Home News in Odia ନିର୍ବାଚନୀ ପ୍ରସ୍ତୁତି ବଢାଉଛି ଉଷ୍ମତା

ନିର୍ବାଚନୀ ପ୍ରସ୍ତୁତି ବଢାଉଛି ଉଷ୍ମତା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଜୁନ୍‍ ୨୪ରେ ପୁରିବାକୁ ଯାଉଥିବାବେଳେ ଲୋକସଭାର କାର୍ଯ୍ୟକାଳ ସେହିମାସ ୧୬ ତାରିଖ ପର୍ଯ୍ୟନ୍ତ ରହିଛି । ଏହା ପୂର୍ବରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତିପର୍ବ ଜୋରଦାର ଚାଲିଛି । ଏଥିସହିତ ରାଜନୈତିକ ଉଷ୍ମତା ବି ବଢି ଚାଲିଛି ।

ଓଡ଼ିଶା ବିଧାନସଭା ସହ ପଡୋଶୀ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ଓ ସିକିମ୍‍ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ । ଏ ପରିପ୍ରେକ୍ଷୀରେ ଓଡ଼ିଶାର ୨୧ଟି ଯାକ ଲୋକସଭା ଓ ୧୪୭ଟି ଯାକ ବିଧାନସଭା ଆସନ ପାଇଁ ଲଢିବାକୁ ଥିବା ପ୍ରାର୍ଥୀ ଓ ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରସ୍ତୁତି ପର୍ବ ‘କର ବା ମର’ ସ୍ଥିତିରେ ରହିଛି । ବିଶେଷ କରି ଯେଉଁ ରାଜନୈତିକ ଦଳ ସପକ୍ଷରେ ବାତାବରଣ ରହିଛି ବୋଲି ଅନୁମାନ କରାଯାଉଛି ସେହି ଦଳରୁ ପ୍ରାର୍ଥୀ ହେବାପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାଛଡ଼ା ବହୁ ବରିଷ୍ଠ ନେତା ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନୀ ରାଜନୀତିରୁ ଅବସର ନେଇ ସେମାନଙ୍କ ପରିବାରର କାହାକୁ ନା କାହାକୁ ଥଇଥାନ କରାଇବା ଲାଗି ବ୍ୟସ୍ତ ଅଛନ୍ତି ।

ଇତିମଧ୍ୟରେ ନିର୍ବାଚନ କମିଶନ ତାଙ୍କ ଓଡ଼ିଶା ଗସ୍ତ ଶେଷ କରି ପ୍ରସ୍ତୁତି ପର୍ବର ସମୀକ୍ଷା କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଜିଲ୍ଲା ପ୍ରଶାସନ ଆଦି ମଧ୍ୟ ପାଖେଇ ଆସୁଥିବା ନିର୍ବାଚନ ଦୃଷ୍ଟିରୁ ତୁହାକୁ ତୁହା ବୈଠକ କରୁଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ଇତିମଧ୍ୟରେ ଓଡ଼ିଶାକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ଆସିଲେଣି । ଏଥର ସାରା ଦେଶରେ ଲୋକସଭା ନିର୍ବାଚନରେ ପ୍ରାୟ ୯୭କୋଟି ମତଦାତା ନିଷ୍ପତ୍ତି କରିବେ କେଉଁମାନଙ୍କୁ ସଂସଦକୁ ପଠାଇବେ ଓ କେଉଁ ଦଳ ହାତରେ ଦେଶର ଭାଗ୍ୟଡୋରି ଟେକିଦେବେ ।

ସେହିଭଳି ଓଡ଼ିଶାର ପ୍ରାୟ ୩ କୋଟି ୩୨ଲକ୍ଷ ମତଦାତା ମଧ୍ୟ ନିର୍ଣ୍ଣୟ କରିବେ ଏଥର ଓଡ଼ିଶାର ଶାସନ ଭାର କେଉଁ ଦଳ ହାତରେ ଦେବେ ଏବଂ ରାଜ୍ୟରୁ ଲୋକସଭାକୁ କେଉଁ ଦଳର କେତେ ସାଂସଦ ପଠାଇବେ । ଏଠାରେ ଉଲ୍ଲେଖନୀୟ ଯେ, ଏଥର ଦେଶରେ ଭୋଟରଙ୍କ ସଂଖ୍ୟା ୨୦୧୯ ତୁଳନାରେ ପ୍ରାୟ ୬ ପ୍ରତିଶତ ବଢିଛି । ଓଡ଼ିଶାରେ ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି ମହିଳା । ତେଣୁ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି ।

ଏହାଛଡା ଯୁବ ଭୋଟରଙ୍କ ପାଖାପାଖି ୪୦ ପ୍ରତିଶତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ଆକର୍ଷିତ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ନିର୍ବାଚନ ଆଚରଣବିଧି ଲାଗୁ ହେବାପରେ କୌଣସି ବର୍ଗଙ୍କ ପାଇଁ ଆଉକିଛି ନୂଆ ସରକାରୀ ଘୋଷଣା ହୋଇପାରିବନାହିଁ । ଏହାକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ଭବତଃ ସେମାନଙ୍କର ଶେଷପାନ ନିର୍ବାଚନୀ ଔଷଧ ମତଦାତାଙ୍କୁ ଆଜି ଖୁଆଇ ପାରନ୍ତି ।

ଓଡ଼ିଶା ବିଧାନସଭାରେ ଏବେ ବିଜୁ ଜନତା ଦଳ କବ୍‍ଜାରେ ୧୧୪ ଆସନ ଥିବାବେଳେ ବିଜେପି ହାତରେ ୨୨ଟି ଓ କଂଗ୍ରେସ ଖାତାରେ ୯ଟି ରହିଛି । ସେହିପରି ଓଡ଼ିଶାରେ ୨୧ ଲୋକସଭା ଆସନ ଭିତରୁ ୧୨ଟି ବିଜେଡି ଦଖଲରେ ଥିବାବେଳେ ୮ଟି ବିଜେପି ଓ ଗୋଟିଏ କଂଗ୍ରେସ ହାତରେ ରହିଛି । ଏଥର ଓଡ଼ିଶାରେ ଷଷ୍ଠ ଥର ସରକାର ଗଢିବା ପାଇଁ ବିଜେଡି କହୁଥିବାବେଳେ ବିଜେପି ମଧ୍ୟ ମୋଦି ହାୱାକୁ ଆଧାର କରି ଓଡ଼ିଶାରେ ସରକାର ଗଠନ କରିବ ବୋଲି ବାରମ୍ବାର କହୁଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାନସଭାରେ ତାହାର ଆସନ ସଂଖ୍ୟା ୯ରୁ ୯୦କୁ ବଢାଇ ପୁଣି ୨୪ବର୍ଷ ପରେ କ୍ଷମତାକୁ ଲେଉଟିବ ବୋଲି ଆଶା ରଖିଛି । ସେହିପରି ଏହି ୩ଦଳ ପକ୍ଷରୁ ଅଧିକ ସଂଖ୍ୟକ ଲୋକସଭା ଆସନ ଜିଣିବା ସଂକ୍ରାନ୍ତରେ ମଧ୍ୟ କୁହାଯାଉଛି । ତେବେ ରାଜ୍ୟର ୩କୋଟି ୩୨ଲକ୍ଷ ମତଦାତା ଆଗାମୀ ନିର୍ବାଚନରେ କାହା ମୁଣ୍ଡରେ ଶିରିପା ବାନ୍ଧୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ । (ତଥ୍ୟ)