ଭୁବନେଶ୍ୱର : ଟାଟା ପାୱାର କର୍ତ୍ତୃପକ୍ଷ ବିଜୁଳି ଗ୍ରାହକଙ୍କ ଉପରେ ଗୋଟିଏ ପରେ ଗୋଟିଏ ବୋଝ ଲଦି ଚାଲିଛନ୍ତି । ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ଙ୍କ ନାଁ ନେଇ ହିତାଧିକାରୀମାନଙ୍କ ଉପରେ ମିଟର ବୋଝ ସହିତ ସିକ୍ୟୁରିଟି ଡିପୋଜିଟ୍ ବୋଝ ଲଦୁଥିବାବେଳେ ଓଇଆରସି ନିରବଦ୍ରଷ୍ଟା ସାଜିଥିବା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ମହାସଂଘର ଆବାହକ ରବି ବେହେରା କହିଛନ୍ତି ଯେ ଟାଟା ପାୱାର ଏବେ ଗୋଟିଏ ପରେ ଗୋଟିଏ ମିଟର ବଦଳାଇବାରେ ଲାଗିଛି । ପ୍ରଥମେ ଡିଜିଟାଲ ମିଟର ଓ ପରେ ସ୍ମାର୍ଟ ମିଟର ଲଗାଉଛନ୍ତି । ଗ୍ରାହକମାନେ ନିୟମିତ ଭାବେ ମିଟର ବାବଦ ଦେୟ ପ୍ରଦାନ କରୁଛନ୍ତି । ଏହା ମାସିକ ୨୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କାରେ ପହଞ୍ଚିଲାଣି । ତେବେ ସ୍ମାର୍ଟମିଟର ବସିବାପରେ ଏବେ ମିଟର ରିଡିଂ କାର୍ଯ୍ୟରେ ନିୟୋଜିତ ଯୁବକମାନେ ଛଟେଇ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବାବେଳେ ଟାଟା ପାୱାରର ଏଭଳି କର୍ମଚାରୀ ହ୍ରାସ ନୀତି ସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଶ୍ରୀ ବେହେରା କହିଛନ୍ତି ।
ସେହିଭଳି ଟାଟା ପାୱାର କର୍ତ୍ତୃପକ୍ଷ ଏବେ ଗ୍ରାହକମାନଙ୍କୁ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ଅଧିକ ଅର୍ଥ ପଇଠ କରିବାକୁ ନୋଟିସ୍ ପଠାଇବାରେ ଲାଗିଛନ୍ତି । ଏହି ଅର୍ଥ ପଇଠ ନକଲେ ଲାଇନ୍ କାଟି ଦିଆଯିବ ବୋଲି ନୋଟିସ୍ରେ ଉଲ୍ଲେଖ କରିଛନ୍ତି । ଓଇଆରସିର ନିୟମ ମୁତାବକ ଏହା ଆଦାୟ ହେଉଥିବା ଟାଟା ପାୱାର ତାହାର ନୋଟିସ୍ରେ ଉଲ୍ଲେଖ କରିଥିବାବେଳେ ଓଇଆରସି କର୍ତ୍ତୃପକ୍ଷ କିନ୍ତୁ ଏ ସଂକ୍ରାନ୍ତରେ ନିରବ । ଗ୍ରାହକମାନେ ବିଦ୍ୟୁତ୍ ସଂଯୋଗ ନେବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ଅର୍ଥ ଦାଖଲ କରିଥିବାବେଳେ ବର୍ତ୍ତମାନ ଆଉଥରେ ପଇଠ ପାଇଁସେମାନଙ୍କୁ ବାଧ୍ୟ କରାଯାଉଛି । ଗ୍ରାହକମାନେ କେଉଁ ଆଧାରରେ ଏହି ଅର୍ଥ ପଇଠ କରିବେ ତାହା ଓଇଆରସି ତାହା ଜଣାଇବାପାଇଁ ଶ୍ରୀ ବେହେରା କହିଛନ୍ତି ।
ବିଦ୍ୟୁତ୍ ଗ୍ରାହକମାନଙ୍କ ସ୍ୱାର୍ଥର ସୁରକ୍ଷାପାଇଁ ଓଇଆରସି ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛି ତାହା ଇଂରାଜୀରେ ହୋଇଥିବାରୁ ଗାଁ ଗହଳ ତ ଦୂରର କଥା ସହରୀ ଗ୍ରାହକ ବି ଏହାକୁ ଠିକଣା ଭାବେ ବୁଝିପାରୁ ନାହାନ୍ତି । ତେଣୁ ଓଇଆରସି କର୍ତ୍ତୃପକ୍ଷ ନିଜଆଡୁ ଏହାର ଓଡିଆ ଅନୁବାଦ କରିବା ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ଯୋଗାଇଦେବା ସକାଶେ ଶ୍ରୀ ବେହେରା ଦାବି କରିଛନ୍ତି ।
ସେହିଭଳି ଟାଟା ପାୱାର କର୍ତ୍ତୃପକ୍ଷ ଯେଭଳି ରାଜ୍ୟ ବାହାରର ଶ୍ରମିକମାନଙ୍କୁ ଆଣି ଏଠାରେ ନିୟୋଜିତ କରୁଛନ୍ତି ତାହା ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଶ୍ରୀ ବେହେରା ମତ ଦେଇଛନ୍ତି । ବିଦ୍ୟୁତ୍ ବିତରଣ କମ୍ପାନୀରେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ରାଜ୍ୟ ଭିତରର ଯୁବକ ଯୁବତୀମାନେ ନିଯୁକ୍ତି ପାଇବେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି । (ତଥ୍ୟ)