Home Administration ନିଯୁକ୍ତିରୁ ବଞ୍ଚିତ ଯୋଗ୍ୟ ଭିନ୍ନକ୍ଷମ

ନିଯୁକ୍ତିରୁ ବଞ୍ଚିତ ଯୋଗ୍ୟ ଭିନ୍ନକ୍ଷମ

ଭୁବନେଶ୍ୱର : ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଅମଲାତନ୍ତ୍ରିକ କାରସାଦି ଯୋଗୁ ଭିନ୍ନକ୍ଷମମାନଙ୍କ ଶକ୍ତି ହରଣ କରାଯାଇ ଯୋଗ୍ୟତା ସତ୍ତ୍ୱେ ସେମାନଙ୍କୁ ବହୁ କ୍ଷେତ୍ରରେ ସରକାରୀ ଚାକିରୀରୁ ଉଦ୍ଦେଶ୍ୟମୂଳକ ଭାବେ ବଞ୍ଚିତ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତ୍ରୁଟି ଯୋଗୁ ଜଣେ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରୁ ନିଯୁକ୍ତି ପାଇଥିବା ବହୁ ପ୍ରାର୍ଥୀଙ୍କ ଠାରୁ ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ନଦେଇ ୪ବର୍ଷ ଧରି କର୍ତ୍ତୃପକ୍ଷ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଥିବା ଘେନି ଚାକିରୀ ପ୍ରତ୍ୟାଶୀ କେତେକ ଭିନ୍ନକ୍ଷମ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ଅଭିଯୋଗ କରିଛନ୍ତି ।

ଭିନ୍ନକ୍ଷମଙ୍କ ପାଇଁ ମିଳିତ ଜାତିସଂଘର ଘୋଷଣାନାମା ଆଧାରରେ ସଂସଦରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଓଡିଶାରେ ଏହାର ଖୋଲା ଉଲ୍ଲଂଘନ ହେଉଛି । ସେମାନେ ଦର୍ଶାଇଛନ୍ତି ଯେ, କେନ୍ଦ୍ରୀୟ ଆଇନରେ ୪୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଶାରିରୀକ ଅକ୍ଷମ ଥିବା ପ୍ରାର୍ଥୀମାନଙ୍କ ଲାଗି ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଆଇନକୁ ରାଜ୍ୟ ସରକାର ବଦଳାଇ ପାରିବେ ନାହିଁ । ତେବେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତ୍ରୁଟିପୂର୍ଣ୍ଣ ସଂକଳ୍ପ ଯୋଗୁ ସମସ୍ୟା ଉପୁଜିଛି । ସରକାର ତ୍ରୁଟି ସୁଧାରିଥିଲେ ମଧ୍ୟ ଓଡିଶା ଲୋକସେବା ଆୟୋଗ ଏହାକୁ ଗ୍ରହଣ ନକରିବାରୁ ସମସ୍ୟା ଜଟିଳ ହେଉଛି ।

କେନ୍ଦ୍ରୀୟ ଆଇନ ଓ ରାଜ୍ୟ ସରକାରଙ୍କ ସଙ୍କଳ୍ପ ଆଧାରରେ ଯେଉଁ ଭିନ୍ନକ୍ଷମ ପ୍ରାର୍ଥୀମାନେ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ଠାରୁ ଭଲ ଦକ୍ଷତା ପ୍ରଦର୍ଶନ କରିବେ ସେମାନଙ୍କୁ ସଂରକ୍ଷିତ ପରିବର୍ତ୍ତେ ଅଣସଂରକ୍ଷିତ ଆସନରେ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବାର ପ୍ରାବଧାନ ରହିଛି । ଏହାସତ୍ତ୍ୱେ ବି ଅଣସଂରକ୍ଷିତ ବର୍ଗର ଅଣୁଶ୍ରବ ଗନ୍ତାୟତ ନାମକ ଜଣେ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ୪ବର୍ଷ ଧରି ନିଯୁକ୍ତି ନପାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି ।

ଅଣୁଶ୍ରଭଙ୍କର ୪୦ ପ୍ରତିଶତ ଶାରିରୀକ ଅକ୍ଷମତା ଥିବାବେଳେ ସେ କୌଣସି ରିହାତି ନନେଇ ଓଡିଶା ସିଭିଲ ସର୍ଭିସ୍‍ ପରୀକ୍ଷାର ପ୍ରିଲିମ୍‍ନାରୀ, ଲିଖିତ ଓ ମୌଖିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ । ଅଣୁଶ୍ରବ ଏହି ପରୀକ୍ଷାରେ ୧୩୬୫ନମ୍ବର ରଖିଥିବାବେଳେ ୧୩୦୨ ପର୍ଯ୍ୟନ୍ତ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ମଧ୍ୟରୁ କେତେକ ବିପଦ ଆଶଙ୍କା କରି ଇତି ମଧ୍ୟରେ ଚାକିରୀ ଛାଡି ଅନ୍ୟତ୍ର ପଳାଇଛନ୍ତି ।

ରାଜ୍ୟ ମୁଖ୍ୟଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏ ପ୍ରସଙ୍ଗରେ ଅବହିତ ହେବାପରେ ଏହି ଦକ୍ଷ ଓ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନାମ ଓଡିଶା ଲୋକସେବା ଆୟୋଗ ଯୋଗ୍ୟତା ତାଲିକାରେ ସାମିଲ କରି ଅଣସଂରକ୍ଷିତ ପ୍ରାର୍ଥୀଭାବେ ପଠାଇବାକୁ ବାରମ୍ବାର କହିଥିଲେ ମଧ୍ୟ ଆୟୋଗ ନାମ ନପଠାଇ ଏଥିଲାଗି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିକୁ ଦାୟୀ କରୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ଅଣୁଶ୍ରଭଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଘଟଣାକୁ ଆଇନ ଅଦାଲତରେ ସ୍ୱୀକାର କରିଛନ୍ତି ।

ଏଭଳି ଟଣାଓଟରା ଭିତରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ପୁଅ ଅଣୁଶ୍ରବ ନିଜର ଶାରିରୀକ ଅକ୍ଷମତା ସତ୍ତ୍ୱେ ଭୁବନେଶ୍ୱର, କଟକ ଦୌଡି ଦୌଡି ହାଲିଆ ହୋଇଗଲେଣି । କେବେ ତାଙ୍କୁ ଅଦାଲତରୁ ଓ ପ୍ରଶାସନରୁ ନ୍ୟାୟ ମିଳିବ ସେହି ଚିନ୍ତାରେ ଅଣୁଶ୍ରଭଙ୍କ ମା’ ଶଯ୍ୟାଶାୟୀ । ତାଙ୍କଠାରୁ ଢେର କମ୍‍ ନମ୍ବର ରଖିଥିବା ପ୍ରାର୍ଥୀ ବିଡିଓ, ତହସିଲଦାର ଆଦି ବିଭିନ୍ନ ପଦପଦବୀରେ ଓଏଏସ୍‍ ଅଫିସର ଭାବେ କାମ କରୁଥିବାବେଳେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ଅଣୁଶ୍ରଭଙ୍କୁ ନିଯୁକ୍ତିରୁ ବଞ୍ôଚତ କରାଯାଇଥିଲେ ମଧ୍ୟ ସେ ନ୍ୟାୟ ପାଇବେ ବୋଲି ଗଭୀର ଆଶାବାଦୀ ।

ପୂର୍ବରୁ ସନ୍ୟାସୀ ବେହେରା ନାମକ ଅନ୍ୟଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିବା ପାଇଁ ଅମଲାତାନ୍ତ୍ରିକ ଷଡଯନ୍ତ୍ର ହୋଇଥିଲେ ମଧ୍ୟ ସେ ନ୍ୟାୟ ପାଇବା ପରେ ଏବେ ଓଏଏସ୍‍ ଅଫିସର ଭାବେ ଦକ୍ଷତାର ସହ କାମ କରୁଛନ୍ତି । ନ୍ୟାୟାଳୟ, ଓପିଏସ୍‍ସି ଓ ରାଜ୍ୟ ସରକାର ଅଣୁଶ୍ରବଙ୍କ ପ୍ରତି ହୋଇଥିବା ଅବିଚାରକୁ ନମୂନା ଭାବେ ନେଇ ସମସ୍ତ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ସହାନୁଭୂତିର ସହ ଆଇନ ଅନୁଯାୟୀ ନ୍ୟାୟ ଦେବାକୁ ବହୁ ଭିନ୍ନକ୍ଷମ ଚାକିରୀ ପ୍ରତ୍ୟାଶୀ ନିବେଦନ କରିଛନ୍ତି ।(ତଥ୍ୟ)