ଭୁବନେଶ୍ୱର : ଚାରି ଜଣ ରାଜ୍ୟସଭା ସାଂସଦ ଆସନ୍ତା ସାଧାରଣ ନିର୍ବାଚନବେଳେ ରାଜ୍ୟ ବିଧାନସଭା ନିର୍ବାଚନ ଲଢି ପାରନ୍ତି । ପୂର୍ବରୁ ବିଜେଡି ବହୁବାର ରାଜ୍ୟସଭା ସାଂସଦମାନଙ୍କୁ ଏଭଳି ନିର୍ବାଚନ ଲଢାଇବାର ନିଜର ରହିଛି ।
ଏବେ ରାଜ୍ୟସଭାର ୧୦ଜଣ ସାଂସଦଙ୍କ ମଧ୍ୟରୁ ୯ଜଣ ବିଜେଡିର ସଦସ୍ୟ ଥିବାବେଳେ ଆଉ ଜଣେ ବିଜେପି ସଦସ୍ୟ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ତେବେ କେଉଁ କେଉଁ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢିବାପାଇଁ ବିଜେଡି ସୁଯୋଗ ଦେବ ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଥିବାବେଳେ ଏଥିଘେନି ଏବେ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତିକି ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ସରକାର ଗଢିଲେ ଏହି ସାଂସଦମାନଙ୍କ ମଧ୍ୟରୁ କେତେକ ମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଛି । କେବଳ ସେତିକି ନୁହେଁ ଏମାନଙ୍କ ସ୍ଥାନରେ ରାଜ୍ୟସଭା ଯିବାପାଇଁ ଏବେ ଠାରୁ ଆଉ କିଛି ନେତା ବି କସରତ ଆରମ୍ଭ କରିଦେଲେଣି ।
ଅତୀତରେ ରାଜ୍ୟସଭା ସାଂସଦ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭା ନିର୍ବାଚନ ଲଢାଯାଇଥିଲା । ସେହିଭଳି ସୌମ୍ୟରଞ୍ଜନ ପଟ୍ଟନାୟକ, ଶଶୀଭୂଷଣ ବେହେରା, ବିଷ୍ଣୁ ଚରଣ ଦାସଙ୍କ ଭଳି ଟାଣୁଆ ନେତାମାନଙ୍କୁ ରାଜ୍ୟସଭାରୁ ଆଣି ବିଜେଡି ବିଧାନସଭା ର୍ନିବାଚନ ଲଢାଇ ବେଶ୍ ଫାଇଦା ପାଇଥିଲା । ଏହାଛଡା ରାଜ୍ୟସଭା ସଦସ୍ୟ ଥିବା ସୁବାସ ସିଂହଙ୍କୁ ମଧ୍ୟ କଟକ ମେୟର ପଦବୀ ଲାଗି ବିଜେଡି ଫେରାଇ ଆଣିଥିଲା ।
ଏଥର ବିଜେଡି, ବିଜେପି ଓ କଂଗ୍ରେସ ସମେତ ତିନି ପ୍ରମୁଖ ରାଜନୈତିକଦଳ ଅନେକ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିପାରନ୍ତି । ଏହାଛଡା ଆଉ କେତେକ ନେତାଙ୍କ ନିର୍ବାଚନମଣ୍ଡଳୀରେ ବି ଅଦଳ ବଦଳ କରାଯିବାର ସମ୍ଭାବନା ରହିଛି । ୨୦୧୯ରେ ବିଜେଡି ୧୧୨ଟି ବିଧାନସଭା ଆସନରୁ ଜିଣିଥିବାବେଳେ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ଆଉ ଦୁଇଟି ଏବଂ ଜଣେ ସ୍ୱାଧୀନ ବିଧାୟକ ବିଜେଡିକୁ ସମର୍ଥନ ଦେବା ଫଳରେ ବିଧାନସଭାରେ ଏବେ ଏହି ଦଳର ବିଧାୟକ ସଂଖ୍ୟା ୧୧୫ ରହିଛି । ବିଜେପିର ବିଧାୟକ ସଂଖ୍ୟା ୨୩ରୁ କମି ୨୨ ହୋଇଥିବାବେଳେ କଂଗ୍ରେସର ୯ଜଣ ଓ ସିପିଏମ୍ର ଜଣେ ବିଧାୟକ ଅଛନ୍ତି ।
ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି କରୁଥିବାବେଳେ କଂଗ୍ରେସ ତାହାର ବିଧାୟକ ସଂଖ୍ୟା ୯ରୁ ୯୦କୁ ବଢାଇବାପାଇଁ ମିଶନ ରଖିଥିବା କହୁଛି । ଅନ୍ୟ ପଟେ ମୁଖ୍ୟ ବିରୋଧିଦଳ ବିଜେପି କହୁଛି ଯେ ୨୦୨୪ରେ ପରିବର୍ତ୍ତନର ହାୱା ବୋହି ଏହି ଦଳକୁ ସରକାର ଗଢିବାପାଇଁ ସୁଯୋଗ ସୃଷ୍ଟିକରିବ ।
ବିଶେଷକରି ଗତ ର୍ନିବାଚନରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୧୨ଟିରେ ଜିଣିଥିବାବେଳେ କଂଗ୍ରେସ ଗୋଟିଏ ଓ ବିଜେପି ୮ଟି ସ୍ଥାନରୁ ଜିଣିଥିଲା । ଏଥି ମଧ୍ୟରୁ କେବଳ ପଶ୍ଚିମଓଡିଶାରେ ବିଜେପି ୫ଟି ଆସନ ପାଇଥିବାବେଳେ ଉତ୍ତରଓଡିଶାରେ ବାଲେଶ୍ୱର ଓ ମୟୁରଭଞ୍ଜ ଏବଂ ଉପକୂଳରେ ଭୁବନେଶ୍ୱର ଆସନ ଦଖଲ କରିବାରେ ସଫଳ ହୋଇଥିଲା । ବିଜେପି ଓ କଂଗ୍ରେସ ଠାରୁ ୯ଟି ଯାକ ଆସନ ଛଡାଇ ନେବାପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ଏହି ଦୁଇ ରାଜନୈତିକଦଳ ବି ସେମାନଙ୍କ ଗଡରକ୍ଷା ପାଇଁ ଅଭିଯାନ ଚଳାଇଛନ୍ତି ।
ନିର୍ବାଚନକୁ ଆଖିଆଗରେ ରଖି ଇତି ମଧ୍ୟରେ ପ୍ରଦେଶ କଂଗ୍ରେସ ଓ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ମନୋନିତ ହୋଇଛନ୍ତି । ଏଥର ନିର୍ବାଚନ ପୂର୍ବରୁ ବ୍ୟାପକ ଦଳ ବଦଳ ହେବାର ଆଭାସ ମିଳୁଥିବା ପରିପ୍ରେକ୍ଷୀରେ ପରୀକ୍ଷିକୃତ ନେତାମାନଙ୍କୁ ରାଜ୍ୟସଭାରୁ ଆଣି ବିଧାନସଭା ଲଢାଇବା ଏବଂ ଆଉ କେତେକ ଲୋକସଭା ସଦସ୍ୟଙ୍କୁ ବି ରାଜ୍ୟ ରାଜନୀତିରେ ଅଧିକ ସକ୍ରିୟ କରିବାପାଇଁ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । (ତଥ୍ୟ)