୍ତ୍ରଣ ପାଇଁ ଯେଉଁମାନଙ୍କର କ୍ଷମତା ରହିଛି, ସେମାନେ ବ୍ୟକ୍ତିଗତ ଆର୍ଥିକ ଫାଇଦା ପାଇଁ ହେଉ କିମ୍ବା ଅଭିଯୁକ୍ତଙ୍କୁ ଡରି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ନିଶାର ଲଗାମଛଡା ପ୍ରସାର ଘଟି ଚାଲିଛି ।
ପ୍ରାୟ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ, ବ୍ରାଉନସୁଗାର, ମଦ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ ହେଉଛି । ବହୁ କ୍ଷେତ୍ରରେ ନିଶା ସାମ୍ରାଜ୍ୟର ମୂଳଉତ୍ସ ନିକଟକୁ ନ ଯାଇ ଯେଉଁମାନେ ନିଶା କାରବାର ଓ ପରିବହନରେ ସଂପୃକ୍ତ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି । କିନ୍ତୁ ଓଡ଼ିଶାରେ ଦୁଇ କୋଟିରୁ ଅଧିକ ଲୋକ ନିଶା ସେବନ କରୁଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଆଇନଗତ ବ୍ୟବସ୍ଥା ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଯେଉଁମାନେ ଧୁମପାନ କରିବେ, ସେମାନଙ୍କ ଲାଗି ଜୋରିମାନାର ବ୍ୟବସ୍ଥା ରହିଛି । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ପ୍ରେକ୍ଷାଳୟ, ପ୍ରତୀକ୍ଷାଳୟ, ସରକାରୀ ଦପ୍ତର, ପାଠାଗାର, କଫି ହାଉସ, କ୍ୟାଣ୍ଟିନ, ବ୍ୟାଙ୍କ, କ୍ଲବ୍, ପାର୍କ, ରାସ୍ତାଘାଟ ଆଦିରେ ଧୁମପାନ ସଂପୂର୍ଣ୍ଣ ନିଷିଦ୍ଧ । ଉଡାଜାହାଜ, ମୋଟରଗାଡି ଓ ରେଳଗାଡିରେ ବି ଧୁମପାନ ନିଷିଦ୍ଧ କରାଯାଇଛି । ଚା’ଦୋକାନ ଠାରୁ ଆରମ୍ଭ କରି ଓମଫେଡ ବୁଥ୍ଗୁଡିକରେ ଗୁଟଖା, ସିଗାରେଟ, ବିଡି ଭଳି ନିଶା ସାମଗ୍ରୀର ବିପଣନ ଓ ସେବନ କରାଯାଇପାରିବ ନାହିଁ ।
ଉଭୟ ନିଶା ବିକ୍ରେତା ଓ କ୍ରେତାମାନେ ଆଇନଗତ ବ୍ୟବସ୍ଥାକୁ ଉପେକ୍ଷା କରୁଥିବା ବେଳେ ପୋଲିସ ଓ ଅନ୍ୟ ସରକାରୀ କଳ ଏ କ୍ଷେତ୍ରରେ ନରମ ମନୋଭାବ ପୋଷଣ କରୁଥିବାରୁ ନିଶା ବ୍ୟବହାର କମିବା ପରିବର୍ତ୍ତେ ବଢ଼ି ଚାଲିଛି । ସେହିଭଳି ଓଡ଼ିଶାରେ ଗୁଟ୍ଖା, ତମାଖୁ ଓ ବିପଦଜନକ ପାନ ମସଲା ଉପରେ ଆଇନଗତ କଟକଣା ରହିଥିବା ସ୍ଥଳେ ବିଭାଗୀୟ କର୍ତ୍ତୃପକ୍ଷ ଧରପଗଡ ଅଭିଯାନ ପ୍ରସଙ୍ଗରେ କୋହଳ ମନୋଭାବ ପୋଷଣ କରୁଥିବାରୁ ଏଭଳି ଆପତ୍ତିଜନକ ନିଶା ସାମଗ୍ରୀ ବ୍ୟାପକ ପରିମାଣରେ ଖୋଲାଖୋଲି ବିକ୍ରି ହେଉଛି ।
ସେହିଭଳି ଗଞ୍ଜୋଡ, ବ୍ରାଉନସୁଗାର ବ୍ୟବହାରକାରୀ ଆଦିଙ୍କ ଲାଗି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ୬ ମାସ ପର୍ଯ୍ୟନ୍ତ ଜେଲ୍ ବ୍ୟବସ୍ଥା ଅଛି । ଏହି ଆଇନ କଡାକଡି ଭାବେ ପାଳନ କରାଗଲେ ଲୋକେ ନିଶା ସେବନ ପାଇଁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୁଅନ୍ତେ । ଅନ୍ୟପକ୍ଷରେ କୋକିନ, ମର୍ଫିନ, ଚରସ ଓ ହେରୋଇନ ଭଳି ନିଶା ସାମଗ୍ରୀର ବେପାର ଓଡ଼ିଶାରେ ଜମିବାରେ ଲାଗିଛି । ନିଷିଦ୍ଧ ସାମଗ୍ରୀ ହୋଇଥିଲେ ମଧ୍ୟ ଗଞ୍ଜେଇ ଓ ବ୍ରାଉନସୁଗାରର କାରବାର ଏବେ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନକୁ ମଧ୍ୟ ଆଇନରେ ବାରଣ କରାଯାଇଛି । କିନ୍ତୁ ସରକାରଙ୍କ ଏହି ଆଇନକୁ ଉଭୟେ ନିଶା ବେପାରୀ ଓ ନିଶା ବ୍ୟବହାରକାରୀ ଅକ୍ଷରେ ଅକ୍ଷରେ ଉଲ୍ଲଂଘନ କରିବା ଫଳରେ ରାଜ୍ୟରେ ମଦ ସହିତ ଅନ୍ୟ ନିଶାର ବନ୍ୟା ଛୁଟି ଅପରାଧ, ରୋଗବ୍ୟାଧି, ଦୁର୍ଘଟଣା ବିଶେଷକରି ନାରୀ ଓ ଶିଶୁ ନିର୍ଯାତନା ଭୟଙ୍କର ଭାବେ ବଢ଼ୁଛି ।
ପାନ, ଗୁଟଖା, ପାନମସଲା ଆଦି ଖାଇ ରାସ୍ତା ସମେତ ସର୍ବସାଧାରଣ ସ୍ଥାନ ମାନଙ୍କରେ କେହି ଛେପ ପକାଇ ପାରିବେ ନାହିଁ । ଆଇନରେ ଏଭଳି ବ୍ୟବସ୍ଥା ଥିବା ସତ୍ତ୍ୱେ ସଂଖ୍ୟାଧିକ ସରକାରୀ ଦପ୍ତରର କାନ୍ଥବାଡ ପାନ ଓ ଗୁଟଖା ଛେପରେ ବିକୃତ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଗୁଟ୍ଖା ଓ ତମାଖୁଜାତ ନିଶା ସାମଗ୍ରୀର ଚାଷ, ଉତ୍ପାଦନ, ବିପଣନ ଓ ବ୍ୟବହାର ଆଇନ ଦୃଷ୍ଟିରୁ ଗର୍ହିତ ଅପରାଧ ହୋଇଥିଲେ ମଧ୍ୟ ଅପରାଧୀମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉନଥିବାରୁ ରାଜ୍ୟରେ ନିଶା ସାମ୍ରାଜ୍ୟ ବଢ଼ି ବଢ଼ି ଚାଲୁଛି । ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ଯେତେ ସେମାନଙ୍କୁ ଆଇନାନୁଯାୟୀ ଧରିଲେ ଥାନା, ହାଜତ, ଜେଲ ଓ କୋର୍ଟ କଚେରୀ ଉଚ୍ଛୁଳି ପଡିବ ବୋଲି ପୋଲିସ ଓ ଅବକାରୀ ଅଧିକାରୀମାନେ କହୁଛନ୍ତି । (ତଥ୍ୟ)