Home Education ନିରକ୍ଷରଙ୍କ ସଂଖ୍ୟା ଏବେ ବି ଅଧିକ

ନିରକ୍ଷରଙ୍କ ସଂଖ୍ୟା ଏବେ ବି ଅଧିକ

ଭୁବନେଶ୍ୱର : ସର୍ବଶିକ୍ଷା ଅଭିଯାନ ପ୍ରଚଳନ ଓ ଶିକ୍ଷା ଅଧିକାର ଆଇନ୍‍ ଲାଗୁ ସତ୍ୱେ ଓଡିଶାରେ ନିରକ୍ଷର ଲୋକଙ୍କ ସଂଖ୍ୟା ପ୍ରାୟ ଏକ ତୃତୀୟାଂଶ ଥିବାବେଳେ ଅଧାରୁ ପାଠ ଛାଡୁଥିବା ଓ ସ୍ୱଳ୍ପ ସାକ୍ଷରଙ୍କୁ ମିଶାଇଲେ ଏହି ହାର ଢେର ଅଧିକ ହେବ ।

ସର୍ବଶେଷ ଜନଗଣନା ଅନୁଯାୟୀ ଓଡିଶାରେ ସାକ୍ଷରତା ହାର ପ୍ରାୟ ୭୩ ପ୍ରତିଶତ ଥିବାବେଳେ ମହିଳା ସାକ୍ଷରତା ହାର ୬୪ ପ୍ରତିଶତ ବୋଲି କୁହାଯାଉଛି । ତେବେ ରାଜ୍ୟର ଅନ୍ୟୁନ ୧୪ଟି ଜିଲ୍ଲାରେ ମହିଳାଙ୍କ ସାକ୍ଷରତା ହାର ୬୪ ପ୍ରତିଶତରୁ କମ୍‍ ରହୁଛି । ରାୟଗଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ମହିଳା ସାକ୍ଷରତା ହାର ୪୦ପ୍ରତିଶତରୁ କମ୍‍ ଥିବାବେଳେ ନୂଆପଡା, ଗଜପତି, କଳାହାଣ୍ଡି ଆଦି ଜିଲ୍ଲାରେ ମହିଳା ସାକ୍ଷରତା ହାର ୫୦ପ୍ରତିଶତକୁ ଟପିପାରୁନଥିବା ଏହି ରିପୋର୍ଟର ତଥ୍ୟ କହୁଛି ।

ସରକାରୀ ହିସାବ ମୁତାବକ ଅନୁସୂଚିତଜନଜାତି ବର୍ଗର ଲୋକଙ୍କ ଭିତରେ ସାକ୍ଷରତା ହାର ପ୍ରାୟ ୫୨ ପ୍ରତିଶତ ଥିବାବେଳେ ଏହି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୪୧ ପ୍ରତିଶତ ପର୍ଯ୍ୟନ୍ତ ଯାଉଛି । ଏମିତିକି ରାୟଗଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତାର ହାର ୩୦ପ୍ରତିଶତରୁ କମ୍‍ ଥିବାବେଳେ ନୂଆପଡା, କଳାହାଣ୍ଡି, ଯାଜପୁର, ଗଞ୍ଜାମ, ଗଜପତି, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ଏହି ବର୍ଗର ମହିଳାଙ୍କ ସାକ୍ଷରତା ହାର ୪୦ ପ୍ରତିଶତରୁ କମ୍‍ ରହୁଛି । ଅନ୍ୟ ପକ୍ଷରେ ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଟକ, ବଲାଙ୍ଗିର ଭଳି ଜିଲ୍ଲାରେ ଏସ୍‍ଟି ବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୫୦ ପ୍ରତିଶତ ତଳକୁ ଥିବା ସର୍ବଶେଷ ଜନଗଣନା ରିପୋର୍ଟ କହୁଛି ।

ସେହିପରି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଭିତରେ ଓଡିଶାରେ ସାକ୍ଷରତା ହାର ୬୯ପ୍ରତିଶତ ଥିବାବେଳେ ଏହିବର୍ଗର ମହିଳାଙ୍କ ଭିତରେ ସାକ୍ଷରତା ହାର ୫୮.୭୬ ପ୍ରତିଶତ ଓ ପୁରୁଷଙ୍କ ମଧ୍ୟରେ ଏହି ହାର ୭୯.୨୧ ପ୍ରତିଶତ ରେକର୍ଡ କରାଯାଇଛି । ମୋଟାମୋଟି ଭାବେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ମହିଳାମାନଙ୍କ ସାକ୍ଷରତା ହାର ଢେର କମ୍‍ ରହୁଛି ।

ଶିକ୍ଷା ଅଧିକାର ଆଇନ୍‍ ଲାଗୁହେବା ଏବଂ ସର୍ବଶିକ୍ଷା ଅଭିଯାନ ପ୍ରଚଳନ ହେବାଫଳରେ ସାକ୍ଷରତା ହାର କିଛି ପରିମାଣରେ ବୃଦ୍ଧି ପାଇଥିଲେ ମଧ୍ୟ ତାହା ସନ୍ତୋଷଜନକ ନୁହେଁ । ସର୍ବଶେଷ ସରକାରୀ ରିପୋର୍ଟ ମୁତାବକ ରାଜ୍ୟର ଓଡିଆ ମାଧ୍ୟମ ସରକାରୀ ବିଦ୍ୟାଳୟରେ ଅଷ୍ଟମଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖପାଖି ୬୦ ପ୍ରତିଶତ ସାଧାରଣ ହରଣ କରିପାରୁ ନାହାନ୍ତି । ଓଡିଆ ଓ ଇଂରାଜୀ ସାହିତ୍ୟ ଜ୍ଞାନ ମଧ୍ୟ ହାଇସ୍କୁଲ ସ୍ତରରେ ପହଞ୍ଚିଥିବା ଅନେକ ଛାତ୍ରଛାତ୍ରୀଙ୍କର ଉନ୍ନତମାନର ନୁହେଁ ।

ମଧ୍ୟାହ୍ନଭୋଜନର ଆକର୍ଷଣ ସହିତ ମାଗଣାରେ ପୋଷାକ, ଜୋତା, ବହିପତ୍ର, ସାଇକେଲ ଏମିତିକି ସଂରକ୍ଷିତବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ବୃତ୍ତି ଅର୍ଥ ବ୍ୟବସ୍ଥା କରାଯିବା ସତ୍ୱେ ଯେତେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ଏବେ ବି ଉଦବେଗଜନକ ରହିଛି । ଏମିତିକି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ବି ମାଟ୍ରିକ ପରୀକ୍ଷା ଦେଉନାହାନ୍ତି । ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଅଧାରୁ ଯେଉଁ ପିଲାମାନେ ପାଠପଢା ଛାଡୁଛନ୍ତି ସେମାନେ ଏକ ପ୍ରକାର ଅର୍ଦ୍ଧ ସାକ୍ଷର ହୋଇ ରହୁଛନ୍ତି ବୋଲି ଶିକ୍ଷାବିତ୍‍ମାନେ କହୁଛନ୍ତି । ଆମ ବ୍ୟବସ୍ଥାରେ ଏଯାବତ୍‍ ସବୁ ପ୍ରାଥମିକ ବିଦ୍ୟାଳୟ ଲାଗି ଜଣେ କରି ଶିକ୍ଷକ ଓ ବଖରାଏ କରି ଶ୍ରେଣୀଗୃହ ସହିତ ହାଇସ୍କୁଲ ସ୍ତରରେ ବିଜ୍ଞାନ, ଇଂରାଜୀ, ଗଣିତ ଆଦି ପଢାଇବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନଥିବାରୁ ସମସ୍ୟା ଗୁରୁତର ରହୁଛି । (ତଥ୍ୟ)