ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀ ଚାକିରିରୁ କେତେଦିନ ପର୍ଯ୍ୟନ୍ତ ନିଲମ୍ବିତ ହୋଇ ରହିପାରିବେ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଗ୍ରହଣ କରାଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପରିସମାପ୍ତି କେତେଦିନ ମଧ୍ୟରେ ଘଟିବ ସେ ସଂକ୍ରାନ୍ତରେ ଆଇନ୍ରେ କିଛି ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ବହୁ କ୍ଷେତ୍ରରେ ଅଦାଲତରେ ସରକାର ଅପଦସ୍ତ ହେଉଛନ୍ତି । କେବଳ ସେତିକି ନୁହେଁ, ଏଥିଘେନି ରାଜକୋଷ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଥିବାବେଳେ ସଚ୍ଚୋଟ କର୍ମଚାରୀଙ୍କ ଉପରେ ବି ପ୍ରତିକୂଳ ପ୍ରଭାବ ପଡୁଥିବା ଘେନି ଅଭିଯୋଗ ହେଉଛି ।
ସରକାରୀ କର୍ମଚାରୀମାନଙ୍କୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରିବାପାଇଁ ୧୯୫୯ମସିହାରେ ରାଜ୍ୟ ସରକାର ଆଚରଣବିଧି ପ୍ରଣୟନ କରିଥିଲେ । ଏହାପରେ ୧୯୬୨ ମସିହାରେ ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ ଆଣ୍ଡ କଣ୍ଟ୍ରୋଲ ରୁଲ୍ସ ପ୍ରଣୟନ କରାଯାଇଥିଲା । ଅବଶ୍ୟ ଇତି ମଧ୍ୟରେ ଏହି ଆଇନ୍ର ଅଳ୍ପକିଛି ସଂଶୋଧନ ହୋଇଛି । ତେବେ ଯେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ପ୍ରଣୟନ କରାଯାଇଛି ତାହା ବହୁ କ୍ଷେତ୍ରରେ ବିଫଳ ହେଉଥିବାରୁ ଦଣ୍ଡବିଧାନ ହୋଇପାରୁ ନାହିଁ ।
କେଉଁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ସେଥିଘେନି ଆଇନ୍ର ୧୨ ଧାରାରେ ଉଲ୍ଲେଖ ଥିବାବେଳେ ୧୩ ଧାରାରେ ଦଣ୍ଡବିଧାନ ଏବଂ ୧୫,୧୬,୧୭ ଓ ୧୮ ଧାରାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରଣାଳି ସଂକ୍ରାନ୍ତରେ ଉଲ୍ଲେଖ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବରେ କେତେବେଳେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ଓ ଏହି ନିଲମ୍ବନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ନିଲମ୍ବନର ସମୟସୀମା ବଢାଇବାପାଇଁ ସମୀକ୍ଷାର ଆବଶ୍ୟକତା ଅଛି କି ନାହିଁ ସେ ସଂକ୍ରାନ୍ତରେ ଆଇନ୍ରେ କିଛି ବ୍ୟବସ୍ଥା ନାହିଁ । ଫଳରେ ନିଲମ୍ବିତ କର୍ମଚାରୀ ବିନା କର୍ମଚାରୀ ପ୍ରଥମେ ବେତନର ୫୦ ପ୍ରତିଶତ ଓ ପରବର୍ତ୍ତୀ ସମୟରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଭତ୍ତା ଆକାରରେ ପାଇବାର ବ୍ୟବସ୍ଥା ରହିଛି ।
ଅନେକ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେଉନଥିବାରୁ ନିଲମ୍ବିତ କର୍ମଚାରୀମାନେ ରାଜକୋଷରୁ ଭତ୍ତା ଆକାରରେ ବିନା କାମରେ କୋଟି କୋଟି ଟଙ୍କା ନେଉଛନ୍ତି । ସେହିଭଳି ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଥରେ ଆରମ୍ଭ ହୋଇଗଲେ ତାହା ବର୍ଷ ବର୍ଷ ଧରି ଗଡୁଛି ଏବଂ କେତେକ କ୍ଷେତ୍ରରେ ଅଭିଯୁକ୍ତ କର୍ମଚାରୀ ଚାକରିିରୁ ଅବସର ଗ୍ରହଣ କରି ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶେଷ ହେଉନଥିବାର ବହୁ ନଜିର ରହିଛି ।
ଏହାକୁ ଆଳ କରି ବହୁ ନିଲମ୍ବିତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଛନ୍ଦି ହୋଇଥିବା କର୍ମଚାରୀ ଆଇନ୍ ଅଦାଲତର ଦ୍ୱାରସ୍ଥ ହୋଇ ଓଲଟା ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି । ଅବଶ୍ୟ ୨୦୧୦ମସିହାରେ ମୁଖ୍ୟ ଶାସନ ସଚିବ ଆଇନ୍ର ସଂଶୋଧନ ନକରି ଏକ ମାର୍ଗ ନିର୍ଦ୍ଦେଶିକା ଜାରି କରିଥିଲେ ଯେଉଁଥିରେ ଆଖିବୁଜା ନିଲମ୍ବନ ନକରିବାକୁ କୁହାଯାଇଛି । ଏହି ମାର୍ଗନିର୍ଦ୍ଦେଶିକାରେ ଉଲ୍ଲେଖ କରାଯାଇଛି ଯେ କର୍ମଚାରୀ ନିଲମ୍ବିତ ହେବାର ୩୦ଦିନ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ଏବଂ ସମ୍ପୃକ୍ତ କର୍ମଚାରୀଙ୍କୁ ନୋଟିସ୍ ଦେଇ ତାଙ୍କ ଉତ୍ତର ମିଳିବାର ୩୦ଦିନ ମଧ୍ୟରେ କର୍ତ୍ତୃପକ୍ଷ ପ୍ରବନ୍ଧ ଅଧିକାରୀ ନିଯୁକ୍ତ କରିବା ଓ ସମ୍ପୃକ୍ତ ଅଧିକାରୀ ୯୦ଦିନ ମଧ୍ୟରେ ତାଙ୍କର ରିପୋର୍ଟ ଦାଖଲ କରିବେ ।
ପ୍ରତିମାସରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବନ ଘଟଣାର ସମୀକ୍ଷା କରିବାକୁ ମଧ୍ୟ ଏଥିରେ କୁହାଯାଇଥିଲେ ବି ସଂଖ୍ୟାଧିକ କ୍ଷେତ୍ରରେ ଏହି ମାର୍ଗନିର୍ଦ୍ଦେଶିକାର ଅନୁପାଳନ କରାଯାଉନାହିଁ । ଏ ପରିପ୍ରେକ୍ଷୀରେ ଅନୁଭବି ପ୍ରଶାସକ ଓ ଅଭିଜ୍ଞ ଆଇନ୍ଜୀବୀମାନେ ପ୍ରଚଳିତ ଆଇନ୍ ବ୍ୟବସ୍ଥାର ବିଧିବଦ୍ଧ ସଂଶୋଧନ ସହିତ ତାହାର ସରଳୀକରଣ ଓ କଡା ଅନୁପାଳନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)