ଭୁବନେଶ୍ୱର : ତିନି ଜଣ ବିଧାୟକ ୧୦ଲକ୍ଷ ଟଙ୍କାରୁ କମ୍ ଅର୍ଥ ଖର୍ଚ୍ଚକରି ନିର୍ବାଚନ ବୈତରଣୀ ପାର୍ ହୋଇଛନ୍ତି । ଏହି ସମସ୍ତ ତିନି ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ଦଳର । ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ୪୦ଲକ୍ଷ ଟଙ୍କାର ଖର୍ଚ୍ଚ ସମୀା ମଧ୍ୟରେ ସର୍ବାଧିକ ଅର୍ଥ ବ୍ୟୟ କରିଥିବା ତିନି ଜଣ ବିଧାୟକଙ୍କ ମଧ୍ୟରେ ଜଣେ ବିଜେଡିର ଥିବାବେଳେ ଦୁଇଜଣ ବିଜେପିର ରହିଛନ୍ତି ।
ବିଧାୟକମାନଙ୍କ ନିର୍ବାଚନୀ ଖର୍ଚ୍ଚକୁ ନେଇ ଏଡିଆର କରିଥିବା ଅନୁଶୀଳରୁ ଏହି ସୂଚନା ମିଳିଛି । ଏଡିଆର ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳରୀ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ ୮,୬୭,୬୯୬ ଟଙ୍କା ବ୍ୟୟ କରିଥିବାବେଳେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ୯,୪୪,୧୫୦ ଟଙ୍କା ଏବଂ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ୯,୪୫,୭୪୯ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି ।
ସେହିଭଳି ଭୁବନେଶ୍ୱର ମଧ୍ୟ ଆସନରୁ ଜିଣିଥିବା ବିଜେଡି ବିଧାୟକ ସର୍ବାଧିକ ୩୭,୬୭,୪୩୭ ଟଙ୍କା ବ୍ୟୟ କରିଥିବାବେଳେ ମୟୁରଭଞ୍ଜ ଜିଲ୍ଲା ଉଦଳା ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଭାଷ୍କର ମଢେଇ ୩୭,୨୯,୫୩୦ ଟଙ୍କା ଏବଂ ମୟୁରଭଞ୍ଜ ଜିଲ୍ଲା ଉଦଳା ଆସନରୁ ଜିତିଥିବା ପ୍ରକାଶ ସୋରେନ ୩୭,୧୯,୦୯୩ ଟଙ୍କା ବ୍ୟୟ କରିଥିବା ଦର୍ଶାଇଛନ୍ତି ।
ବିଧାୟକମାନେ ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚ ତାଲିକାରୁ ଜଣାଯାଇଛି ଯେ ୫୮ଜଣ ବିଧାୟକ ନିଜର ପ୍ରଚାର ଲାଗି ଇଲେକଟ୍ରୋନିକ ଓ ପ୍ରିଣ୍ଟ ମିଡିଆରେ ଅର୍ଥ ଖର୍ଚ୍ଚ କରିଛନ୍ତି । ୮୯ ଜଣ ବିଧାୟକ ଏ ବାବଦରେ କୌଣସି ଅର୍ଥ ବ୍ୟୟ କରିନାହାନ୍ତି । ୧୩୦ଜଣ ବିଧାୟକ କର୍ମୀମାନଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଇ ସେ ବାବଦରେ ଅର୍ଥ ବ୍ୟୟ କରିଥିବାବେଳେ ବିଭିନ୍ନ ନିର୍ବାଚନୀ ପ୍ରଚାର ସାମଗ୍ରୀ ପାଇଁ ୧୦୮ଜଣ ବିଧାୟକ ଅର୍ଥ ବ୍ୟୟ କରିଛନ୍ତି । ୧୪୫ ଜଣ ବିଧାୟକ ଗାଡିମୋଟର ବାବଦୀୟ ଖର୍ଚ୍ଚ ଦାଖଲ କରିଥିବାବେଳେ ୨ଜଣ ଏ ବାବଦରେ ଆଦୌ ଅର୍ଥ ଖର୍ଚ୍ଚ କରିନଥିବା ଉଲ୍ଲେଖ କରିଛନ୍ତି ।
ବିଧାୟକମାନେ ଖର୍ଚ୍ଚ କରିଥିବା ଅର୍ଥ ମଧ୍ୟରୁ ୮୪ ପ୍ରତିଶତ ଦଳୀୟ ପାଣ୍ଠି ଆକାରରେ ମିଳିଥିବାବେଳେ ୮ ପ୍ରତିଶତ ଅର୍ଥ ନିଜ ପକେଟରୁ ଏବଂ ଆଉ ୮ ପ୍ରତିଶତ ଅନ୍ୟାନ୍ୟ ସୂତ୍ରରୁ ପାଇଛନ୍ତି । ୧୩୨ ଜଣ ବିଧାୟକ ଦଳରୁ ନିର୍ବାଚନୀ ଖର୍ଚ୍ଚ ଅର୍ଥ ପାଇଥିବାବେଳେ ୧୫ ଜଣ ଦଳରୁ କୌଣସି ଅର୍ଥ ପାଇ ନାହାନ୍ତି । ୭୦ ଜଣ ବିଧାୟକ ବିଭିନ୍ନ ବ୍ୟକ୍ତିବିଶେଷ, କମ୍ପାନୀ, ଫାର୍ମ, ସଂଘ ଆଦିରୁ ଅର୍ଥ ପାଇଥିବା ସ୍ୱୀକାର କରିଥିବାବେଳେ ୭୫ ଜଣ ଏଭଳି ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ପଇସାଟିଏ ପାଇ ନାହାନ୍ତି ।