Home Election ନିର୍ବାଚନ ମଇଦାନରେ ୧୮ ମନ୍ତ୍ରୀ

ନିର୍ବାଚନ ମଇଦାନରେ ୧୮ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୦ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ଭିତରୁ ୨ ଜଣ ବିଧାନସଭା ନିର୍ବାଚନ ଲଢ଼ୁନାହାଁନ୍ତି । ଅବଶିଷ୍ଟ ୧୮ଜଣ ମନ୍ତ୍ରୀଙ୍କର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଦ୍ଧାରଣ କରିବାକୁ ଯାଉଥିବା ବେଳେ ପରବର୍ତ୍ତୀ ସରକାରରେ ଏମାନଙ୍କ ଭିତରୁ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ ସେଥିନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହିତ ବଲାଙ୍ଗିରର କଣ୍ଟାବାଞ୍ଝିରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟତମ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବିଧାନସଭା ନିର୍ବାଚନ ଲଢ଼ି ନ ଥିବା ବେଳେ ବିଜେଡି ତାଙ୍କ ପୁଅଙ୍କୁ ଚିକିଟିରୁ ପ୍ରାର୍ଥୀ କରିଛି । ସେହିଭଳି ଅନ୍ୟତମ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୁରଭଞ୍ଜରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବେଳେ ସେ ବିଧାନସଭା ପାଇଁ ପ୍ରାର୍ଥୀ ହୋଇନାହାଁନ୍ତି । ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଉଷା ଦେବୀ ଓ ସୁଦାମ ମାରାଣ୍ଡି ମନ୍ତ୍ରୀ ହେଉନାହାଁନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନ୍ୟତମ ମନ୍ତ୍ରୀ ରାଜେନ୍ଦ୍ର କୁମାର ଢ଼ୋଲକିଆ ଓ ଜଗନ୍ନାଥ ସାରକାଙ୍କ ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ସରିଛି । ମଇ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅନ୍ୟତମ ମନ୍ତ୍ରୀ ରିତା ସାହୁ, ଟୁକୁନି ସାହୁ, ପ୍ରଦୀପ ଅମାତ, ସାରଦା ନାୟକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖଙ୍କ ସମେତ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଯାକ ଆସନ ଲାଗି ଭୋଟ ଗ୍ରହଣ ହେବାକୁ ଯାଉଛି ।

ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନରେ ନବୀନଙ୍କ ମନ୍ତ୍ରିମଣ୍ଡଳର ଅନ୍ୟତମ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢ଼ାଇ, ତୁଷାରକାନ୍ତି ବେହେରା ଓ ବାସନ୍ତୀ ହେମ୍ବ୍ରମଙ୍କ ଭଳି ମନ୍ତ୍ରୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଜନାଦେଶ ଲୋଡିବାକୁ ଯାଉଛନ୍ତି ।

ଅନେକ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକମାନେ ତାଙ୍କ ନେତା ଏଥର ମନ୍ତ୍ରୀହେବେ ବୋଲି ଖୋଲାଖୋଲିଭାବେ ପ୍ରଚାର କରୁଛନ୍ତି । ତେବେ ନିର୍ବାଚନ ଫଳାଫଳ ଉପରେ ଏହାସବୁ ନିର୍ଭର କରେ ।

ଏହି ନିର୍ବାଚନରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପବାଚସ୍ପତି ସାଲୁଜା ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଏବଂ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ନିଜ ନିଜ କ୍ଷେତ୍ରରୁ ସେମାନଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରାଉଛନ୍ତି । ଏହି ନେତାମାନେ ନିର୍ବାଚନ ଫଳାଫଳ ପ୍ରକାଶ ପରେ କେଉଁ ପଦପଦବୀରେ ରହିବେ ତାହା ଦଳୀୟ ନେତୃତ୍ୱଙ୍କ ଉପରେ ନିର୍ଭର କରେ ।

ଗୋଟିଏ ପଟେ ବିଜେଡି ଓଡ଼ିଶାରେ ସରକାର ଗଢ଼ିବ ଓ ନବୀନ ପଟ୍ଟନାୟକ ଜୁନ୍‍ ୯ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ଶପଥ ନେବେ ଏବଂ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ କେଉଁ କେଉଁ ଫାଇଲ୍‍ରେ ଦସ୍ତଖତ କରିବେ ସେ ସଂକ୍ରାନ୍ତରେ ବିଜେଡିର ଅନ୍ୟତମ ତାରକା ପ୍ରଚାରକ ଭି କାର୍ତ୍ତିକେୟନ୍‍ ପାଣ୍ଡିଆନ୍‍ ଘୋଷଣା କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ସଭାରେ କହିଛନ୍ତି ଯେ, ଜୁନ୍‍ ୬ ତାରିଖରେ ବିଜେପି ତାହାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ ଏବଂ ସେ ଜୁନ୍‍ ୧୦ ତାରିଖରେ ଶପଥ ଗ୍ରହଣ କରିବେ ।

ତେବେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଘୋଷଣା କରାଯାଇ ନ ଥିଲେ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ଦଳର କେନ୍ଦ୍ରୀୟ ସଭାପତିଙ୍କ ସମେତ ଅନ୍ୟ ନେତାମାନେ ଜଣେ ଓଡ଼ିଆ ବିଜେପିର ମୁଖ୍ୟମନ୍ତ୍ରୀ ହେବେ ବୋଲି ବାରମ୍ବାର କହୁଥିବା ବେଳେ ଯଦି ବିଜେପି କ୍ଷମତାକୁ ଆସେ ତେବେ ସାଂସଦଙ୍କ ପରିବର୍ତ୍ତେ କୌଣସି ବିଧାୟକ କିମ୍ବା ବିଧାୟକ ନ ଥିବା ଓଡ଼ିଶାର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦଳୀୟ ନେତାମାନେ କହୁଛନ୍ତି । ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କ ଘୋଷଣା ପରିପ୍ରେକ୍ଷୀରେ ବିଜେପିର ବହୁ ବିଧାୟକ ପ୍ରାର୍ଥୀ ଏବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପଦ ପାଇବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି ।

ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ଏଥର ଓଡ଼ିଶା ବିଧାନସଭାରେ ତାହାର ସଦସ୍ୟ ସଂଖ୍ୟା ୯ରୁ ୯୦କୁ ବଢ଼ାଇବ ବୋଲି ମିଶନ ଘୋଷଣା କରିସାରିଛି । ଏହି କ୍ରମରେ ଦଳର ପ୍ରାଦେଶିକ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ବୋଲି ପୂର୍ବରୁ କେତେକ କଂଗ୍ରେସ ନେତା ଗଣମାଧ୍ୟମରେ ବକ୍ତବ୍ୟ ରଖିସାରିଛନ୍ତି ।

ଅନ୍ୟପକ୍ଷରେ ଶରତ ପଟ୍ଟନାୟକ ନିର୍ବାଚନ ଲଢ଼ୁଥିବା ନୂଆପଡ଼ା ଆସନର ମତ ଗ୍ରହଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ନିର୍ବାଚନ ଶେଷ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶାରେ ଘନଘନ କାର୍ଯ୍ୟକ୍ରମ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ଅନ୍ୟତମ ଷ୍ଟାର ପ୍ରଚାରକ ଶ୍ରୀ ପାଣ୍ଡିଆନ୍‍ ମୁଖ୍ୟତଃ ପ୍ରଚାରର ମଙ୍ଗ ଧରିଛନ୍ତି । (ତଥ୍ୟ)