ଭୁବନେଶ୍ୱର : ଚାଳିଶ ଜଣରୁ ଅଧିକ ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ତାଲିମ ଶେଷ ହୋଇଥିବାବେଳେ ସେମାନଙ୍କୁ କୌଣସି ପଦ ପଦବୀରେ ନିଯୁକ୍ତି ଦିଆଯାଇନଥିବାରୁ ପ୍ରାୟ ୨୦ଦିନ ଧରି ଏହି ଅଫିସରମାନେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ଚୟନ କରାଯାଉଥିବା ଓଏଏସ୍ ଅଫିସରମାନଙ୍କୁ ପ୍ରଥମେ ବିଭିନ୍ନ ଜିଲ୍ଲାକୁ ତାଲିମ ପାଇଁ ପଠାଯାଇଥାଏ । ଜିଲ୍ଲାସ୍ତରରେ ବିଭିନ୍ନ ଦପ୍ତରରେ ତାଲିମ ନେବା ସହିତ ଏମାନେ ଭୁବନେଶ୍ୱରରେ ଥିବା ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଟ୍ୟୁଟ (ରୋଟି) ଓ ଗୋପବନ୍ଧୁ ପ୍ରଶାସନିକ ସଂସ୍ଥାନରେ ତାଲିମ ନେଇଥାନ୍ତି । ଏହାଛଡା ନବନିଯୁକ୍ତ ଓଏଏସ୍ ଅଧିକରୀମାନଙ୍କୁ ରାଜ୍ୟ ବାହାରକୁ ମଧ୍ୟ ତାଲିମ ପାଇଁ ପଠାଯାଇଥାଏ ।
ତାଲିମ କାର୍ଯ୍ୟକ୍ରମ ଶେଷ ହେବାପରେ ଏହି ଅଧିକାରୀମାନଙ୍କର ବିଭାଗୀୟ ଲିଖିତ ଓ ମୌଖିକ ପରୀକ୍ଷା କରାଯାଇଥାଏ । ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ କାଉନସେଲିଂ ମାଧ୍ୟମରେ ଓଏଏସ୍ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଥାଏ । ୨୦୨୧ ବ୍ୟାଚ୍ର ଏହି ଓଏଏସ୍ ଅଧିକାରୀମାନଙ୍କୁ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ପ୍ରଭୃତି ରାଜ୍ୟକୁ ତାଲିମ ପାଇଁ ପଠାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ବି ଏହି ଉଦ୍ଦେଶ୍ୟରେ ନିଆଯାଇଥିଲା । ଏଥି ସହିତ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳରେ ଏମାନଙ୍କୁ ମଧ୍ୟ ୧୦/୧୫ ଦିନ ଲେଖାଁଏ ରହିବାର ସୁଯୋଗ ଦେଇ ସାଧାରଣ ଲୋକଙ୍କ ସମସ୍ୟାର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିବାକୁ ଦିଆଯାଇଥିଲା ।
ତାଲିମ ସମୟରେ ଏହି ଓଏଏସ୍ ଅଧିକାରୀମାନେ ପୂରା ଦରମା ପାଇଥାନ୍ତି । ତାଲିମ ଶେଷହେବା ପରେ ପରେ ସେମାନଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପନ କରାଯାଇଥାଏ । କିନ୍ତୁ ୨୦୨୧ ବ୍ୟାଚ୍ର ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲାପାଳଙ୍କ ଅଧିନରେ କ୍ଷେତ୍ର ଦପ୍ତରଗୁଡିକରେ ତାଲିମ ନେବାପରେ ଭୁବନେଶ୍ୱରକୁ ଆସିଥିଲେ । ରାଜଧାନୀରେ ପ୍ରାୟ ୬ମାସର ତାଲିମ ପରେ ସେମାନେ ନୂଆ କର୍ମକ୍ଷେତ୍ରରେ ନିଯୁକ୍ତି ପାଇବାକଥା । କିନ୍ତୁ ଜାନୁଆରୀ ମାସରେ ଏମାନଙ୍କର ତାଲିମ ସରିଥିଲେ ମଧ୍ୟ ଏଯାବତ୍ ନିଯୁକ୍ତି ଦିଆଯାଇନଥିବାରୁ ସେମାନେ ପୁଣି ଯାଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଜଏନିଂ ରିପୋର୍ଟ ଦେଇଛନ୍ତି ।
କେତେକ ଜିଲ୍ଲାପାଳ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଦପ୍ତରରେ ଅତିରିକ୍ତ ଦାୟିତ୍ୱରେ ରଖିଥିବାବେଳେ ଏ ସଂକ୍ରାନ୍ତରେ କିନ୍ତୁ ରାଜ୍ୟପାଳଙ୍କ ଆଦେଶକ୍ରମେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଯେଉଁ ଜିଲ୍ଲାଗୁଡିକରେ ଏହି ଅଧିକାରୀମାନଙ୍କୁ କାମ ମିଳୁନାହିଁ ସେମାନେ ବିନା କାମରେ ବେତନ ପାଉଛନ୍ତି । କେତେକ ଅଧିକାରୀ କାମ ନଥିବାରୁ ନିଜ ନିଜ ଘରକୁ ମଧ୍ୟ ଚାଲିଯାଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଜିଲ୍ଲାସ୍ତରୀୟ ତାଲିମ ଶେଷ ପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ରୋଟି ଓ ଗୋପବନ୍ଧୁ ଏକାଡେମୀରେ ତାଲିମ ଦିଆଯାଇନଥିବାରୁ ସେମାନେ ବି କିଛିମାସ ବିନା କାମରେ ଆଗରୁ ବେତନ ପାଇଥିଲେ । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ ବହୁ ସଂଖ୍ୟକ ଅଧିକାରୀ ପଦବୀ ଖାଲି ପଡିଥିବାବେଳେ ଅନ୍ୟପଟେ ନବନିଯୁକ୍ତି ଅଧିକାରୀମାନଙ୍କୁ ତାଲିମ ପରେ ତୁରନ୍ତ ପୋଷ୍ଟିଂ ଦିଆଯାଉ ନଥିବାରୁ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ସେମାନଙ୍କ ଠାରୁ ସରକାର ଆବଶ୍ୟକୀୟ ସେବା ଆଦାୟ କରିପାରୁ ନାହାନ୍ତି । (ତଥ୍ୟ)