ଭୁବନେଶ୍ୱର : ରାଜ୍ୟରେ ହେଉଥିବା ଅଧିକାଂଶ ନିର୍ମାଣ କାର୍ଯ୍ୟରେ ଏବେ ରାଜ୍ୟ ବାହାରର ଶ୍ରମିକଙ୍କ ଭିଡ । ସରକାରୀ ହିସାବରେ ଏବେ ବାହାର ରାଜ୍ୟର ପ୍ରାୟ ୩୦ ହଜାର ଶ୍ରମିକ ଓଡିଶାରେ କାର୍ଯ୍ୟ କରୁଥିବାବେଳେ ଏମାନଙ୍କ ସଂଖ୍ୟା ଢେର ଅଧିକ ଓ ଅଧିକାଂଶ ନିର୍ମାଣ କାର୍ଯ୍ୟରେ ନିୟୋଜିତ ।
ସରକାରୀ ସୂଚନା ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଅନ୍ୟ ରାଜ୍ୟର ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ସର୍ବାଧିକ ୭୬୪୮ ଶ୍ରମିକ ଢେଙ୍କାନାଳ ଜିଲ୍ଲାରେ କାମ କରୁଥିବାବେଳେ ଏମାନେ ସାଧାରଣତଃ ଇସ୍ପାତ, ଝୋଟ, ଖଣି, ଶକ୍ତି ଆଦି କ୍ଷେତ୍ରରେ କାର୍ଯ୍ୟରତ । ସେହିଭଳି ବଡ ବଡ କାରଖାନା ଥିବା ଜିଲ୍ଲାରେ ରାଜ୍ୟ ବାହାରର ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି ।
ତେବେ ବହୁ ସଂଖ୍ୟାରେ ଶ୍ରମିକ କୋଠାବାଡି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜଧାନୀ ଠାରୁ ଆରମ୍ଭ କରି ଗାଁ ଗହଳ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ଏମାନେ ନିୟୋଜିତ । ବିଶେଷକରି ଘର ତିଆରି, ଟାଇଲ୍ ବିଛାଇବା ଓ ରଙ୍ଗ ଆଦି କାର୍ଯ୍ୟରେ ରାଜ୍ୟ ବାହାରର ଶ୍ରମିକମାନଙ୍କର ଦବଦବା ରହିଛି । ସ୍ଥାନୀୟ ଶ୍ରମିକଙ୍କ ତୁଳନାରେ ଏମାନେ କୋଠାବାଡି କାର୍ଯ୍ୟରେ ଅତ୍ୟନ୍ତ କୁଶଳୀ ଓ ପରିଶ୍ରମୀ ହୋଇଥିବାରୁ ନିର୍ମାତାମାନେ ସେମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି । ପୁରୀ, ମୟୁରଭଞ୍ଜ, ଖୋରଧା, ଦେବଗଡ, ବଲାଙ୍ଗିର, ଜଗତ୍ସିଂହପୁର ଆଦି ଜିଲ୍ଲାରେ ରାଜ୍ୟ ବାହାରର ଶ୍ରମିକମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ।
ରାଜ୍ୟଧାନୀ ଭଳି ସହରାଞ୍ଚଳରେ କୋଠାବାଡି ନିର୍ମାଣ ବହୁ ପରିମାଣରେ ହେଉଥିବାବେଳେ ଏଠାରେ ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟରୁ ହଜାର ହଜାର ଶ୍ରମିକ ଆସି କାର୍ଯ୍ୟ କରୁଛନ୍ତି । ଏମାନଙ୍କ ସଂଖ୍ୟା ଯଦି ସରକାରୀ ତାଲିକାରେ ମିଶିବ ତେବେ ଅନ୍ୟ ରାଜ୍ୟର ଶ୍ରମିକଙ୍କ ସଂଖ୍ୟା ଲକ୍ଷାଧିକ ହେବ ବୋଲି ଶ୍ରମିକଙ୍କ ସ୍ୱାର୍ଥ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।
କେବଳ କଳକାରଖାନା କିମ୍ବା ନିର୍ମାଣ କାର୍ଯ୍ୟ ନୁହେଁ ଓଡିଶାର କୃଷି କ୍ଷେତ୍ରରେ ଏବେ ଅନ୍ୟ ରାଜ୍ୟର ଶ୍ରମିକମାନେ ମଧ୍ୟ ବହୁଳ ସଂଖ୍ୟାରେ କାର୍ଯ୍ୟରତ । ବିଶେଷକରି ଉପକୂଳ ଓଡିଶାର ବହୁ ଜିଲ୍ଲାରେ ପଶ୍ଚିମବଙ୍ଗରୁ ଆସୁଥିବା ହଜାର ହଜାର ଶ୍ରମିକ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ପଶ୍ଚିମବଙ୍ଗରୁ ଯଦି ଶ୍ରମିକ ନଆସିବେ ତେବେ କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ ଆଦି ଜିଲ୍ଲାରେ ଧାନ ଓ ଅନ୍ୟାନ୍ୟ ଚାଷ ଅଧାପନ୍ତରିଆ ହୋଇଯିବ ।
ରାଜ୍ୟ ଭିତରେ ଥିବା ଶ୍ରମିକମାନେ କାର୍ଯ୍ୟରେ ଅନିୟମିତତା ସାଙ୍ଗକୁ ଅଧିକ ଅର୍ଥ ଦାବି କରୁଥିବାରୁ ନିର୍ମାତାଙ୍କ ଠାରୁ ଆରମ୍ଭକରି ଚାଷୀମାନେ ଏବେ ବାହାର ରାଜ୍ୟର ଶ୍ରମିକଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ଫଳରେ ଦିନକୁ ଦିନ ରାଜ୍ୟ ବାହାରର ଶ୍ରମିକଙ୍କ ସଂଖ୍ୟା ଓଡିଶାରେ ବଢିବାରେ ଲାଗୁଛି । ଅନ୍ୟ ପକ୍ଷରେ ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲାରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । (ତଥ୍ୟ)