ଭୁବନେଶ୍ୱର : ରାଜ୍ୟରେ ଲାଭ କରୁଥିବା ସରକାରୀ ସଂସ୍ଥାମାନେ ନିଯୁକ୍ତି ଦେବାକୁ ଆଗ୍ରହୀ ନୁହନ୍ତି । ଅଧାରୁ ଅଧିକ ସରକାରୀ ସଂସ୍ଥା ଓ ଉଦ୍ୟୋଗ ଲାଭ କରୁଥିବାବେଳେ ଏଠାରେ ହଜାର ହଜାର ପଦବୀ ଖାଲି ପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୩୬ଟି ସରକାରୀ ସଂସ୍ଥା ଓ ଉଦ୍ୟୋଗ ଥିବାବେଳେ ଏଥିରୁ ୨୬ଟି ଲାଭରେ ଚାଲିଛନ୍ତି । ହେଲେ ଏହି ଲାଭ କରୁଥିବା ସଂସ୍ଥା ମଧ୍ୟରୁ ଅନେକ ସେମାନଙ୍କ ଦପ୍ତରରେ ଖାଲିପଡିଥିବା ପଦବୀ ପୂରଣ କରୁନାହାନ୍ତି । ରାଜ୍ୟର ସବୁଠାରୁ ଲାଭବାନ ନିଗମ ହେଉଛି ଓଡିଶା ଖଣି ନିଗମ । ଏହି ସରକାରୀ ସଂସ୍ଥା ପ୍ରତିବର୍ଷ ଲାଭାଂଶ ବାବଦରେ ସରକାରଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରୁଛି । ଏହି ସଂସ୍ଥାରେ ୧୨୬୮ଟି ପଦବୀ ଖାଲି ପଡିଛି । ସେହିଭଳି ଓଡିଶା ଶକ୍ତି ସଞ୍ଚାରଣ ନିଗମରେ ସର୍ବାଧିକ ୨୫୮୩ଟି ପଦବୀ ଖାଲି ପଡିଛି ।
ସେହିଭଳି ଆଉଗୋଟିଏ ଲାଭଜନକ ସଂସ୍ଥା ହେଉଛି ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ । ଏହି ସଂସ୍ଥା ବି ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଲାଭାଂଶ ଆକାରରେ କୋଟି କୋଟି ଟଙ୍କା ଦେଉଛି । ହେଲେ ଏହି ସରକାରୀ ନିଗମରେ ୧୦୬୪ଟି ପଦବୀ ଖାଲି ପଡିଛି ।
ଲାଭରେ ଚାଲିଥିବା ଓଡିଶା ଉଠା ଜଳସେଚନ ନିଗମରେ ୧୦୩୪ଟି ପଦବୀ ଖାଲି ପଡିଥିବାବେଳେ ବନ ଉନ୍ନୟନ ନିଗମରେ ୬୩୬, କୃଷି ଶିଳ୍ପ ନିଗମରେ ୩୧୨, ନିର୍ମାଣ ନିଗମରେ ୪୪୯, ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମରେ ୩୩୦, ରାଜ୍ୟ ପଣ୍ୟାଗାର ନିଗମରେ ୨୯୨, ରାଜ୍ୟ ବିହନ ନିଗମରେ ୧୧୮ଟି ପଦବୀ ଖାଲି ପଡିଛି । ଜଳଯୋଗାଣ ପାଇଁ ଗଠନ ହୋଇଥିବା ୱାଟ୍କୋରେ ବି ୫୦ଟି ପଦବୀ ଖାଲି ।
ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ଓ ଆଉଟସୋର୍ସିଂ ସଂସ୍ଥାମାନେ ଚାକିରି ଆଳରେ ବେକାରୀ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ଆସୁଥିବାବେଳେ ଏହି ସରକାରୀ ସଂସ୍ଥାମାନେ କାହିଁକି ଖାଲି ପଡିଥିବା ପଦବୀ ପୂରଣ କରୁ ନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ତେବେ ଲାଭ କରୁଥିବା ଆଉ କେତେକ ସଂସ୍ଥାରେ ଖାଲି ପଡିଥିବା ପଦବୀ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି ।
ତେବେ କ୍ଷତିରେ ଚାଲୁଥିବା ସରକାରୀ ଉଦ୍ୟୋଗ ଓ ସଂସ୍ଥାମାନେ ଅର୍ଥାଭାବରୁ ଖାଲି ପଡିଥିବା ପଦବୀରେ ନିଯୁକ୍ତି ଦେବାକୁ ପଛଘୁଞ୍ଚା ଦେଉଥିବାବେଳେ ଲାଭକାରୀ ସଂସ୍ଥାମାନେ ଏ କ୍ଷେତ୍ରରେ ପଛଘୁଞ୍ଚା ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ସଂସ୍ଥାମାନଙ୍କ ମଧ୍ୟରୁ ଅନେକ ଖାଲିଥିବା ପଦବୀ ପୂରଣ କରୁନଥିବାବେଳେ ଆବଶ୍ୟକ ସ୍ଥଳେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେଉଛନ୍ତି । ଏହା ଫଳରେ ବର୍ଷ ବର୍ଷ ଧରି ସରକାରୀ ଚାକିରି ଖଣ୍ଡେ ପାଇଁ ଚାତକ ଭଳି ଚାହିଁ ରହିଥିବା ରାଜ୍ୟର ଉଚ୍ଚଶିକ୍ଷିତମାନେ ହତାଶ ହେବା ସହିତ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)