Home Election ନିର୍ବାଚନୀ ଶୋଭାଯାତ୍ରା ପାଇଁ ଲୋକେ ହନ୍ତସନ୍ତ

ନିର୍ବାଚନୀ ଶୋଭାଯାତ୍ରା ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ବେଆଇନ ରାଜନୈତିକ ଶୋଭାଯାତ୍ରା ଯୋଗୁ ଏବେ ରାଜଧାନୀ ସମେତ ରାଜ୍ୟର ବହୁ ସ୍ଥାନରେ ରାସ୍ତାଘାଟ ଅବରୋଧ ହୋଇଯାଉଥିବାରୁ ସାଧାରଣ ଲୋକଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହେଉଛି । ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏବଂ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ଏହି ସମସ୍ୟା ଦେଖୁଥିଲେ ମଧ୍ୟ ତାହାର ପ୍ରତିକାର କରୁନଥିବାରୁ ଜନଅସନ୍ତୋଷ ଦେଖା ଦେଉଛି ।

ସଭା, ସମିତି ଓ ଶୋଭାଯାତ୍ରା ଆଦି ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ । କିନ୍ତୁ ବିନା ଅନୁମତିରେ ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ନିର୍ବାଚନୀ ଶୋଭାଯାତ୍ରାମାନ ଅନୁଷ୍ଠିତ ହେଉଛି । ବିଶେଷ କରି ସକାଳେ ନେତାମାନେ ଜନସମ୍ପର୍କ ଅଭିଯାନ ଚଳାଉଥିବାବେଳେ କେଉଁଠି କେମିତି ଶୋଭାଯାତ୍ରା ହେଉଛି । ତେବେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନ ୧୦ଟା ପରେ ଶୋଭାଯାତ୍ରା କରିବା ସମ୍ଭବପର ହେଉନଥିବାରୁ ଏବେ ପ୍ରାୟ ସନ୍ଧ୍ୟାରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ସେମାନଙ୍କ ସମର୍ଥକମାନଙ୍କୁ ଧରି ଶୋଭାଯାତ୍ରାରେ ବାହାରୁଛନ୍ତି । ଶୋଭାଯାତ୍ରାକାରୀମାନେ ଟ୍ରାଫିକ୍‍ ନିୟମ ଖୋଲାଖୋଲି ଉଲ୍ଲଂଘନ କରି ଦୁଇଚକିଆ ଯାନରେ ବିନା ହେଲ୍‍ମେଟରେ ୩/୪ଜଣ କରି ବସୁଛନ୍ତି ଏବଂ ଏହି ଶୋଭାଯାତ୍ରାଗୁଡିକ ମୁଖ୍ୟରାସ୍ତାରେ ଯିବାବେଳେ ଅନ୍ୟଗାଡିକୁ ଯିବାପାଇଁ ବାଟ ନଛାଡିବାରୁ ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ଶୋଭାଯାତ୍ରା ଗୁଡିକ ବେଶ୍‍ ଲମ୍ବା ଦେଖାଯାଉଛି । ଏମିତିକି ବହୁ ସମୟରେ ଆମ୍ବୁଲାନ୍ସ ଗାଡି ମଧ୍ୟ ଏହି ଶୋଭାଯାତ୍ରା ଯୋଗୁ ରାସ୍ତାରେ ଫସିଯାଉଛନ୍ତି ।

ଦଳୀୟ ପତାକା ପ୍ରଦର୍ଶନ ସହ ମୁଣ୍ଡରେ ଦଳୀୟ ଟୋପି ଓ ଗାମୁଛା ଭିଡି ବହୁ କ୍ଷେତ୍ରରେ ଶୋଭାଯାତ୍ରାକାରୀମାନେ ଯେପରି ଆକ୍ରମଣାତ୍ମକ ମୁଦ୍ରା ପ୍ରଦର୍ଶନ କରୁଛନ୍ତି ସେଥିରେ ସାଧାରଣ ଲୋକେ ଏକପ୍ରକାର ଭୀତତ୍ରସ୍ତ ହୋଇପଡୁଛନ୍ତି । ଏହି ବେଆଇନ ଶୋଭାଯାତ୍ରାକାରୀମାନଙ୍କୁ ଏବେଠାରୁ ଜବତ କରାନଗଲେ ଆଗାମୀ ଦିନରେ ନିର୍ବାଚନ ବେଳକୁ ଅଧିକ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଉପରସ୍ତରରୁ ଆଦେଶ ନଥିବାରୁ ବିଭିନ୍ନ ଦଳର ଏଭଳି ବିଶୃଙ୍ଖଳ ଓ ବେଆଇନ ଶୋଭାଯାତ୍ରାକାରୀମାନଙ୍କୁ ପୁଲିସ ନିୟନ୍ତ୍ରଣ କରିପାରୁନାହିଁ ।

ମୋଟର ସାଇକେଲରେ ସାଧାରଣ ଲୋକଟିଏ ହେଲ୍‍ମେଟ୍‍ ନପିନ୍ଧି ଯାତ୍ରା କରୁଥିଲେ କିମ୍ବା ଏହି ଯାନରେ ୩ଜଣ ବସିଥିଲେ କମିଶନରେଟ ପୁଲିସ ସେମାନଙ୍କୁ ଅଟକାଇ ଗାଡି ଜବତ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରୁଛି । କୌଣସି ଗାଡି ଚାଳକ ମଦ୍ୟପାନ କରିଥିଲେ ତାହା ବିରୁଦ୍ଧରେ ବି କଠୋର କାର୍ଯ୍ୟାନୁଷ୍ଠାନ ହେଉଛି । ଗାଡି ଜବତ ସହ ପୁଲିସ କୋର୍ଟକୁ ମାମଲା ପଠାଇ ଦେଉଛି । ତେବେ ବିଭିନ୍ନ ଦଳର ପତାକା ଧରି ନେତାଙ୍କ ପଟୁଆରରେ ମାତାଲ ଅବସ୍ଥାରେ, ବିନା ହେଲ୍‍ମେଟରେ ଓ ଦୁଇଚକିଆ ଯାନରେ ଅଧିକ ସଂଖ୍ୟକ ସମର୍ଥକ ପୁରା ରାସ୍ତା ଅବରୋଧ କରି ଲୋକଙ୍କୁ ହଇରାଣ କରୁଥିବାବେଳେ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଏବେ ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି । ନିର୍ବାଚିତ ଲୋକ ପ୍ରତିନିଧିମାନେ ବିଧାନସଭା ଓ ସଂସଦକୁ ଯାଇ ରାଜ୍ୟ ଓ ଦେଶ ପାଇଁ ଆଇନ ତିଆରି କରନ୍ତି ।

ଅଥଚ ଏହି ପଦବୀ ସବୁ ପାଇଁ ଘୋଷିତ ବିଭିନ୍ନ ଦଳର ବହୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଖୋଲା ଖୋଲି ଭାବେ ଆଇନର ଉଲ୍ଲଂଘନ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରୁଛନ୍ତି । ଯେଭଳି ଭାବେ ଏବେ ବିନା ଅନୁମତିରେ ଶୋଭାଯାତ୍ରାମାନେ ହେଉଛି ତାହାକୁ ନିୟନ୍ତ୍ରଣ କରାନଗଲେ ପରସ୍ପର ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକମାନେ ଯେ କେତେବେଳେ ମୁହାଁମୁହିଁ ହୋଇଯିବେ ସେ ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ଏଭଳି ବିଶୃଙ୍ଖଳିତ ନେତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରିବା ପାଇଁ ବିଭିନ୍ନ ନାଗରିକ ସମାଜର ବରିଷ୍ଠ ବ୍ୟକ୍ତିମାନେ ଖୋଲାମତ ପ୍ରକାଶ କରୁଛନ୍ତି । (ତଥ୍ୟ)