ଭୁବନେଶ୍ୱର : ଓଡ଼ିଶାରେ ପ୍ରତି ୩ଜଣରେ ଜଣେ ମହିଳା ନିରକ୍ଷର । ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ପାଉଥିବା ବେଳେ ଅନ୍ୟୁନ ୬ଟି ଜିଲ୍ଲାରେ ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ ରହିଛି । ସର୍ବଶେଷ ଜନଗଣନାର ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଉଛି ।
ଯେଉଁ ଜିଲ୍ଲାଗୁଡ଼ିକରେ ନିରକ୍ଷରତା ହାର ୬୦ ପ୍ରତିଶତରୁ କମ୍ ରହିଛି ସେଗୁଡ଼ିକ ହେଲା କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା । ତେବେ ଅନ୍ୟୁନ ୧୨ଟି ଜିଲ୍ଲାରେ ମହିଳା ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ ଅଛି । ଯେଉଁ ଜିଲ୍ଲାଗୁଡ଼ିକରେ ମହିଳା ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ ସେଗୁଡ଼ିକ ହେଲା ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ।
ସରକାରୀ ତଥ୍ୟ ମୁତାବକ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ଭିତରେ ସାକ୍ଷରତା ହାର ୫୩ ପ୍ରତିଶତରୁ କମ୍ ଥିବାବେଳେ ଏହି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ପ୍ରାୟ ୪୧ ପ୍ରତିଶତ ରହୁଛି । ୨୯ଟି ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ । କେବଳ ପୁରୀ ଜିଲ୍ଲାରେ ଖୁବ୍ କମ୍ ଅନୁସୂଚିତ ଜନଜାତି ବର୍ଗର ଲୋକ ବସବାସ କରୁଥିବାବେଳେ ସେଠାରେ ଏହି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୬୦ ପ୍ରତିଶତରୁ ଅଧିକ ରହୁଛି ।
ସେହିଭଳି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଭିତରେ ସାକ୍ଷରତା ହାର ପାଖାପାଖି ୭୦ ପ୍ରତିଶତ ରହୁଥିବାବେଳେ ଏହି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ । ୧୬ଟି ଜିଲ୍ଲାରେ ଏହି ବର୍ଗର ମହିଳାଙ୍କ ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ ରହୁଥିବାବେଳେ ଆଉ ୨୦ଟି ଜିଲ୍ଲାରେ ଏହା ୬୦ରୁ ୬୯ ପ୍ରତିଶତ ମଧ୍ୟରେ ସୀମିତ ରହୁଛି ।
ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ୱେ ମଧ୍ୟ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡୁଛନ୍ତି । ବିଶେଷକରି ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କ ଭିତରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଅଧିକ ରହୁଥିବାବେଳେ ଏବେ ବି ଏହି ବର୍ଗର ଝିଅମାନଙ୍କ ଭିତରେ ଅଧାରୁ ପାଠପଢ଼ା ଛାଡ଼ିବା ହାର ଉଦ୍ବେଗଜନକ ରହିଛି ।
ରାଜ୍ୟ ସରକାରଙ୍କ ପ୍ରଦତ୍ତ ହିସାବ ମୁତାବକ ୨୦୦୭-୦୮ ବର୍ଷରେ ୮,୭୮,୯୬୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମାଙ୍କନ କରିଥିବାବେଳେ ୨୦୧୪-୧୫ ବେଳକୁ ଏମାନେ ଅଷ୍ଟମ ଶ୍ରେଣୀରେ ପହଞ୍ôଚବାବେଳକୁ ସଂଖ୍ୟା ୬,୯୮,୨୬୭କୁ କମିଥିଲା । ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଭିତରେ ଡ୍ରପ୍ଆଉଟ୍ ହାର ପ୍ରାୟ ୨୦ ପ୍ରତିଶତ ଥିଲା । ଏହି ବ୍ୟାଚ୍ର ଛାତ୍ରଛାତ୍ରୀମାନେ ୨୦୧୬-୧୭ ବେଳକୁ ଦଶମ ଶ୍ରେଣୀରେ ପହଞ୍ôଚବା ବେଳକୁ ଏମାନଙ୍କ ସଂଖ୍ୟା ଆହୁରି ହ୍ରାସ ପାଇ ୬,୧୩,୬୮୩ ହୋଇଥିଲା । ଅର୍ଥାତ୍ ଏହି ବ୍ୟାଚ୍ରେ ପ୍ରଥମରୁ ଦଶମ ଶ୍ରେଣୀ ଭିତରେ ଡ୍ରପ୍ଆଉଟ୍ ହାର ୩୦ ପ୍ରତିଶତରୁ ଅଧିକ ଥିବାବେଳେ ମୋଟାମୋଟି ଭାବେ ୨ଲକ୍ଷ ୬୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧାରୁ ପଢ଼ା ବନ୍ଦ କରି ଚାଲିଯାଇଥିଲେ ।
ଡ୍ରପ୍ଆଉଟ୍ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରି ଅଧାରୁ ପାଠପଢ଼ା ଛାଡୁଥିବା ପିଲାମାନେ ପୁଣି ଯେପରି ବିଦ୍ୟାଳୟକୁ ଫେରନ୍ତି ସେ ଦିଗରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଚଳାଉଛନ୍ତି । ଅବଶ୍ୟ ଏଥିଯୋଗୁ ଇତିମଧ୍ୟରେ ଡ୍ରପ୍ଆଉଟ୍ ହାର କମୁଥିବା କୁହାଯାଉଛି । ତେବେ ଦଶମ ଶ୍ରେଣୀରେ ଯେତେ ପିଲାଙ୍କ ନାମ ରହିଛି ସେମାନେ ସମସ୍ତେ ମାଟ୍ରିକ୍ ପରୀକ୍ଷା ଦେଉନାହାନ୍ତି । ଏହା ଚିନ୍ତାର ବିଷୟ ହୋଇଛି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଉନ୍ନୀତ ହେଉଥିଲେ । ଏଥିଯୋଗୁ ଶିକ୍ଷାର ଗୁଣବତ୍ତା କମୁଥିଲା । ଏବେ ନୂଆ ଶିକ୍ଷାନୀତି ଲାଗୁ କରାଯିବା ପରେ ପଞ୍ଚମ ଓ ଅଷ୍ଟମରେ ପୁଣି ବାର୍ଷିକ ପରୀକ୍ଷାରେ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଫେଲ୍ହେବେ ସେମାନଙ୍କୁ ଆଉଥରେ ସୁଯୋଗ ଦେବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଏଥିଯୋଗୁ ଡ୍ରପ୍ଆଉଟ୍ ହାର କମୁଛି ନା ବଢ଼ୁଛି ତାହାର ଆଗାମୀ ଦିନରେ ଜଣାପଡିବ । ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ନୂଆ ଜନଗଣନା କରାଗଲେ ରାଜ୍ୟରେ ସାକ୍ଷରତା ହାର ବଢ଼ିଥିବା ସ୍ପଷ୍ଟ ହେବ । ((ତଥ୍ୟ)